ନୂଆଦିଲ୍ଲୀ: ଭାରତ ସରକାର ସିନ୍ଧୁ ଜଳ ଚୁକ୍ତି(ଆଇଡବ୍ଲୁଟି) ସ୍ଥଗିତ ରଖିବା ନିଷ୍ପତ୍ତିକୁ ଜାରି ରଖିଛନ୍ତି। ଗତ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିକ୍ରିୟା ସ୍ୱରୂପ ଭାରତ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ। ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ପାକିସ୍ତାନର ସୀମାପାର ଆତଙ୍କବାଦକୁ ସମର୍ଥନ କରୁଥିବା ଅଭିଯୋଗକୁ କାରଣ କରିଛି।
୧୯୬୦ ମିସହାରେ ବିଶ୍ୱ ବ୍ୟାଙ୍କ ଦ୍ୱାରା ମଧ୍ୟସ୍ଥତା କରାଯାଇ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ କରାଯାଇଥିଲା। ଏହି ଚୁକ୍ତି ଅମୁଯାୟୀ ଭାରତ ପୂର୍ବୀୟ ନଦୀଗୁଡ଼ିକ (ରାଭି, ବିୟାସ ଏବଂ ସତଲେଜ) ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ରଖିଥାଏ। ଯେତେବେଳେ ପଶ୍ଚିମୀୟ ନଦୀଗୁଡ଼ିକ (ସିନ୍ଧୁ, ଝେଲମ ଏବଂ ଚେନାବ) ପାକିସ୍ତାନକୁ ବ୍ୟବହାର ପାଇଁ ବଣ୍ଟନ କରାଯାଇଛି। ଦେଖିବାକୁ ଗଲେ, ପାକିସ୍ତାନର ପ୍ରାୟ ୮୦% ଜଳସେଚିତ କୃଷିଭୂମି ଏବଂ ୨୫% ଜିଡିପି ସିନ୍ଧୁ ନଦୀ ବ୍ୟବସ୍ଥା ଉପରେ ନିର୍ଭର କରି।
ଭାରତର ଏହି ସ୍ଥଗିତାଦେଶକୁ ପାକିସ୍ତାନ "ଜଳ ଯୁଦ୍ଧ" ବୋଲି ଅଭିହିତ କରି ଏହାକୁ ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ବୋଲି ଦାବି କରିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନେତୃତ୍ୱରେ ଜାତୀୟ ସୁରକ୍ଷା କମିଟି (ଏନଏସସି) ଏହି ନିଷ୍ପତ୍ତିକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବାକୁ ଘୋଷଣା କରିଛି। ଯେଉଁଥିରେ ବିଶ୍ୱ ବ୍ୟାଙ୍କ ଏବଂ ଆନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ମାଧ୍ୟମରେ ମାମଲା ରୁଜୁ କରାଯାଇପାରେ। ପାକିସ୍ତାନର ଅର୍ଥମନ୍ତ୍ରୀ ମହମ୍ମଦ ଔରଙ୍ଗଜେବ ରଏଟର୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏହି ସ୍ଥଗିତର ତୁରନ୍ତ ପ୍ରଭାବ ପଡିବ ନାହିଁ। କିନ୍ତୁ ସେ ଚୁକ୍ତିକୁ ପୁନଃସ୍ଥାପନ କରିବାକୁ ଆଶା ରଖିଛନ୍ତି।
ଭାରତର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି, "ପାକିସ୍ତାନ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ବିଶ୍ୱସନୀୟ ଏବଂ ଅପରିବର୍ତ୍ତନୀୟ ଭାବେ ତ୍ୟାଗ ନକରେ, ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ।" ଭାରତର ଏହି ଅବସ୍ଥାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମର୍ଥନ କରିଛନ୍ତି। ଏହି ପରିପ୍ରେକ୍ଷିରେ ପିଏମ ମୋଦି କହିଛନ୍ତି ଯେ, "ଜଳ ଏବଂ ରକ୍ତ ଏକାଠି ପ୍ରବାହିତ ହୋଇପାରିବ ନାହିଁ।"
ବିଶେଷଜ୍ଞମାନେ କହୁଛନ୍ତି ଯେ, ଭାରତର ବର୍ତ୍ତମାନର ଜଳ ଭିତ୍ତିଭୂମି ସୀମିତ ହେତୁ ତୁରନ୍ତ ପାକିସ୍ତାନକୁ ଜଳ ପ୍ରବାହ ବନ୍ଦ କରିବା ସମ୍ଭବ ନୁହେଁ। ତଥାପି, ଚୁକ୍ତି ସ୍ଥଗିତ ହେବା ଦ୍ୱାରା ଭାରତ ପଶ୍ଚିମୀୟ ନଦୀଗୁଡ଼ିକରେ ଜଳସଞ୍ଚୟ ଏବଂ ଡାଇଭର୍ସନ ପ୍ରକଳ୍ପ ନିର୍ମାଣ କରିବାରେ ଅଧିକ ସ୍ୱାଧୀନତା ପାଇଛି। ଯାହା ଦୀର୍ଘମିଆଦିରେ ପାକିସ୍ତାନର କୃଷି ଓ ଶକ୍ତି କ୍ଷେତ୍ର ଉପରେ ଗୁରୁତର ପ୍ରଭାବ ପକାଇପାରେ।
ପାକିସ୍ତାନ ଏହି ସ୍ଥଗିତକୁ ଆନ୍ତର୍ଜାତୀୟ ମଞ୍ଚରେ ଉଠାଇବାକୁ ପ୍ରସ୍ତୁତ ହେଉଛି। କିନ୍ତୁ ଭାରତ ଦାବି କରୁଛି ଯେ, ଆତଙ୍କବାଦକୁ ସମର୍ଥନ କରୁଥିବା ଏକ ଦେଶ ଶାନ୍ତିକାଳୀନ ଚୁକ୍ତିର ଲାଭ ଆଶା କରିପାରିବ ନାହିଁ। ଏହି ପରିସ୍ଥିତି ଭାରତ-ପାକିସ୍ତାନ ସମ୍ପର୍କରେ ଏକ ନୂଆ ଉତ୍ତେଜନା ସୃଷ୍ଟି କରିଛି। ଯାହା ଆଗାମୀ ଦିନରେ ଆନ୍ତର୍ଜାତୀୟ କୂଟନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି।