ନୂଆଦିଲ୍ଲୀ,୨୭/୦୫: ଅପରେସନ୍ ସିନ୍ଦୂର ପ୍ରହାରରେ ପକିସ୍ତାନ ଅଣ୍ଟା ଭାଙ୍ଗିଯାଇଛି । ଆଉ କିଛି ବାଟ ନପାଇ ଶେଷରେ ମୁହଁଫୁଟାଣି ଛାଡ଼ି ଭାରତ ଆଗରେ ନଇଁଛି ବିଚରା ପାକିସ୍ତାନ । ଚାପରେ ଭାରତ ସହ ଆଲୋଚନା ପାଇଁ ମନ ବଳାଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ ସରିଫ୍‌ । ଇରାନ୍‌ ଗସ୍ତ ଅବସରରେ କଶ୍ମୀର, ଆତଙ୍କବାଦ ଓ ଜଳ ସମସ୍ୟା ନେଇ ଆଲୋଚନା ପାଇଁ ପ୍ରସ୍ତାବ ରଖିବା ସହିତ ଶାନ୍ତି ଆଲୋଚନା ଚାହୁଁ ବୋଲି କହିଛନ୍ତି ଶହବାଜ ।

ବାଟ ନପାଇ ନଇଁଲା ବିଚରା ପାକିସ୍ତାନ- ବିଚରା ପାକିସ୍ତାନ ପାଖରେ ଆଉ କିଛି ଚାରା ନାହିଁ । ଯେତେ ମୁହଁ ଫୁଟାଣି ଦେଖାଇଲେ ବି ସତ କଣ ସେ ଜାଣିଛି । ଭାରତର ଅପରେସନ୍‌ ସିନ୍ଦୂର ପ୍ରହାର ତାର ଅଣ୍ଟା ଭାଙ୍ଗି ଦେଇଛି । ଭାରତୀୟ ସେନାର ପ୍ରଚଣ୍ଡ ମଜାଇ ମାଡ଼ରେ ଥରହର ପାକିସ୍ତାନ ଏବେ ଶାନ୍ତି ଆଲେଚନା ପାଇଁ କାନ୍ଦୁଛି । ପୁଣି ଭାରତ ଆଗରେ ମୁଣ୍ଡ ନୁଆଁଇଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ । ବାଣିଜ୍ୟ, ସୀମା ପ୍ରସଙ୍ଗରେ ବି ଆଲୋଚନା ଚାହୁଁଛୁ । କଶ୍ମୀର, ଆତଙ୍କବାଦ ଓ ସିନ୍ଧୁ ଜଳ ଶାନ୍ତି ସମେତ ସମସ୍ତ ମୁଦ୍ଦାରେ ଭାରତ ସହିତ ସିଧା ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଇରାନ୍‌ରେ କହିଛନ୍ତି ପାକ୍ ପିଏମ୍‌ ଶହବାଜ ।

ଗୋଟିଏ ପଟେ ଭାରତକୁ ପାକିସ୍ତାନ ଧମକ ଦେଉଥିବା ନଜର ଆସୁଛି । ଆଉ ଗୋଟିଏ ପଟେ ଶାନ୍ତି ପାଇଁ କାନ୍ଦୁଥିବା ଦେଖିବାକୁ ମିଳିଛି । ବୁଦ୍ଧି ଶିଖିବା ପରେ ଏବେ ବାଟକୁ ଆସିଛି । ଏବେ ଇରାନ୍‌ରେ ପାକିସ୍ତାନ ପିଏମ୍‌ ଶହବାଜ ସରିଫ୍‌ ଭାରତ ସହ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି । ଇରାନ୍ ରାଷ୍ଟ୍ରପତି ମସୂଦ ପଜଶକିୟଙ୍କ ସହିତ ସଂଯୁକ୍ତ ପ୍ରେସ୍‌ କନଫରେନ୍ସରେ ଶହବାଜ କଶ୍ମୀର ମୁଦ୍ଦା ଏବଂ ଜଳ ସମେତ ସବୁ ବିବାଦକୁ ନେଇ କଥାବାର୍ତ୍ତା ପାଇଁ ପ୍ରସ୍ତାବ ଦେଇଛନ୍ତି । ପଡ଼ୋଶୀ ସହ ବାଣିଜ୍ୟ ଓ ଆତଙ୍କବାଦ ମୁଦ୍ଦା ଉପରେ କଥାବାର୍ତ୍ତା କରିବାକୁ ଚାହୁଁଛି ପାକିସ୍ତାନ । ହେଲେ ଯଦି ସେମାନେ (ଭାରତ) ଆକ୍ରାମକ ରହିବେ ତେବେ ଆମେ ଆମର କ୍ଷେତ୍ରକୁ ସୁରକ୍ଷା ଦେବୁ । ଯେପରି ଆମେ ପୂର୍ବରୁ କରିଥିଲୁ ସେମିତି କରିବୁ । ଯଦି ଭାରତ ଆମ ଶାନ୍ତି ପ୍ରସ୍ତାବରେ ରାଜି ହୁଏ ତେବେ ଆମେ ଦେଖାଇଦେବୁ କି ଗମ୍ଭୀରତା ଓ ଆନ୍ତାରିକତାର  ସହ ବାସ୍ତବରେ ଆମେ ଶାନ୍ତି ଚାହୁଁ ।

ପାକ୍‌ ସହ ଆଲୋଚନା ନେଇ ଭାରତର କଣ ରହିବ ଆଭିମୁଖ୍ୟ ? ଭାରତ ସ୍ପଷ୍ଟ ଭାବରେ କହିଛି କି, ପାକିସ୍ତାନ କେବଳ ପାକ୍ କବଜା କଶ୍ମୀରକୁ ଫେରି ପାଇବାକୁ ଏବଂ ଆତଙ୍କବାଦ ମୁଦ୍ଦା ଉପରେ ହିଁ କଥାବର୍ତ୍ତା କରିବ । ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ପାକିସ୍ତାନକୁ ମହଙ୍ଗା ପଡିଛି । ଏପ୍ରିଲ୍‌ ୨୨ରେ ହୋଇଥିବା ଭୟଙ୍କର ପହଲଗାମ ଆତଙ୍କୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଆତଙ୍କୀସ୍ଥାନ ଉପରେ ପ୍ରତିଶୋଧ ନେବାକୁ ଭାରତ 'ଅପରେସନ୍ ସିନ୍ଦୂର' ଲଞ୍ଚ କରିଥିଲା । ଯେଉଁଥିରେ ୧୦୦ ଆତଙ୍କୀ ନିପାତ ହୋଇଥିଲେ । ପାକ୍‌ ଓ ପିଓକେରେ ୯ ଆତଙ୍କୀ ଆଡ୍ଡା ମାଟିରେ ମିଶିଥିଲା ।