ନୂଆଦିଲ୍ଲୀ,୦୮/୦୮: ପାକିସ୍ତାନୀ କ୍ରିକେଟର ହାଇଦର ଅଲ୍ଲୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଏନେଇ ତାଙ୍କୁ ଇଂଲଣ୍ଡର ଗ୍ରେଟର ମାଞ୍ଚେଷ୍ଟର ପୁଲିସ ଗିରଫ କରିଛି । ଏଥିସହ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ କ୍ରିକେଟରଙ୍କ ପାସପୋର୍ଟ ମଧ୍ୟ ଜବତ କରାଯାଇଛି। ଅନ୍ୟପଟେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ତାଙ୍କୁ ନିଲମ୍ବିତ କରିଛି।
ଏନେଇ ପିସିବିର ଜଣେ ମୁଖପାତ୍ର କହିଛନ୍ତି, “ଆମେ ଏହି ମାମଲା ଏବଂ ତଦନ୍ତ ବିଷୟରେ ଅବଗତ ହୋଇଛୁ। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ହାଇଦରଙ୍କୁ ନିଲମ୍ବନ କରାଯାଇଛି ଏବଂ ଆମେ ଇଂଲଣ୍ଡରେ ନିଜସ୍ୱ ତଦନ୍ତ କରିବୁ।”ତେବେ ପାକିସ୍ତାନ କ୍ରିକେଟ ଟିମରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୪ ବର୍ଷୀୟ ହାଇଦର ଅଲୀଙ୍କ ବିରୋଧରେ ପୁଲିସ ଅଗଷ୍ଟ ୪ରେ ଏକ ଅଭିଯୋଗ ପାଇଥିଲା। ସେହି ଦିନ ଦୁଷ୍କର୍ମର ଅଭିଯୋଗ ପାଇବା ପରେ, ସେଠାକାର ପୁଲିସ ତାଙ୍କୁ ଗିରଫ କରିଥିବା କହିଛି । ହାଇଦରଙ୍କ କ୍ରିକେଟ୍ କ୍ୟାରିୟର କଥା କହିବାକୁ ଗଲେ, ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ୨ଟି ଦିନିକିଆ ଏବଂ ୩୫ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତାଙ୍କର ଟି୨୦ରେ ୧୨୪ ଷ୍ଟ୍ରାଇକ୍ ରେଟରେ ୫୦୫ ରନ୍ ଅଛି, ଯେଉଁଥିରେ ୩ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ହାଇଦର ୨୦୨୩ ମସିହାରେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ପ୍ରକାଶ ଥାଉକି, ପାକିସ୍ତାନ କ୍ରିକେଟରେ ଏହା ପୂର୍ବରୁ ମଧ୍ୟ ଖେଳାଳିଙ୍କ ଅସଦାଚରଣ ଘଟଣା ଘଟିଛି। ୨୦୧୦ରେ ଇଂଲଣ୍ଡ ଗସ୍ତ ସମୟରେ ପାକିସ୍ତାନର ତତ୍କାଳୀନ ଟେଷ୍ଟ ଅଧିନାୟକ ସଲମାନ ବଟ୍ଟ, ମହମ୍ମଦ ଆମିର ଓ ମହମ୍ମଦ ଆସିଫଙ୍କୁ ସ୍ପଟ ଫିକ୍ସିଂ ଅଭିଯୋଗରେ ଗିରଫ କରାଯାଇ ପାଞ୍ଚ ବର୍ଷ ପାଇଁ ନିଷିଦ୍ଧ କରାଯାଇଥିଲା।