ନୂଆଦିଲ୍ଲୀ: ଭାରତର ଅପରେସନ୍ ସିନ୍ଦୁର ଆରମ୍ଭ କରିବା ପରଠୁ ପାକିସ୍ତାନରେ ମୃତ୍ୟୁ ସଂଖ୍ୟା ୧୬୦ରେ ପହଞ୍ଚିଛି ବୋଲି ସୂତ୍ରରୁ ଜଣାପଡ଼ିଛି। ଏହି ଅପରେସନ୍ କୁ ଭାରତୀୟ ସେନା ମଇ ୭ ତାରିଖରେ ଆରମ୍ଭ ହୋଇଥିଲା, ଯାହା ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବ ଭାବେ ଆରମ୍ଭ କରାଯାଇଥିଲା। ଯେଉଁଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସୂତ୍ର ଅନୁସାରେ, ପାକିସ୍ତାନ ସେନା ଓ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ବ୍ୟକ୍ତିଙ୍କ ମଧ୍ୟରେ ୩୫-୪୦ ଜଣ ପାକିସ୍ତାନୀ ସୈନ୍ୟ ଏବଂ ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଆଜହରଙ୍କ ପରିବାରର ୨୦ରୁ ଅଧିକ ସଦସ୍ୟ ଏହି ଆକ୍ରମଣରେ ନିହତ ହୋଇଛନ୍ତି। ପାକିସ୍ତାନ ସେନା କେବଳ ୧୧ ଜଣଙ୍କ ମୃତ୍ୟୁ ଓ ୭୮ ଜଣଙ୍କ ଆହତ ହେବା ନେଇ ସ୍ୱୀକାର କରିଛି।
ଅପରେସନ୍ ସିନ୍ଦୁରର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବାର ୩୦ ମିନିଟ୍ ପରେ ଭାରତ ପାକିସ୍ତାନକୁ ସୂଚନା ଦେଇଥିଲା ଯେ କେବଳ ଆତଙ୍କବାଦୀ ଶିବିରଗୁଡ଼ିକୁ ଟାର୍ଗେଟ କରାଯାଉଛି। ପାକିସ୍ତାନ ଦୁଇଥର ଭାରତକୁ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲା, ଯାହା ପରେ ଦୁଇ ଦେଶର ଡାଇରେକ୍ଟର ଜେନେରାଲ ଅଫ୍ ମିଲିଟାରୀ ଅପରେସନ୍ସ (DGMO) ମଧ୍ୟରେ ସିଧାସଳଖ ଆଲୋଚନା ପରେ ମଇ ୧୦ରେ ଯୁଦ୍ଧବିରତି ହୋଇଥିଲା।
ଏହି ଅପରେସନ୍ରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା ଓ ହିଜବୁଲ ମୁଜାହିଦ୍ଦିନ ସହ ଜଡ଼ିତ ନଅଟି ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିଥିଲା। ବାହାୱାଲପୁର ଓ ମୁରିଦ୍କେରେ ଥିବା ଆତଙ୍କୀ ଶିବିରଗୁଡ଼ିକୁ ଭାରତ ଟାର୍ଗେଟ କରି ଥିଲା। ଯେଉଁଠାରେ ପ୍ରାୟ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ।
ପାକିସ୍ତାନର ପ୍ରତିକ୍ରିୟା ସ୍ୱରୂପ ମଇ ୮, ୯ ଓ ୧୦ ତାରିଖରେ ଭାରତୀୟ ସୈନ୍ୟ ଅଞ୍ଚଳ ଉପରେ ଡ୍ରୋନ୍ ଓ ମିସାଇଲ ଆକ୍ରମଣ କରିଥିଲା। କିନ୍ତୁ ଭାରତର S-400 ପ୍ରତିରକ୍ଷା ବ୍ୟବସ୍ଥା ଏହି ଉଦ୍ୟମକୁ ସମ୍ବର୍ଣ୍ଣ ବିଫଳ କରିଥିଲା। ଏହା ସହିତ, ଭାରତ ପାକିସ୍ତାନର ସୀମାରେ ପଶି ଲାହୋରରେ ଥିବା HQ-9 ପ୍ରତିରକ୍ଷା ବ୍ୟବସ୍ଥାକୁ ମଧ୍ୟ ଧ୍ୱଂସ କରିଥିଲା।
ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଏହାକୁ ଏକ “ନିୟନ୍ତ୍ରିତ ଓ ଅଣ-ଉତ୍ତେଜକ” କାର୍ଯ୍ୟାନୁଷ୍ଠାନ ବୋଲି ବର୍ଣ୍ଣନା କରିଥିଲେ। ଯାହା କେବଳ ଆତଙ୍କବାଦୀ ଭିତ୍ତିଭୂମିକୁ ଟାର୍ଗେଟ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ଉଦ୍ଦେଶ୍ୟରେ ଦେଇଥିବା ଭାଷଣରେ ପାକିସ୍ତାନକୁ ଆତଙ୍କବାଦୀ ଭିତ୍ତିଭୂମି ଧ୍ୱଂସ କରିବାକୁ ଚେତାବନୀ ଦେଇଥିଲେ ଏବଂ କହିଥିଲେ ଯେ ଭାରତ ଶତ୍ରୁ ଦେଶର ପରମାଣୁ ଧମକକୁ ଆଦୌ ବରଦାସ୍ତ କରିବ ନାହିଁ।
ଯୁଦ୍ଧବିରତି ସତ୍ତ୍ୱେ ପାକିସ୍ତାନ ପକ୍ଷରୁ କିଛି ଉତ୍ତେଜନା ସୃଷ୍ଟିକାରୀ ଘଟଣା ଦେଖାଦେଇଥିଲା। ତେବେ ମଇ ୧୧ ତାରିଖ ରାତିଠାରୁ ସୀମାନ୍ତ ଅଞ୍ଚଳରେ ଏକ ଅସ୍ଥାୟୀ ଶାନ୍ତି ବଜାୟ ରହିଛି।