ନୂଆଦିଲ୍ଲୀ,୨୫/୧୧; ପୁଣି ଆଫଗାନିସ୍ତାନରେ ଧ୍ୱଂସଲୀଳା ରଚିଛି ପାକିସ୍ତାନ । ସୋମବାର ବିଳମ୍ବିତ ରାତିରେ ଯେବେ ଶୋଇଥିଲା ଆଫଗାନିସ୍ଥାନ । ଅନ୍ଧାରୁଆ ଏୟାରଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଟିଟିପି ଠିକଣାକୁ ଟାର୍ଗେଟ କରାଯାଇଛି । ଆଫଗାନିସ୍ତାନର ୩ ସ୍ଥାନରେ ପାକ୍ ବିମାନ ଆକ୍ରମଣ କରିଛି । ଏଥିରେ ୯ ଜଣ ଶିଶୁଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଆକ୍ରମଣକୁ ନିନ୍ଦା କରିଛି ତାଲିବାମ । କଡ଼ା ଜବାବ ଦିଆଯିବ ବୋଲି କହିଛି ଜବୀହୁଲ୍ଲାହ ମୁଜିହାଦ ।
ରିପୋର୍ଟ ଅନୁସାରେ, ପାକିସ୍ତାନୀ ସେନା ଆପାଗାନିସ୍ତାନର ଖୋସ୍ତ ପ୍ରାନ୍ତରେ ଭୟଙ୍କର ଆକ୍ରମଣ କରିଛି । ରାତି ୧୨ଟାରେ ହୋଇଥିବା ଆକ୍ରମଣରେ ୯ ଶିଶୁଙ୍କ ସମେତ ଜଣେ ମହିଳା ପ୍ରାଣ ହରାଇଛନ୍ତି । ତାଲିବାନ ଏନେଇ ସ୍ପଷ୍ଟ କରିଛି । ତାଲିବାନ ସରକାରଙ୍କ ମୁଖପାତ୍ର ଜବୀହୁଲ୍ଲାହ ମୁଜିହାଦ ପାକିସ୍ତାନର ଆକ୍ରମଣକୁ ନିନ୍ଦା କରିବା ସହ ଜବାବ ଦିଆଯିବ ବୋଲି ଧମକ ଦେଇଛନ୍ତି ।
ତାଲିବାନ କହିଛି ଯେ, ଖୋସ୍ତ ପ୍ରାନ୍ତ ବ୍ୟତୀତ ପକ୍ତିକା ପ୍ରାନ୍ତରେ ଏୟାରଷ୍ଟ୍ରାଇକ୍ ହୋଇଛି । ସିରିଏଲ ଆଟାକରେ ଅନେକ ନାଗରିକଙ୍କ ଘର ଧ୍ୱଂସ ହୋଇଯାଇଛି । ସେ ଘଟଣାର ଅନେକ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ଘରର ଭଗ୍ନାଂଶ ଏବଂ ଶିଶୁଙ୍କ ମୃତଦେହ ଦେଖିବାକୁ ମିଳିଛି । ଘଟଣାକୁ ନେଇ ପାକିସ୍ତାନ ଏବଂ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରାଳୟ ବିଧିବଦ୍ଧଭାବେ କୌଣସି ବୟାନ ଦେଇ ନାହାଁନ୍ତି । ତେବେ ଆକ୍ରମଣ ସେହି ସମୟରେ ହୋଇଛି ଯେତେବେଳେ ପାକିସ୍ତାନ ପେଶାଓ୍ୱାରରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୬ ଜଣ କମାଣ୍ଡୋ ପ୍ରାଣ ହରାଇଥିଲେ । ଏଥିପାଇଁ ପାକ୍ ସରକାର ଆଫଗାନିସ୍ତାନକୁ ଦାୟୀ କରିଥିଲେ ।
ସୂଚନାଯୋଗ୍ୟ, ଦୀର୍ଘଦିନ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖରାପ ରହିଛି । ଅକ୍ଟୋବରରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଅନେକ ମୃତାହତ ହୋଇଥିବା ଖବର ଆସିଥିଲା । ଏବେ ପାକିସ୍ତାନର ଏୟାରଷ୍ଟ୍ରାଇକ ପରେ ଆଫଗାନିସ୍ତାନ ବଡ ପଦକ୍ଷେପ ନେବ ବୋଲି ଆଶଙ୍କା କରାଯାଉଛି ।