ନୂଆଦିଲ୍ଲୀ, ୨୭/୦୧ : ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ଘନଘଟା। ଆଫଗାନିସ୍ତାନକୁ ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ଵାଜା ଆସିଫ୍ ଙ୍କ ଖୋଲା ଧମକ। ସୋସିଆଲ ମିଡିଆରେ ଦେଲେ ଚେତାବନୀ। କହିଲେ ଆମ ଧୈର୍ଯ୍ୟର ବନ୍ଧବାଡ଼ ଭାଙ୍ଗିଛି। ଏବେ ଖୁଲମ ଖୁଲା ଯୁଦ୍ଧ ହେବ। ଦମା ଦମ୍ ମସ୍ତ କଲନ୍ଦର ହେବ। ପାକିସ୍ତାନୀ ସେନା ଦରିଆ ପାରିରୁ ଆସିନାହାଁନ୍ତି। ଆମେ ତୁମର ପଡୋଶୀ। ତୁମର ପ୍ରତି ଛୋଟ ବଡ଼ କଥା ଆମକୁ ଜଣା।
ଖ୍ଵାଜା ଆସିଫ୍ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ନାଟୋ ସେନା ପ୍ରତ୍ୟାହାର ପରେ, ଆଫଗାନିସ୍ତାନରେ ଶାନ୍ତି ଫେରିବ ଏବଂ ତାଲିବାନ ଆଫଗାନ ଲୋକଙ୍କ ସ୍ୱାର୍ଥ ଏବଂ ଅଞ୍ଚଳରେ ଶାନ୍ତି ଉପରେ ଧ୍ୟାନ ଦେବ ବୋଲି ଆଶା ଥିଲା। ହେଲେ ତାଲିବାନ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କୁ ଏକାଠି କରି ଆତଙ୍କବାଦ ରପ୍ତାନୀ କଲା। ଲୋକଙ୍କୁ ମାନବାଧିକାରରୁ ବଞ୍ଚିତ କଲା। ମହିଳାଙ୍କୁ ଇସଲାମ ଦ୍ଵାରା ଦିଆଯାଇଥିବା ଅଧିକାରକୁ ଛଡେଇ ନେଇଗଲା। ଭାରତର ମୋହରା ସାଜିଲା। ପାକିସ୍ତାନ ପଡୋଶୀ ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ପୂର୍ଣ୍ଣ ଚେଷ୍ଟା କରିଥିଲା। ହେଲେ ତାଲିବାନ ଭାରତର ପ୍ରତିନିଧି ସାଜିଲା। ପ୍ରଥମେ ପାକିସ୍ତାନର ଭୂମିକା ସକାରାତ୍ମକ ଥିଲା। ୫୦ ବର୍ଷ ହେଲା ପାକିସ୍ତାନ ୫୦ ଲକ୍ଷ ଆଫଗାନୀଙ୍କୁ ଶରଣ ଦେଇଥିଲା। ଆଜି ବି ଲକ୍ଷ ଲକ୍ଷ ଆଫଗାନୀ ପାକିସ୍ତାନରେ ରହି ଗୁଜୁରାଣ ମେଣ୍ଟାଉଛନ୍ତି। ହେଲେ ଆଫଗାନିସ୍ତାନ ଆକ୍ରମଣ କରି ଆମ ଧୈର୍ଯ୍ୟ ଭାଙ୍ଗିଛି। ଏବେ ଖୁଲମ ଖୁଲା ଯୁଦ୍ଧ ହେବ।
ସୂଚନା ଥାଉକି, ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି। ତାଲିବାନ ବିରୋଧରେ 'ଓପନ୍ ୱାର୍' ଘୋଷଣା କରିଛନ୍ତି ପାକ୍ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍ । ଆଫଗାନିସ୍ତାନ ଏୟାର ଷ୍ଟ୍ରାଇକ୍ କରିବା ପରେ ପାକିସ୍ତାନ ବୋମାମାଡ଼ କରିଛି । କାବୁଲ, ପାକତିଆ, କାନ୍ଦାହାରରେ ତାଲିବାନ ଠିକଣାରେ ଆକ୍ରମଣ ହୋଇଛି। ପାକିସ୍ତାନ ଆକ୍ରମଣକୁ ଆଫଗାନିସ୍ତାନ ସ୍ବୀକାର କରିଛି। ପାକିସ୍ତାନ 'ଅପରେସନ 'ଗଜାବ ଲିଲ ହକ୍' ସହିତ ପ୍ରତିଶୋଧ ନେଇଛି । ଏହି ଅପରେସନ୍ରେ ୧୩୩ ଆଫଗାନୀ ସେନାଙ୍କୁ ହତ୍ୟା କରିଥିବା ଦାବି କରିଛି ପାକିସ୍ତାନ । ସେପଟେ ଗତ ସପ୍ତାହରେ ହୋଇଥିବା ଆକ୍ରମଣର ପ୍ରତିଶୋଧ ନେଇ ୧୯ ଚେକ୍ପୋଷ୍ଟ କବ୍ଜା କରିବା ସହ ଆକ୍ରମଣରେ ୫୫ ପାକ୍ ସେନା ନିହତ ହୋଇଥିବା ଦାବି କରିଛି ଆଫଗାନ ।
ଏହି ଖବରଟିକୁ ପଢନ୍ତୁ- ପାକିସ୍ତାନ-ଆଫଗାନିସ୍ତାନ ଭୟଙ୍କର ଯୁଦ୍ଧ, ତାଲିବାନ ବିରୋଧରେ 'ଓପନ୍ ୱାର' ଘୋଷଣା କଲେ ପାକ୍ ପ୍ରତିରକ୍ଷା ମନ୍ତ୍ରୀ