ଇସଲାମାବାଦ: ପାକିସ୍ତାନ ସରକାର ଆସନ୍ତା ବର୍ଷ ଜାନୁଆରୀ ୧ ତାରିଖଠାରୁ ଶିଆ ତୀର୍ଥଯାତ୍ରୀଙ୍କୁ ଇରାକରେ ଥିବା ପବିତ୍ର ସ୍ଥାନମାନଙ୍କୁ ଏକାକୀ ଯାତ୍ରା କରିବା ଉପରେ କଟକଣା ଜାରି କରିଛନ୍ତି। ଏହି ନିଷ୍ପତ୍ତି ଭିସା ଅତିକ୍ରମ ଏବଂ ଅବୈଧ ପ୍ରବାସ ରୋକିବା ପାଇଁ ନିଆଯାଇଛି। ଯାହା ଇରାକ, ଇରାନ ଏବଂ ପାକିସ୍ତାନକୁ ଧାର୍ମିକ ଭିସା ଦେଉଥିବା ଅନ୍ୟ ଦେଶମାନଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡିଥିଲା। ଏନେଇ ସନସ୍ତ ଦେଶ ପାକିସ୍ତାନର ଅନେକ ନାଗରିକଙ୍କୁ ଭିସା ମଧ୍ୟ ପ୍ରଦାନ କରୁନଥିଲେ।
ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନାକଭି ଏନେଇ ଆଧିକାରିକ ସ୍ତରରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଏଣିକି ସମସ୍ତ ତୀର୍ଥଯାତ୍ରା କେବଳ ଅନୁମୋଦିତ ଗୋଷ୍ଠୀ ସଂଗଠକଙ୍କ ମାଧ୍ୟମରେ ହିଁ ହେବ। ଏହି ପଦକ୍ଷେପ ଇରାକ ଏବଂ ଇରାନ ପରି ଦେଶମାନଙ୍କ ସହଯୋଗରେ ନିଆଯାଇଛି। ଯେଉଁମାନେ ପାକିସ୍ତାନୀ ନାଗରିକଙ୍କ ଦ୍ୱାରା ଭିସା ଅତିକ୍ରମ ଏବଂ ଅବୈଧ ବାଣିଜ୍ୟିକ କାର୍ଯ୍ୟକଳାପ ନେଇ ବାରମ୍ୱାର ଅଭିଯୋଗ ଉଠାଇଥିଲେ।
ସୂଚନା ଅନୁଯାୟୀ, ପ୍ରତିବର୍ଷ ହଜାର ହଜାର ପାକିସ୍ତାନୀ ଶିଆ ତୀର୍ଥଯାତ୍ରୀ ଇରାକ ଏବଂ ଇରାନରେ ଥିବା ପବିତ୍ର ସ୍ଥଳ ଗୁଡିକୁ ଧାର୍ମିକ ତୀର୍ଥଯାତ୍ରା ପାଇଁ ଯାଇଥାନ୍ତି। କିନ୍ତୁ ଅନେକ ପାକିସ୍ତାନି ନାଗରିକ ସେମାନଙ୍କ ଭିସା ଅବଧି ଅତିକ୍ରମ କଲାପରେ ମଧ୍ୟ ସେଠାରେ ରହି ଭିକ୍ଷାବୃତ୍ତି କରିବା ସହ ଅନୌତିକ କାର୍ଯ୍ୟରେ ଲିପ୍ତ ରହିଥାନ୍ତି। ୨୦୨୪ର ଡାଟା ମୁତାବକ, ଇରାକର ପବିତ୍ର ସ୍ଥାନଗୁଡ଼ିକ ଦର୍ଶନ ପାଇଁ ପ୍ରାୟ ୨.୧୫ କୋଟି ବିଦେଶାଗତ ଦର୍ଶନାର୍ଥୀ ଆସିଥିଲେ। ଯେଉଁମାନଙ୍କ ମଧ୍ୟରେ ଅନେକ ପାକିସ୍ତାନୀ ତୀର୍ଥଯାତ୍ରୀ ଇରାନ ମାଧ୍ୟମରେ ଇରାକରେ ପ୍ରବେଶ କରିଥିଲେ।
ଏହା ବ୍ୟତୀତ, ସାଉଦି ଆରବ ମଧ୍ୟ ପାକିସ୍ତାନୀ ନାଗରିକଙ୍କ ଦ୍ୱାରା ଭିସାର ଅପବ୍ୟବହାର ଏବଂ ଭିକ୍ଷାବୃତ୍ତି ନେଇ ଚିନ୍ତା ପ୍ରକାଶ କରିଛି। ୨୦୨୪ ଡିସେମ୍ବରରେ, ସାଉଦି ଆରବ ୪,୭୦୦ ପାକିସ୍ତାନୀ ଭିକ୍ଷୁକଙ୍କ ଭିସା ରଦ୍ଧ କରି ସ୍ୱଦେଶକୁ ଫେରାଇ ଦେଇଥିଲା। ସେହିଭଳି ୨୦୨୫ ଏପ୍ରିଲରେ ସମାନ କାରଣ ପାଇଁ ୧୪ଟି ଦେଶ ଉପରେ ଅସ୍ଥାୟୀ ଭିସା କଟକଣା ଲଗାଇଥିଲା। ଯାହା ମଧ୍ୟରେ ପାକିସ୍ତାନ ମଧ୍ୟ ରହିଥିଲା।
ପାକିସ୍ତାନରେ ବସବାସ କରୁଥିବା ଶିଆ ସମ୍ପ୍ରଦାୟ ଦେଶର ଜନସଂଖ୍ୟାର ୧୦-୧୫% ଅଟନ୍ତି। ଏମାନେ ପାକିସ୍ତାନରେ ସଂଖ୍ୟାଲଘୁ ସାମ୍ପ୍ରଦାୟ ହୋଇଥିବାରୁ ଅନେକ ସମୟରେ ବିଭେଦ ଏବଂ ହିଂସାର ସମ୍ମୁଖୀନ ହୋଇଥାନ୍ତି। ଏଣୁ ଅନେକ ଶିଆ ତିର୍ଥଯାତ୍ରୀ ବିଦେଶ ଗଲାପରେ ସେଠାରୁ ନଆସି ସେଠାରେ ରହିଯିବାକୁ ଚେଷ୍ଟା କରିତାନ୍ତି। ତେବେ ପାକିସ୍ତାନ ସରକାରଙ୍କର ଏହି ନୂଆ ନୀତି ସେମାନଙ୍କ ଧାର୍ମିକ ଯାତ୍ରାକୁ ପ୍ରଭାବିତ କରିପାରେ। କିନ୍ତୁ ସରକାର ଏହାକୁ ଅବୈଧ ପ୍ରବାସ ଏବଂ ଅନୁମୋଦିତ ତୀର୍ଥଯାତ୍ରା ନିୟନ୍ତ୍ରଣ ପାଇଁ ଏକ ଆବଶ୍ୟକ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି।