ନୂଆଦିଲ୍ଲୀ: ପାକିସ୍ତାନର ସିନ୍ଧ ପ୍ରଦେଶ ହାଇଦ୍ରାବାଦ ସହରର ଏକ ଐତିହାସିକ ମନ୍ଦିରର ଛଅ ଏକର ଜମି ଉପରେ ବେଆଇନ ଦଖଲକୁ ନେଇ ବିରୋଧ କରିଛନ୍ତି ହିନ୍ଦୁ ସମ୍ପ୍ରଦାୟ । ଏହାକୁ ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇଛନ୍ତି ହିନ୍ଦୁ ସମ୍ପ୍ରଦାୟର ସଦସ୍ୟ ମାନେ। କରାଚୀରୁ ପ୍ରାୟ ୧୮୫ କିଲୋମିଟର ଦୂର ମୁସା ଖତିଆନ୍ ଜିଲ୍ଲାର ତାଣ୍ଡୋ ଜାମ୍ ସହରରେ ରବିବାର ଏହି ପ୍ରତିବାଦ କରାଯାଇଥିଲା।
ଏନେଇ ହିନ୍ଦୁ ସମ୍ପ୍ରଦାୟ ନେତା ସୀତାଲ ମେଘୱାର କହିଛନ୍ତି, "ଏହି ଲୋକ ମାନେ ମୁସା ଖତିଆନ୍ରେ ଶିବ ମନ୍ଦିର ଶିବଲାର ଜମିରେ ବେଆଇନ ନିର୍ମାଣ ଆରମ୍ଭ କରିସାରିଛନ୍ତି।" ହିନ୍ଦୁ ସମ୍ପ୍ରଦାୟର କଲ୍ୟାଣ ଏବଂ ଅଧିକାର ପାଇଁ ଲଢ଼ୁଥିବା ପାକିସ୍ତାନ ଦଳିତ ଇତ୍ତେହାଦ-ପାକିସ୍ତାନ ଦ୍ରାବିଡ ଗଠବନ୍ଧନ (ପିଡିଆଇ)ର ଡାକରାରେ ମହିଳା ଏବଂ ପିଲାମାନଙ୍କ ସମେତ ପ୍ରତିବାଦକାରୀ ମାନେ ବାହାରି ଏହି ପ୍ରତିବାଦ କରୁଛନ୍ତି ।
ଅନ୍ୟ ଏକ ସମ୍ପ୍ରଦାୟ ନେତା ରାମ ସୁନ୍ଦର କହିଛନ୍ତି, "ମନ୍ଦିର ଆମ ପାଇଁ ପବିତ୍ର ଏବଂ ଏହି ନିର୍ମାଣକାରୀ ମାନେ ସମ୍ପ୍ରଦାୟର ଶ୍ମଶାନ ଭୂମି ସମେତ ମନ୍ଦିର ଚାରିପାଖରେ ନିର୍ମାଣ ଆରମ୍ଭ କରିଛନ୍ତି।" ପ୍ରତିବାଦକାରୀ ମାନେ ସିନ୍ଧର ପ୍ରଭାବଶାଳୀ କାଶଖେଲି ସମ୍ପ୍ରଦାୟର ନିର୍ମାଣକାରୀଙ୍କ ବିରୁଦ୍ଧରେ ସରକାରଙ୍କ ଠାରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଶହରର ବିଭିନ୍ନ ସ୍ଥାନରେ ଧାରଣା ଦେବା ପରେ, ଟାଣ୍ଡୋ ଜାମ୍ ପ୍ରେସ୍ କ୍ଲବ୍ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା। ପ୍ରତିବାଦକାରୀ ମାନେ କହିଛନ୍ତି ଯେ, ବିଲଡର୍ ଶିବ ମନ୍ଦିରକୁ ପ୍ରବେଶ ରାସ୍ତାଗୁଡ଼ିକୁ ମଧ୍ୟ ବନ୍ଦ କରିଦେଇଛନ୍ତି, ଯାହା ଫଳରେ ସମ୍ପ୍ରଦାୟର ସଦସ୍ୟ ମାନେ ସାପ୍ତାହିକ ପୂଜା କରିବା କଷ୍ଟକର ହୋଇପଡିଛି। ପିଡିଆଇ ମୁଖ୍ୟ ଶିବ କାଚି କହିଛନ୍ତି, "ପୋଲିସ୍ ଏବଂ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ ଦେବା ସତ୍ତ୍ୱେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଜମି ହଡ଼ପକାରୀଙ୍କ ରାଜନୈତିକ ପ୍ରଭାବ ଯୋଗୁଁ ପୋଲିସ ଜବରଦଖଲ ହଟାଇବାକୁ ପ୍ରସ୍ତୁତ ନୁହେଁ।"
ସେ ଚେତାବନୀ ଦେଇଛନ୍ତି ଯେ ଯଦି ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ଏଥିରେ ଧ୍ୟାନ ନ ଦିଅନ୍ତି, ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ସେମାନେ ହାଇଦ୍ରାବାଦ ସହରରେ ପ୍ରତିବାଦ କରିବେ ଏବଂ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହେବେ।