ଦୁବାଇ,୨୫/୦୯: ଚଳିତ ଏସିଆ କପ୍‌ର  ସୁପର-୪ ରାଉଣ୍ଡ୍‌ରେ ଗୁରୁବାର ପାକିସ୍ତାନ ଓ  ବାଂଲାଦେଶ ସାମ୍ନା ସାମ୍ନି ହେବେ । ଏହି ମ୍ୟାଚର  ବିଜେତା ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବ ।  ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍‌ ବେଶ୍‌  ଗୁରୁତ୍ୱପୂର୍ଣ୍ଣ । ମୋଟ୍‌ ଉପରେ କହିବାକୁ ଗଲେ ଉଭୟ ଦଳ ପାଇଁ ଏହା ସେମି ଫାଇନାଲ୍‌ ମୁକାବିଲା ।

ସୁପର-୪ ରାଉଣ୍ଡ୍‌ରେ ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ଭାରତ ଠାରୁ ପରାଜିତ ହେବା  ପରେ ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇଛି । ବାଂଲାଦେଶ ମଧ୍ୟ ଶ୍ରୀଲଙ୍କାକୁ ପରାସ୍ତ କରିଛି। ପାକିସ୍ତାନ ଅପେକ୍ଷାକୃତ ଶକ୍ତିଶାଳୀ ମନେ ହେଉଥିଲେ ହେଁ ବାଂଲାଦେଶ ମଧ୍ୟ ବିଜୟ ଦାବିଦାର ।  ଗତ ଜୁଲାଇ ମାସରେ ଉଭୟ ଦଳ ମଧ୍ୟରେ ଏକ  ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳାଯାଇଥିଲା । ବାଂଲାଦେଶ ୨-୧ରେ ଉକ୍ତ ସିରିଜ ଜିତିଥିଲା ।  

ଅଧିନାୟକ ଲିଟନ ଦାସଙ୍କ ଅନୁପସ୍ଥିତି  ବାଂଲାଦେଶକୁ ପ୍ରଭାବିତ କରିବା ଏକ ପ୍ରକାର ନିଶ୍ଚିତ । ଲିଟନଙ୍କ ବିନା ବାଂଲାଦେଶର ବ୍ୟାଟିଂ  ବିଭାଗ ଦୁର୍ବଳ ମନେ ହେଉଛି । ସେ ଆହତ ହୋଇ ଭାରତ ବିପକ୍ଷ ଗତ ମ୍ୟାଚ୍‌ ଖେଳି ପାରିନଥିଲେ । ତାଙ୍କ ସ୍ଥାନରେ ଜାକର ଅଲି ନେତୃତ୍ୱ ନେଇଥିଲେ ।  ଗୁରୁବାର ମଧ୍ୟ ସେ ଦଳର ନେତୃତ୍ୱ ନେବେ ।  ପାକିସ୍ତାନ ଗତ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ  ସବୁ ବିଭାଗରେ ଉନ୍ନତ ପ୍ରଦର୍ଶନ କରିଥିଲା ।  ସହିନ ଆଫ୍ରିଦି ଓ ହ୍ୟାରିସ ରୌଫ ଫର୍ମକୁ ଫେରିବା  ଫଳରେ ଦଳ ଆସ୍ୱସ୍ତ ରହିଛି । ତଥାପି ସାଏମ  ଆୟୁବଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ ଚିନ୍ତାରେ  ପକାଇଛି । ସାହିବଜାଦା ଫରହାନଙ୍କ ବିସ୍ଫୋରକ  ବ୍ୟାଟିଂ ସାଙ୍ଗକୁ ହୁସେନ ତଲତ ଓ ଫହିମ ଅସ୍ରଫଙ୍କ  ଅଲରାଉଣ୍ଡ ଦକ୍ଷତା ପାକିସ୍ତାନକୁ ସନ୍ତୁଳିତ କରିଛି ।  

ଏହି ମ୍ୟାଚରେ ଟସ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ  କରିବ । ପାକିସ୍ତାନ ପ୍ରଥମେ ବୋଲିଂ କଲେ ସହିନ  ଆଫ୍ରିଦି ନୂଆ ବଲ୍‌ରେ ଘାତକ ସାବ୍ୟସ୍ତ ହେବେ ।  ବାଂଲାଦେଶର ସ୍ପିନ ବାହିନୀ ବେଶ୍‌ ଶକ୍ତିଶାଳୀ ।  ବିଶେଷ କରି ରିଶଦ ହୋସେନ ଓ ନସୁମ  ଅହମ୍ମଦ ବାଂଲାଦେଶର ଭାଗ୍ୟ ନିର୍ଦ୍ଧାରଣ କରିବେ ।  

ଦୁବାଇ ପିଚ୍‌ ମନ୍ଥର ହୋଇ ସାରିଛି ।  ଏଠାରେ ମଧ୍ୟ ଓଭରଗୁଡ଼ିକରେ ଦ୍ରୁତ ରନ ସଂଗ୍ରହ  ହେବା କଷ୍ଟକର । ସ୍ପିନରମାନେ ପିଚ୍‌ର ଭରପୁର ଫାଇଦା ଉଠାଇ ପାରିବେ । ତେଣୁ ଟସ୍‌ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦଳ

ପାକିସ୍ତାନ: ସାହିବଜାଦା ଫରହାନ, ଫଖାର ଜମାନ,  ସାଏମ ଆୟୁବ, ସଲମାନ ଆଘା(ଅଧିନାୟକ),  ହୁସେନ ତଲତ, ମହମ୍ମଦ ହାରିସ, ମହମ୍ମଦ  ନୱାଜ, ଫହିମ ଅସ୍ରଫ, ସହିନ ଶାହ ଆଫ୍ରିଦି,  ହ୍ୟାରିସ ରୌଫ, ଅବରାର ଅହମ୍ମଦ ।

ବାଂଲାଦେଶ: ସୈଫ ହାସାନ, ତନଜିଦ  ହାସାନ, ପରଭେଜ ହୋସେନ ଇମୋନ,  ତୋହିଦ ହୃଦୟ, ଶମିମ ହୋସେନ, ଜାକର  ଅଲି(ଅଧିନାୟକ), ରିଶଦ ହୋସେନ,  ନସୁମ ଅହମ୍ମଦ, ତନଜିଦ ହାସାନ ସାକିବ,  ମହମ୍ମଦ ସୈଫୁଦ୍ଦିନ, ମୁସ୍ତାଫିଜୁର ରେହମାନ ।