ନୂଆଦିଲ୍ଲୀ,୧୮/୦୮: 'ଅପରେସନ୍ ସିନ୍ଦୂର'ରେ ଭାରତୀୟ ସେନା ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିଲା । ଏଥିରେ ଶହେରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ । ଏହି ଅପରେସନକୁ ନେଇ ଏବେ ବଡ଼ ଖୁଲାସା ହୋଇଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ'ର ଏକ ରିପୋର୍ଟ ଅନୁଯାୟୀ, 'ଅପରେସନ ସିନ୍ଦୂର' ସମୟରେ ପାକିସ୍ତାନୀ ନୌସେନା ନିଜ ଯୁଦ୍ଧଜାହାଜକୁ ଲୁଚାଇ ରଖିଥିଲା । ଭାରତୀୟ କ୍ଷେପଣାସ୍ତ୍ର ମାଡ଼ ଏତେ ଘାତକ ଥିଲା ଯେ, ଭୟରେ ପାକ୍ ୱାରସିପ୍ଗୁଡିକୁ ଇରାନ ସୀମାରେ ଆଶ୍ରୟ ନେବାକୁ ପଡ଼ିଲା । ଏହି ସମ୍ପର୍କରେ ଏବେ ସାଟେଲାଇଟ୍ ଚିତ୍ର ତଥ୍ୟ ସାମ୍ନାକୁ ଆସିଛି ।
ଆମେରିକୀୟ ମହାକାଶ ପ୍ରଯୁକ୍ତି କମ୍ପାନୀ ମ୍ୟାକ୍ସାର 'ଅପରେସନ୍ ସିନ୍ଦୂର' ସମୟର ଏକ ଫଟୋ ଜାରି କରିଛି। ଏଥିରେ ଦର୍ଶାଯାଇଛି ଯେ, ପାକିସ୍ତାନୀ ନୌସେନା ତାର ଯୁଦ୍ଧତୋପକୁ କରାଚୀର ନୌସେନା ଡକ୍ୟାର୍ଡ ହଟାଇ ବାଣିଜ୍ୟିକ ଟର୍ମିନାଲକୁ ସ୍ଥାନାନ୍ତର କରିଥିଲା । ପାକ୍ ନୌସେନା ନିଜ ଯୁଦ୍ଧଜାହାଜଗୁଡ଼ିକୁ ଇରାନ ସୀମା ନିକଟରେ ଥିବା ପଶ୍ଚିମ ଗ୍ବାଦର ବନ୍ଦରକୁ ସ୍ଥାନାନ୍ତର କରିଥିଲା । ଯାହା ଇରାନ ନିକଟରତର । ଭାରତୀୟ ସେନା ମେ' ୬ ଏବଂ ୭ ତାରିଖ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହା ପରେ, ପାକ୍ ସେନା ଭାରତୀୟ ସୀମାକୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ସଫଳ ହୋଇପାରିଲା ନାହିଁ । ଭାରତର ମିସାଇଲ ମାଡରେ ପାକିସ୍ତାନ ଆତଙ୍କିତ ହୋଇଯାଇଥିଲା । ଭୟରେ ନୌସେନାର ଯୁଦ୍ଧଜାହାଜକୁ ଲୁଚାଇ ରଖିଥିଲା ।
'ଅପରେସନ ସିନ୍ଦୁର' ସମୟରେ ନିଆଯାଇଥିବା ଫଟୋକୁ ନେଇ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ- ଭାରତ ମାଡରେ ପାକିସ୍ତାନ ଆଣ୍ଠୁମାଡ଼ି ପଡିଥିଲା । ଶେଷରେ ଯୁଦ୍ଧବିରତି ପାଇଁ ନିବେଦନ କରିଥିଲା । ରିପୋର୍ଟ ଅନୁଯାୟୀ, ସାମରିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ସାଟେଲାଇଟ୍ ଫଟୋ ଦର୍ଶାଉଛି ଯେ ପାକିସ୍ତାନର ସାମରିକ ପ୍ରସ୍ତୁତିରେ ଅଭାବ ଥିଲା । ଜଣେ ପ୍ରତିରକ୍ଷା ବିଶ୍ଳେଷକ କହିଛନ୍ତି, ଏହା ପାକିସ୍ତାନର ପରାଜୟକୁ ଦର୍ଶାଉଛି, ତାକୁ ଇରାନ ସୀମାରେ ଆଶ୍ରୟ ନେବାକୁ ପଡିଥିଲା ।
କହି ରଖୁଛୁ ଯେ, ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେବାକୁ 'ଅପରେସନ ସିନ୍ଦୁର' ଲଞ୍ଚ ହୋଇଥିଲା । ପିଓକେ ଓ ପାକିସ୍ତାନର ୯ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଥିଲା ଭାରତୀୟ ସେନା । ୧୦୦ ଆତଙ୍କୀ ନିହତ ହୋଇଥିଲେ । 'ସିନ୍ଦୂର' ମାଡ ପରେ ବି ଆତଙ୍କବାଦୀମାନେ ଅନେକ ଥର ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଭାରତୀୟ ସେନା ସେମାନଙ୍କ ପ୍ରୟାସକୁ ବିଫଳ କରିଛି । ଅନେକ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା ।