ୱାଶିଂଟନ୍,୨୦/୧୨: ପାକିସ୍ତାନ ଦୂରଗାମୀ ମିସାଇଲ ପ୍ରସ୍ତୁତ କରୁଥିବା କହିଛି ଆମେରିକା । ଏଥିପାଇଁ ଏହି ମିସାଇଲ ସହ ଜଡ଼ିତ ୪ ପାକିସ୍ତାନୀ କମ୍ପାନୀ ଉପରେ ଆମେରିକା ବ୍ୟାନ୍ ଲଗାଇଛି । ଏଥିରେ ପାକ୍ ସରକାରଙ୍କ ଏରୋସ୍ପେସ୍ ଆଣ୍ଡ୍ ଡିଫେନ୍ସ ଏଜେନ୍ସି ନ୍ୟାସନାଲ ଡେଭେଲପ୍ମେଣ୍ଟ କମ୍ପେ୍ଲକ୍ସେସ୍(ଏନ୍ଡିଏସ୍) ରହିଛି ।
ଆମେରିକା ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି, ପାକିସ୍ତାନ ସାମୂହିକ ବିନାଶକାରୀ ମିସାଇଲ ବନାଉଛି । ଏହି ପ୍ରୋଗାମରେ ସାମିଲ ଥିବା କରାଚୀସ୍ଥିତ ଆଫିଲିଏଟ୍ସ ଇଣ୍ଟରନ୍ୟାସନାଲ, ଅଖତର ଆଣ୍ଡ୍ ସନ୍ସ ପ୍ରାଇଭେଟ ଲିମିଟେଡ, ରକ୍ସାଇଡ ଏଣ୍ଟରପ୍ରାଇଜ୍ ଆଦି କମ୍ପାନୀ ଉପରେ କଟକଣା ଲାଗିଛି ।
ଆମେରିକା ବିଦେଶ ମନ୍ତ୍ରଣାଳୟର ଏକ ଡକ୍ୟୁମେଣ୍ଟରୁ ଜଣାପଡ଼ିଛି ଯେ, ଇସ୍ଲାମାବାଦରେ ଥିବା ଏନ୍ଡିସି ପାକ୍ ପାଇଁ ଦୂରମାଗୀ ବାଲିଷ୍ଟିକ୍ ମିସାଇଲ ପ୍ରୋଗାମ ଏବଂ ମିସାଇଲ ପରୀକ୍ଷଣ ଲାଗି ଆବଶ୍ୟକ ଉପକରଣ ଚାହୁଁଛି । ସେଥିମଧ୍ୟରେ ସାହିନ ଫାମିଲି ସିରିଜ୍ ମିସାଇଲ ରହିଛି । ସାହିନ ସିରିଜ୍ ମିସାଇଲ ପରମାଣୁ ଶକ୍ତି ସମ୍ପନ୍ନ । ଏ ନେଇ ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଆମେରିକାର ଏହି କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ ଏବଂ ପକ୍ଷପାତିତାପୂର୍ଣ୍ଣ । ଆଣବିକ ଶକ୍ତି ସମ୍ପନ୍ନ ଭାରତ ସହ ପ୍ରତିଦ୍ୱନ୍ଦ୍ୱିତା ସନ୍ଦର୍ଭରେ ଏଭଳି ପଦକ୍ଷେପ କ୍ଷେତ୍ରୀୟ ସ୍ଥିରତାକୁ କ୍ଷତି ପହଞ୍ଚାଇବ । ଏହା ପୂର୍ବରୁ ବି ଆମେରିକା ପାକିସ୍ତାନର ବାଲିଷ୍ଟିକ୍ ମିସାଇଲ ପ୍ରୋଗ୍ରାମ ପାଇଁ ଜ୍ଞାନକୌଶଳ ସପ୍ଲାଏ କରିବା ଅଭିଯୋଗରେ ଚୀନ୍ର ୩ କମ୍ପାନୀ ଉପରେ ବ୍ୟାନ୍ ଲଗାଇଥିଲା ।
ପ୍ରକାଶଥାଉ କି, ପାକିସ୍ତାନ ୧୯୯୮ରେ ପ୍ରଥମ ଆଣିବକ ପରୀକ୍ଷଣ କରିଥିଲା । ଏହା ପାଖରେ ଏବେ ପ୍ରାୟ ୧୭୦ ପରମାଣୁ ୱାର୍ହେଡ୍ ରହିଛି । ପାକିସ୍ତାନ ପରମାଣୁ ପ୍ରସାର ଚୁକ୍ତି ବା ନନ୍-ପ୍ରୋଲିଫେରେସନ ଟ୍ରିଟି (ଏନ୍ପିଟି)ରେ ସ୍ୱାକ୍ଷର କରିବାକୁ ମନା କରିଛି, ଯାହା କି ପରମାଣୁ ଅସ୍ତ୍ରର ପ୍ରସାର ରୋକିବାରେ ଅନ୍ତର୍ଜାତୀୟ ବ୍ୟବସ୍ଥାର ମୁଖ୍ୟ ଆଧାର । ଆମେରିକା ପରମାଣୁ ପ୍ରସାର ଏବଂ ଏହା ସହ ଜଡ଼ିତ ଯୋଗାଣ ଗତିବିଧି ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରଖିବ ବୋଲି ମିଲର କହିଛନ୍ତି ।