ନୂଆଦିଲ୍ଲୀ: ପାକିସ୍ତାନ, ଗମ୍ଭୀର ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ, ଭାରତକୁ ଚାରି ଥର ଚିଠି ଲେଖି ସିନ୍ଧୁ ଜଳ ଚୁକ୍ତି (Indus Waters Treaty) ପୁନଃସ୍ଥାପନ ପାଇଁ ଅନୁରୋଧ କରିଛି। ଏହି ଚିଠିଗୁଡ଼ିକ ଏପ୍ରିଲ ୨୨ ତାରିଖରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ ସ୍ଥଗିତ ରଖିଥିବା ପରିପ୍ରେକ୍ଷୀରେ ଲେଖାଯାଇଛି। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିଲେ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ପାକିସ୍ତାନର ଜଳ ସମ୍ପଦ ମନ୍ତ୍ରଣାଳୟ ସଚିବ ସୟଦ ଅଲି ମୁର୍ତଜା ମେ ମାସରେ ପ୍ରଥମ ଚିଠି ଲେଖି ଭାରତକୁ ଏହି ଚୁକ୍ତି ପାଳନ କରିବାକୁ ଅନୁରୋଧ କରିଥିଲେ। ଏହାପରେ ବିଭିନ୍ନ ବିଭାଗର ଭିନ୍ନଭିନ୍ନ ମନ୍ତ୍ରୀ ବାରତ ନିକଟକୁ ଏକାଧିକ ପତ୍ର ଲେଖିଥିବା ନେଇ ଖବର ପ୍ରକାଶ କରିଛି। ପାକିସ୍ତାନର ଏହି ଅନୁରୋଧ ସତ୍ତ୍ୱେ, ଭାରତ ସ୍ପଷ୍ଟ କରିଛି ଯେ ପାକିସ୍ତାନ ସୀମାପାର ଆତଙ୍କବାଦକୁ ବନ୍ଦ ନକରିବା ପର୍ଯ୍ୟନ୍ତ ଚୁକ୍ତି ସ୍ଥଗିତ ରହିବ।

ଭାରତ ଏକ ୧୩୦ କିଲୋମିଟର ଦୀର୍ଘ ନହର ନିର୍ମାଣ ଯୋଜନା କରୁଛି। ଯାହା ବିଅସ ନଦୀକୁ ଗଙ୍ଗା ନହର ସହ ସଂଯୋଗ କରିବ। ଏହା ସହିତ ସିନ୍ଧୁ ନଦିକୁ ଯମୁନା ସହ ସଂଯୋଗ କରିବା ପାଇଁ ମଧ୍ୟ ଏକ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପରେ ୧୨ କିଲୋମିଟର ଦୀର୍ଘ ଏକ ସୁଡ଼ଙ୍ଗ ନିର୍ମାଣ ସାମିଲ ରହିଛି। ଏହି ପ୍ରକଳ୍ପ ରାଜସ୍ଥାନ, ହରିୟାଣା, ପଞ୍ଜାବ ଓ ଦିଲ୍ଲୀ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି। ସରକାରୀ ସୂତ୍ର ଅନୁସାରେ, ଏହି ପ୍ରକଳ୍ପ ଦୁଇ ରୁ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ଶୀଘ୍ର ପ୍ରସ୍ତୁତ ହେବ।

ଚୁକ୍ତି ସ୍ଥଗିତ ହେବା ଯୋଗୁଁ ପାକିସ୍ତାନର ରବି ଫସଲ ଉପରେ ଗୁରୁତର ପ୍ରଭାବ ପଡ଼ିଛି। ଯଦିଓ ଖରିଫ ଫସଲ ଉପରେ ଏହାର ପ୍ରଭାବ କମ୍ ହେବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ପାକିସ୍ତାନର କୃଷି ଓ ଜଳବିଦ୍ୟୁତ ସିନ୍ଧୁ ନଦୀ ବ୍ୟବସ୍ଥାରୁ ମିଳୁଥିବା ଜଳ ଉପରେ ଅଧିକାଂଶ ନିର୍ଭରଶୀଳ। ଏହାର ସ୍ଥଗିତତା ଦେଶର କୃଷି ଅର୍ଥନୀତି ଓ ଜନସାଧାରଣଙ୍କ ଜୀବନଧାରଣ ଉପରେ ଗଭୀର ପ୍ରଭାବ ପକାଇପାରେ।

ଭାରତ ଏହା ସ୍ପଷ୍ଟ କରିଛି ଯେ ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ ନକରିବା ପର୍ଯ୍ୟନ୍ତ ଚୁକ୍ତିଟି ପୁନଃସ୍ଥାପନ କରାଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, "ଜଳ ଓ ରକ୍ତ ଏକାଠି ବହିପାରେ ନାହିଁ।" ଏହି ନିଷ୍ପତ୍ତି ଭାରତର ଆତଙ୍କବାଦ ବିରୋଧୀ ଦୃଢ଼ ଅବସ୍ଥାନକୁ ପ୍ରତିଫଳିତ କରୁଛି।

ଏହି ଘଟଣା ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କୂଟନୈତିକ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି। ତେବେ ଆଗାମୀ ଦିନରେ ଏହାର ପ୍ରଭାବ ଉପରେ ସମସ୍ତଙ୍କ ନଜର ରହିଛି।