ନୂଆଦିଲ୍ଲୀ: ପାକିସ୍ତାନ ଦଳ ନଭେମ୍ବର ୨୮ରୁ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜୁନିୟର ହକି ବିଶ୍ୱକପରୁ ଓହରି ଯାଇଛି । ଅନ୍ତର୍ଜାତୀୟ ହକି ଫେଡେରେସନ (FIH) ଶୁକ୍ରବାର ଏନେଇ ସୂଚନା ଦେଇଛି । ପାକିସ୍ତାନ ହକି ଫେଡେରେସନ ଆନୁଷ୍ଠାନିକ ଭାବରେ ସୂଚନା ଦେଇଛି ଯେ, ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବ ନାହିଁ । ପାକିସ୍ତାନ ସ୍ଥାନରେ ଆଉ କେଉଁ ଦଳ ଖେଳିବ ସେନେଇ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଏଫଆଇଏଚ ଏକ ବିବୃତ୍ତିରେ କହିଛି।
ଜୁନିଅର ହକି ବିଶ୍ୱକପ୍ ଚେନ୍ନାଇ ଏବଂ ମଦୁରାଇରେ ଅନୁଷ୍ଠିତ ହେବ। ପାକିସ୍ତାନକୁ ଭାରତ, ଚିଲି ଏବଂ ସ୍ୱିଜରଲ୍ୟାଣ୍ଡ ସହିତ ପୁଲ ବିରେ ରଖାଯାଇଥିଲା। ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ଭାରତର ଅପରେସନ ସିନ୍ଦୂର ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଗତ ମାସରେ ବିହାରର ରାଜଗିର ଷ୍ଟାଡିୟମରେ ଅନୁଷ୍ଠିତ ହକି ଏସିଆ କପରୁ ମଧ୍ୟ ପାକିସ୍ତାନ ଓହରି ଯାଇଥିଲା । ପାକିସ୍ତାନ ସମେତ। ଓମାନ ମଧ୍ୟ ଓହରି ଯାଇଥିଲା। ବାଂଲାଦେଶ ଏବଂ କାଜାଖସ୍ତାନକୁ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ଦିଆଯାଇଥିଲା।
ଭାରତୀୟ ଦଳ ସେପ୍ଟେମ୍ବର ୨୮ ତାରିଖରେ ଏସିଆ କପ୍ ଫାଇନାଲରେ ପାକିସ୍ତାନ କ୍ରିକେଟ ଟିମକୁ ହରାଇଥିଲା । ବିଜୟ ପରେ ଦଳ ମୋହସିନ ନକଭିଙ୍କଠାରୁ ଏସିଆ କପ୍ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ପହଲଗାମ୍ ଆତଙ୍କବାଦୀ ଆକ୍ରମଣର ପ୍ରତିବାଦରେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଥିଲା । ନକଭି ଏସିସି ଅଧ୍ୟକ୍ଷ ହେବା ସହିତ ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ । ସେ ପାକିସ୍ତାନର ଗୃହମନ୍ତ୍ରୀ ମଧ୍ୟ ଅଛନ୍ତି।
ଫାଇନାଲ ପୂର୍ବରୁ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ। ଟୁର୍ଣ୍ଣାମେଣ୍ଟରେ ଦୁଇ ଦଳ ତିନିଥର ମୁହାଁମୁହିଁ ହୋଇଥିଲେ। ଏସିଆ କପ୍ ପରେ, ଭାରତୀୟ ମହିଳା ଦଳ ମଧ୍ୟ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ।