ନୂଆଦିଲ୍ଲୀ,୨୯।୧୧: ଅପରେସନ୍ ସିନ୍ଦୂର ପରେ, ପାକିସ୍ତାନ ସୀମା ନିକଟରେ ଥିବା ୭୨ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍କୁ ଭିତରକୁ ସ୍ଥାନାନ୍ତରିତ କରିଛି। ଏନେଇ ଶନିବାର ବିଏସଏଫର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶତ୍ରୁପକ୍ଷକୁ ପ୍ରବଳ କ୍ଷତି ପହଞ୍ଚାଇବାକୁ ବିଏସଏଫ ପ୍ରସ୍ତୁତ। ତଥାପି, ମେ ମାସରେ ଚାରି ଦିନିଆ ସଂଘର୍ଷ ପରଠାରୁ ସେନା ଅପରେସନ୍‌ରେ ବିରତି ବଜାୟ ରଖିଛି।

ବିଏସଏଫ ଡିଆଇଜି ବିକ୍ରମ କୁଅଁର କହିଛନ୍ତି, ସିଆଲକୋଟ ଏବଂ ଜାଫରୱାଲ ଅଞ୍ଚଳରେ ପ୍ରାୟ ୧୨ଟି ଲଞ୍ଚପ୍ୟାଡ୍ କାର୍ଯ୍ୟକ୍ଷମ ଅଛି। ସେଭଳି ଅନ୍ୟ ଅଞ୍ଚଳରେ ୬୦ଟି ଲଞ୍ଚପ୍ୟାଡ୍ ସକ୍ରିୟ ଅଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଲଞ୍ଚପ୍ୟାଡ୍ ସ୍ଥାୟୀ ନୁହେଁ ଏବଂ ସାଧାରଣତଃ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବା ପୂର୍ବରୁ ସକ୍ରିୟ ରହିତାନ୍ତି। ବର୍ତ୍ତମାନ ସୀମା ନିକଟରେ କୌଣସି ତାଲିମ ଶିବିର ନାହିଁ। ଡିଆଇଜି କୁନୱାର କହିଛନ୍ତି ପୂର୍ବରୁ, ଜେଇଏମ୍ ଏବଂ ଏଲ୍ଇଟି ସଦସ୍ୟମାନେ ପୃଥକ ପୃଥକ ଅଞ୍ଚଳରେ କାର୍ଯ୍ୟ କରୁଥିଲେ, କିନ୍ତୁ ‘ଅପରେସନ୍ ସିନ୍ଦୁର’ ପରଠାରୁ, ଆତଙ୍କବାଦୀଙ୍କୁ ଏକାଠି ତାଲିମ ଦିଆଯାଉଛି। ଏହା ଦ୍ବାରା ଯେ କୌଣସି ଗୋଷ୍ଠୀକୁ ମିଳିତ ଭାବରେ ଟ୍ରେନିଂ ନେବାର ସୁବିଧା ମିଳିପାରୁଛି।

ଆଇଜି ଜମ୍ମୁ ଫ୍ରଣ୍ଟିୟର ଶଶାଙ୍କ ଆନନ୍ଦ କହିଛନ୍ତି , ଯଦି ସରକାର ‘ଅପରେସନ ସିନ୍ଦୂର’ ପୁଣି ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଅନ୍ତି, ତେବେ ବିଏସଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିଏସଏଫ ୧୯୬୫, ୧୯୭୧, ୧୯୯୯ କାର୍ଗିଲ ଏବଂ ‘ଅପରେସନ ସିନ୍ଦୂର’ ସମେତ ବିଭିନ୍ନ ଯୁଦ୍ଧରେ ଅଭିଜ୍ଞତା ହାସଲ କରିଛି ଏବଂ ଆବଶ୍ୟକ ହେଲେ ଶତ୍ରୁକୁ ଅଧିକ କ୍ଷତି ପହଞ୍ଚାଇପାରିବ।