ନୂଆଦିଲ୍ଲୀ: ପାହାଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଭାରତ ପାକିସ୍ତାନୀ ବିମାନ ଚଳାଚଳ ପାଇଁ ନିଜର ଆକାଶସୀମା ବନ୍ଦ କରିଦେଇଛି। ଏହି ନିଷେଧାଜ୍ଞା ଏପ୍ରିଲ ୩୦ ତାରିଖରୁ ଜାରି କରାଯାଇଛି। ତେବେ ଏହାର ପ୍ରଭାବ ପାକିସ୍ତାନ ବିମାନ ଚଳାଚଳ ଶିଳ୍ପ ଉପରେ କ’ଣ ସତରେ ପଡିବ?
ଭାରତର ଏହି ନିଷେଧାଜ୍ଞା ଅଣ୍ଚା ଭାଙ୍ଗି ପଡିଥିବା ପାକିସ୍ତାନର ବିମାନ ଚଳାଚଳ ଶିଳ୍ପ ଉପରେ ବେଡା ଉପରେ କୋରଡା ମାଡ ସଦୃଶ ହୋଇଛି। କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନର ବିମାନ ଶିଳ୍ପ ବର୍ତ୍ତମାନ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି। ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA) ହେଉଛି ଦେଶର ଏକମାତ୍ର ରାଷ୍ଟ୍ରୀୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା। ଏହି ସଂସ୍ଥା ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ପରିସ୍ଥିତି ଏତେ ଖରାପ ଯେ ପାକିସ୍ତାନ ସରକାର ପିଆଇଏକୁ ବିକ୍ରି କରିବାକୁ ଚିନ୍ତା କରୁଛନ୍ତି।
ଉତ୍କଟ ଆର୍ଥିକ ଅନଟନ ଭିତରେ ଚାଲୁଥିବା ପିଆଇଏକୁ ନିଷେଧାଜ୍ଞାର ପ୍ରଭାବ ଏତେଟା ଅନୁଭୂତ ହେବ ନାହିଁ। କାରଣ ପିଆଇଏ ନିକଟରେ ଆନ୍ତର୍ଜାତିକ ଉଡାଣ ଭରିବା ପାଇଁ ପର୍ଯ୍ୟାପ୍ତ ବିମାନ ଉପଲବ୍ଧ ନାହିଁ। ତାଛଡା ଭାରତର ପାଲଟା କର୍ଯ୍ୟାନୁଷ୍ଠାନ ଭୟରେ ପିଆଇଏ ଗତ ଏପ୍ରିଲ ୨୨ ତାରିଖରୁ ହିଁ ଭାରତୀୟ ଆକାଶସୀମା ଏଡ଼ାଇ ଚାଇନା ମାଧ୍ୟମରେ ମାଲେସିଆକୁ ଉଡ଼ାଣ ଆରମ୍ଭ କରିଦେଇଥିଲା। ଏହି ନୂଆ ରୁଟ୍ ପୂର୍ବ ଅପେକ୍ଷା ପ୍ରାୟ ୩ ଘଣ୍ଟା ଅଧିକ ସମୟ ନେଉଛି। ଯାହା ଅତିରିକ୍ତ ଇନ୍ଧନ ଖର୍ଚ୍ଚ ଏବଂ ଅପରେସନାଲ ଖର୍ଚ୍ଚକୁ ବୃଦ୍ଧି କରିଛି।
ଏପ୍ରିଲ ୨୨ ତାରିଖ ୨୦୨୫ ମସିହାରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ପାକିସ୍ତାନ ସମର୍ଥିତ ଆତଙ୍କୀଙ୍କ ହାତ ଥିବାରୁ ଭାରତ ପାକିସ୍ତାନକୁ ଦାୟୀ କରିଛି। ଏହାର ପ୍ରତିଶୋଧ ସ୍ୱରୂପ, ଭାରତ ଏପ୍ରିଲ ୩୦ ତାରିଖରୁ ମଇ ୨୩ ତାରିଖ ପର୍ଯ୍ୟନ୍ତ ପାକିସ୍ତାନୀ ବିମାନ ଏବଂ ସାମରିକ ବିମାନ ପାଇଁ ନିଜ ଆକାଶସୀମା ବନ୍ଦ କରିଦେଇଛି। ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ଭାରତୀୟ ବିମାନ ପାଇଁ ନିଜର ଆକାଶସୀମା ବନ୍ଦ କରିଥିଲା। ଯେଉଁଥିପାଇଁ ପ୍ରାୟ ୮୦୦ରୁ ଅଧିକ ଭାରତୀୟ ଆନ୍ତର୍ଜାତୀୟ ଉଡ଼ାଣ ପ୍ରଭାବିତ ହୋଇଛି।
ପାକିସ୍ତାନର ଅର୍ଥନୀତି ପୂର୍ବରୁ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଛି। ଏହି ନିଷେଧାଜ୍ଞା ଯୋଗୁଁ ପିଆଇଏକୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ିବ। ଯାହା ଏହାର ଆର୍ଥିକ ସଙ୍କଟକୁ ଆହୁରି ଗରୁତର କରିବାର ସମ୍ଭାବନା ରହିଛି। ତଥାପି, ପାକିସ୍ତାନୀ ବିମାନ ଶିଳ୍ପର ସୀମିତ କାର୍ଯ୍ୟକ୍ଷମତା ହେତୁ ଏହି ନିଷେଧାଜ୍ଞାର ପ୍ରଭାବ ଭାରତୀୟ ବିମାନ ଶିଳ୍ପ ଉପରେ ପଡ଼ିଥିବା ପ୍ରଭାବ ଅପେକ୍ଷା ଅପେକ୍ଷାକୃତ କମ୍ ରହିବ। ଉଦାହରଣ ସ୍ୱରୂପ, ଭାରତୀୟ ବିମାନ ସଂସ୍ଥାଗୁଡ଼ିକୁ ପାକିସ୍ତାନୀ ଆକାଶସୀମା ବନ୍ଦ ହେବା ଯୋଗୁଁ ପ୍ରତି ସପ୍ତାହରେ ପ୍ରାୟ ୭୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି।
ବାୟୁସୀମା ନିଷେଧାଜ୍ଞା ବ୍ୟତୀତ ଭାରତ ଇଣ୍ଡସ୍ ଜଳ ଚୁକ୍ତି ସ୍ଥଗିତ, ଅଟାରୀ-ୱାଗା ସୀମାନ୍ତ ବନ୍ଦ, ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବାତିଲ ଏବଂ ଦ୍ୱିପାକ୍ଷିକ ବାଣିଜ୍ୟ ବନ୍ଦ କରିଛି। ପାକିସ୍ତାନ ମଧ୍ୟ ପ୍ରତିଶୋଧ ସ୍ୱରୂପ ୱାଘା ସୀମାନ୍ତ ବନ୍ଦ କରିଛି। ଭାରତୀୟ ନାଗରିକଙ୍କ ପାଇଁ ସାର୍କ ଭିସା ସ୍ଥଗିତ ରଖିଛି ଏବଂ ସମସ୍ତ ବାଣିଜ୍ୟ ବନ୍ଦ କରିଛି।