ନୂଆଦିଲ୍ଲୀ,୨୧/୪ : ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ବଡ଼ ଧରଣର ଦୁର୍ଘଟଣା ହୋଇଛି । ବାଣ କାରଖାନାରେ ବିସ୍ଫୋରଣ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଚାରି ଜଣ ଗୁରୁତର ହୋଇଥିବା ପୋଲିସ ସୂଚନା ଦେଇଛି ।
ନିଗମର ବିପର୍ଯ୍ୟୟ ପରିଚାଳନା ସେଲର ମୁଖ୍ୟ ବିବେକାନନ୍ଦ କଦମ କହିଛନ୍ତି, ୱାଡା ତାଲୁକାର କୋଂସାଇ ଗାଁର ଏକ ପୁରୁଣା ଫାର୍ମହାଉସର ଟିଣ ସେଡରେ ଥିବା ଏକ ବାଣ ତିଆରି ୟୁନିଟରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବିସ୍ଫୋରଣ ଘଟିଥିଲା। ସେହି ସମୟରେ ପ୍ରାୟ ୩୫ଜଣ ଶ୍ରମିକ ବାଣ ତିଆରିରେ ନିୟୋଜିତ ଥିଲାବେଳେ ଅଧିକାଂଶ ମହିଳା ଥିଲେ ।
ୱାଡ଼ା ଥାନାର ଜନୈକ ଅଧିକାରୀ କହିଛନ୍ତି, "ରାସାୟନିକ ମିଶ୍ରଣ ଚାଲିଥିବା ସମୟରେ ଏହି ଘଟଣା ଘଟିଥିଲା । ଜଣେ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାବେଳେ ଜଣେ ମହିଳା ୯୦ପ୍ରତିଶତ ପୋଡ଼ି ଯାଇଥିଲେ।" ଅଧିକାରୀ କହିଛନ୍ତି ଯେ, ମହିଳା ଜଣଙ୍କର ପରେ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଅନ୍ୟ ଚାରି ଜଣ ଶ୍ରମିକ ଗୁରୁତର ହୋଇଥିଲେ ଏବଂ ସେମାନଙ୍କୁ ୱାଡା ଗ୍ରାମୀଣ ହସ୍ପିଟାଲକୁ ନିଆଯାଇଥିଲା। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପରେ ଉନ୍ନତ ଚିକିତ୍ସା ପାଇଁ ଭିୱଣ୍ଡି ଉପ-ଜିଲ୍ଲା ହସ୍ପିଟାଲ ଏବଂ ଅନ୍ୟ ଏକ ମେଡିକାଲ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା।
ଅଗ୍ନିଶମ ବାହିନୀ ଏବଂ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ପାଇଁ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ମୃତକ ହେଲେ ଭବେଶ ଦିଲୀପ ବାବରେ(୩୫) ଏବଂ ମୋନିକା ସଚିନ ପଡୱାଲେ (୩୦) ।