ନୂଆଦିଲ୍ଲୀ,୨୫/୦୧: ବାଂଲାଦେଶକୁ ଆଇସିସି ବିଶ୍ୱକପ୍ରୁ ଆଉଟ୍ କରିବା ପରେ ପାକିସ୍ତାନ ଅସନ୍ତୁଷ୍ଟ ଥିଲା । ସେ ନିଜେ ବିଶ୍ୱକପରୁ ଓହରିବ ବୋଲି କହିଆସୁଥିଲା । ବହିଷ୍କାର ଧମକ ଭିତରେ ବିଶ୍ୱକପ ଟିମ୍ ଘୋଷଣା କରିଛି ପାକିସ୍ତାନ କ୍ରିକେଟ ବୋର୍ଡ । ଭାରତ ଓ ଶ୍ରୀଲଙ୍କାରେ ହେବାକୁ ଥିବା ଏହି ପ୍ରତିଯୋଗିତାରୁ ଓହରିବାର ଧମକ ଦେଉଥିଲା । ହେଲେ ଶେଷରେ ଏଥିରେ ମୁଣ୍ଡ ନୁଆଁଇ ବିଶ୍ୱକପ୍ ଲାଗି ରବିବାର ୧୫ ଜଣିଆ ଦଳ ଘୋଷଣା କରିଛି ପାକିସ୍ତାନ । ୨୦୦୯ର ଏହି ବିଜେତା ଦଳର ନେତୃତ୍ୱ ଭାର ସଲ୍ମାନ ଅଲୀ ଆଘାଙ୍କୁ ମିଳିଛି ।
ଦଳରେ ଦୁଇ ତାରକା ଖେଳାଳି ହାରିସ ରୌଫ୍ ଓ ମହମ୍ମଦ ରିଜୱାନଙ୍କୁ ସ୍ଥାନ ମିଳିନାହିଁ । ଖରାପ ପ୍ରଦର୍ସନ ସତ୍ତ୍ୱେ ବାବର ଆଜମଙ୍କୁ ଟିମ୍ରେ ସାମିଲ କରାଯାଇଛି । ରୌଫ୍ଙ୍କ ଅନୁପସ୍ଥିତିରେ ସାହିନ ଶାହ ଆଫ୍ରିଦି ଓ ନସୀମ ଶାହ ଦ୍ରୁତ ବୋଲିଂ ଭାର ସମ୍ଭାଳିବେ । ପାକିସ୍ତାନ ଗ୍ରୁପ୍-ଏ’ରେ ବିଜେତା ଭାରତ, ଆମେରିକା, ନେଦରଲାଣ୍ଡ୍ସ, ନାମିବ୍ୟା ସହ ରହିଛି । ହେଲେ ଏହି ଦଳ ଭାରତ ଗସ୍ତ ନକରି କଲମ୍ବୋରେ ସମସ୍ତ ମ୍ୟାଚ୍ ଖେଳିବ । ପାକିସ୍ତାନ ଫେବ୍ରୁଆରି ୭ରେ ନେଦରଲାଣ୍ଡ୍ସ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ । ଏହା ପରେ ୧୦ରେ ଆମେରିକା, ୧୫ରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ବିପକ୍ଷରେ ଖେଳିବ । ୧୮ରେ ନାମିବ୍ୟା ସହ ଗ୍ରୁପ୍ ମ୍ୟାଚ୍ ଖେଳିବ ।
Pakistan bring back seasoned stars for the #T20WorldCup 🙌
— ICC (@ICC) January 25, 2026
Squad details 👇https://t.co/nYJElrUaue
ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୬ରେ ମୋଟ୍ ୨୦ଟି ଦଳ ଭାଗ ନେବେ । ପ୍ରତି ଟିମ୍ ୪ଟି ଲେଖାଏଁ ଗ୍ରୁପ ମ୍ୟାଚ ଖେଳିବ । ଏହାପରେ ସୁପର-୮ ଏବଂ ନକଆଉଟ ପର୍ଯ୍ୟାୟ ହେବ । ଆଉ ହାତ ଗଣତି ଦିନ । ଫେବୃଆରୀ ୭ରୁ ମାର୍ଚ୍ଚ ୮ଯାଏ ଚାଲିବ ମେଗା ଟୁର୍ଣ୍ଣାମେଣ୍ଟ ।
ପାକିସ୍ତାନ ଦଳ: ସଲମାନ ଅଲୀ ଆଘା (ଅଧିନାୟକ), ଆବ୍ରାର ଅହମଦ, ବାବର ଆଜମ, ଫହିମ ଅଶ୍ରଫ, ଫକର୍ ଜାମନ୍, ଖୱାଜା ମହମ୍ମଦ ନାଫେ (ୱିକେଟ୍କିପର), ମହମ୍ମଦ ନୱାଜ, ମହମ୍ମଦ ସଲମାନ ମିର୍ଜା, ନସୀମ ଶାହ, ସାହିବଜାଦା ଫର୍ହାନ (ୱିକେଟ୍କିପର), ସୈମ ଆୟୁବ, ଶାହିନ ଶାହ ଆଫ୍ରିଦି, ସଦାବ ଖାନ, ଉସ୍ମାନ୍ ଖାନ୍, ଉସ୍ମାନ୍ ତାରିକ