ରାୱଲପିଣ୍ଡି: ପାକିସ୍ତାନରେ ମୌସୁମୀ ବର୍ଷା ଓ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ବିପର୍ଯ୍ୟୟରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ଏହି ବନ୍ୟା କଭରେଜ କରୁଥିବା ଜଣେ ସାମ୍ବାଦିକ ରାୱଲପିଣ୍ଡିର ଚାହାନ ଡ୍ୟାମ ନିକଟରେ ଲାଇଭ୍‌ ରିପୋର୍ଟିଂ ବେଳେ ପାଣିର ତୀବ୍ର ସ୍ରୋତରେ ଭାସିଯାଇଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପାକିସ୍ତାନରେ ଚାଲିଥିବା ବନ୍ୟାର ଭୟାବହତା ସହିତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଗଣମାଧ୍ୟମର ଦାୟିତ୍ୱ ଉପରେ ତୀବ୍ର ବିତର୍କ ସୃଷ୍ଟି କରିଛି।

ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ, ସାମ୍ବାଦିକ ଜଣଙ୍କ ବୁଡ଼ିବୁଡ଼ି ପାଣିରେ ଠିଆ ହୋଇ ମାଇକ୍ରୋଫୋନ ଧରି ରିପୋର୍ଟିଂ କରୁଛନ୍ତି। କିନ୍ତୁ ପାଣିର ସ୍ରୋତ ବୃଦ୍ଧି ପାଇବା ପରେ ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଦେଇଥିଲେ। ଯାହାଫଳରେ ସେ ପ୍ରଖର ପାଣି ସୁଅରେ ଭାସିଯାଇଥିଲେ। ଏହି ଭିଡିଓଟି ସୋସିଆଲ ମିଡିଆରେ ତୀବ୍ର ଆଲୋଡନ ସୃଷ୍ଟି କରିଛି। ଅନେକ ୟୁଜର୍ସ ସାମ୍ବାଦିକଙ୍କ ସାହସିକତାକୁ ପ୍ରଶଂସା କରିଛନ୍ତି ତ ଆଉ ଅନେକ ୟୁଜର୍ସ ଏଭଳି ବିପଜ୍ଜନକ ପରିସ୍ଥିତିରେ ରିପୋର୍ଟିଂ ପାଇଁ ମିଡିଆ ହାଉସଗୁଡ଼ିକର ଟିଆରପି ବଢ଼ାଇବା ଉଦ୍ଦେଶ୍ୟକୁ ଦାୟୀ କରିଛନ୍ତି।




ଆପଣଙ୍କୁ ଜଣାଇରଖୁ ଯେ, ପାକିସ୍ତାନରେ ଜୁନ ୨୬ ତାରିଖରୁ ଲଗାତାର ମୌସୁମୀ ବର୍ଷା ଓ ବନ୍ୟା ଯୋଗୁଁ ଅନ୍ତତଃ ୧୧୬ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ପଞ୍ଜାବ ପ୍ରଦେଶରେ ବର୍ଷା ଯୋଗୁଁ ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ପାକିସ୍ତାନ ନେସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନଡିଏମଏ) ରିପୋର୍ଟ କରିଛି। ପଞ୍ଜାବ, ଖୈବର ପାଖତନଖ୍ୱା ଓ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଓ ବନ୍ୟା ଯୋଗୁଁ ଘରସବୁ ଭାଙ୍ଗି ପଡ଼ିବା ସହ ରାସ୍ତାଘାଟ ଜଳମଗ୍ନ ହୋଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ମିଡିଆ ସୁରକ୍ଷା ଓ ଦାୟିତ୍ୱ ଉପରେ ଆଲୋଚନା ତୀବ୍ର ହୋଇଛି। ବିଭିନ୍ନ ଗଣମାଧ୍ୟମ ଓ ସାମ୍ବାଦିକ ସଂଘଗୁଡ଼ିକ ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ରିପୋର୍ଟିଂ ରୋକିବା ପାଇଁ କଡ଼ା ସୁରକ୍ଷା ନିୟମ ପ୍ରଣୟନ କରିବାକୁ ଦାବି କରିଛନ୍ତି। ପାକିସ୍ତାନ ସୈନ୍ୟ ବିଭାଗ ରାୱଲପିଣ୍ଡିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଛି। ଏନଡିଏମଏ ସତର୍କତା ଜାରି କରି ଲୋକଙ୍କୁ ନଦୀ ଓ ପାହାଡ଼ ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି।

ପାକିସ୍ତାନର ୨୫ କୋଟିରୁ ଅଧିକ ଜନସଂଖ୍ୟା ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଅଧିକ ପ୍ରଭାବିତ ଦେଶଗୁଡ଼ିକ ମଧ୍ୟରେ ରହିଛନ୍ତି। ୨୦୨୨ ମସିହାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଆସିଥିବା ବନ୍ୟାରେ ପାକିସ୍ତାନରେ ୧୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୩.୩ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ପାକିସ୍ତାନର ପୂର୍ବତନ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରୀ ରେହମାନ କହିଛନ୍ତି ଯେ, ଦେଶ ଏକ ବିଶ୍ୱବ୍ୟାପୀ ଜଳବାୟୁ ସଙ୍କଟର କେନ୍ଦ୍ରବିନ୍ଦୁରେ ରହିଛି, କିନ୍ତୁ ଏହାର ପ୍ରସ୍ତୁତି ଓ ସୁରକ୍ଷା ପାଇଁ ଯଥେଷ୍ଟ ପଦକ୍ଷେପ ନିଆଯାଉନାହିଁ। ତେବେ ଭାସିଯାଇଥିବା ସାମ୍ୱାଦିକ ଜଣଙ୍କୁ ଉଦ୍ଧାର କରାଯାଇଛି କି ନାହିଁ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ।