• ପଞ୍ଚତତ୍ତ୍ୱ ପାର୍କ ଉଦଘାଟିତ
  • ‘ସୁଭଦ୍ରା ସାଧନ କେନ୍ଦ୍ରର’ ଭିତ୍ତିପ୍ରସ୍ତର ସ୍ଥାପନ
  • ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର କର୍ମଶାଳାର ଶୁଭାରମ୍ଭ
  • ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ବୃଦ୍ଧି

ଭୁବନେଶ୍ୱର, ୨୭।୧ : ଭୁବନେଶ୍ୱରସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ‘ପଞ୍ଚତତ୍ତ୍ୱ ପାର୍କ’କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉଦଘାଟନ କରିଛନ୍ତି। ଏହି ସହ ‘ସୁଭଦ୍ରା ସାଧନ କେନ୍ଦ୍ର’ର ଭିତ୍ତିପ୍ରସ୍ତର ସ୍ଥାପନ ତଥା ସୁପୋଷିତ ଓଡ଼ିଶା ମିଶନ (SOM) ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର ଦୁଇଦିନିଆ କର୍ମଶାଳାର ଶୁଭାରମ୍ଭ କରିଛନ୍ତି। ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଶିଶୁମାନଙ୍କ ପାଇଁ ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ସଂଶୋଧନ କରାଯାଇଛି।

ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ପାଇଁ ତୃଣମୂଳ ସ୍ତରରେ ମା’ମାନଙ୍କୁ ଶିକ୍ଷିତ ତଥା ସଚେତନ କରିବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆହ୍ୱାନ ଦେଇଥିଲେ। ଯାହାଫଳରେ ସେମାନେ ଶିଶୁମାନଙ୍କ ଯତ୍ନ ନେବାରେ ସହାୟକ ହୋଇପାରିବେ । ଏହାସହ ସେ ସ୍ଥାନୀୟ ସ୍ତରରେ ଉପଲବ୍ଧ ପୁଷ୍ଟିକର ଖାଦ୍ୟର ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ । ସମାଜର ପ୍ରତ୍ୟେକ ବ୍ୟକ୍ତି ଯଦି ନିଜର ଶୁଭ ଅବସର ବା ଜନ୍ମଦିନରେ ଅଙ୍ଗନବାଡ଼ି ଶିଶୁଙ୍କୁ ଫଳ ବାଣ୍ଟିବା ପାଇଁ ସଂକଳ୍ପ ନେବେ, ତେବେ ଓଡ଼ିଶା ଖୁବ୍ ଶୀଘ୍ର ଏକ ସୁସ୍ଥ ଏବଂ ସମୃଦ୍ଧ ରାଜ୍ୟରେ ପରିଣତ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଥିଲେ। ନବନିର୍ମିତ ‘ପଞ୍ଚତତ୍ତ୍ୱ ପାର୍କ’ ବିଷୟରେ ଆଲୋକପାତ କରି ସେ ମହିଳାମାନଙ୍କ ମାନସିକ ସ୍ୱାସ୍ଥ୍ୟର ଗୁରୁତ୍ୱ ବିଷୟରେ ସୂଚନା ଦେଇଥିଲେ ।

ପଞ୍ଚତତ୍ତ୍ୱ ପାର୍କ: ଏହି ଅଭିନବ ପାର୍କଟି ପ୍ରକୃତିର ପାଞ୍ଚଟି ତତ୍ତ୍ୱ (ପୃଥ୍ୱୀ, ଜଳ, ଅଗ୍ନି, ବାୟୁ ଓ ଆକାଶ) ଉପରେ ଆଧାରିତ ଏକ ଚିକିତ୍ସାମୂଳକ ସ୍ଥାନ।

• ଆକୁପ୍ରେସର ପଥ: ଏଥିରେ '୮' ଆକୃତିର ଏକ ଚାଲିବା ପଥ ରହିଛି, ଯେଉଁଥିରେ ଗୋଡ଼ି, ବାଲି ଏବଂ ଗଛର ଛାଲି ବ୍ୟବହାର କରାଯାଇଛି। ଏହା ରକ୍ତ ସଞ୍ଚାଳନ ବୃଦ୍ଧି ଏବଂ ମାନସିକ ଶାନ୍ତି ପ୍ରଦାନ କରିବାରେ ସାହାଯ୍ୟ କରିବ।

• ୱେଲନେସ୍ ହବ୍: ଏହା ମହିଳା ଓ ଶିଶୁମାନଙ୍କୁ ପ୍ରକୃତି ସହ ଯୋଡ଼ିବା ପାଇଁ ଏକ କେନ୍ଦ୍ର ଭାବେ କାର୍ଯ୍ୟ କରିବ।

ସୁଭଦ୍ରା ରିସୋର୍ସ ସେଣ୍ଟର: ମହିଳା ସଶକ୍ତୀକରଣ କ୍ଷେତ୍ରରେ ଏହା ଏକ ପ୍ରମୁଖ ସୂଚନା ଏବଂ ପ୍ରଶିକ୍ଷଣ କେନ୍ଦ୍ର ଭାବେ କାର୍ଯ୍ୟ କରିବ

ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂର ଦୁଇଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି। ସୁପୋଷିତ ଓଡ଼ିଶା ମିଶନର ଲକ୍ଷ୍ୟ ହେଉଛି ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ କୁପୋଷଣ ମୁକ୍ତ କରିବା। ଯେଉଁ କେନ୍ଦ୍ରରେ ଅତି କମ୍ ଓଜନର ଶିଶୁ ରହିବେ ନାହିଁ, ସେହି କେନ୍ଦ୍ରକୁ 'ସୁପୋଷିତ' ଘୋଷଣା କରାଯିବ ଏବଂ କର୍ମୀଙ୍କୁ ସମ୍ମାନିତ କରାଯିବ। 'ସୁପୋଷିତ ଓଡ଼ିଶା ମିଶନ ଅନ୍ତର୍ଗତ ରାଜ୍ୟସ୍ତରୀୟ ଓରିଏଣ୍ଟେସନ-କମ୍-କାପାସିଟି ବିଲଡିଂ କର୍ମଶାଳା' ମାଧ୍ୟମରେ ତୃଣମୂଳ ସ୍ତରରେ କର୍ମଚାରୀଙ୍କୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଲକ୍ଷ୍ୟ ରଖା ଯାଇଛି। 'କୁପୋଷଣ ମୁକ୍ତ ଓଡ଼ିଶା' ପାଇଁ ସମୂହ ଶପଥ ପାଠ କରାଯାଇଥିଲା ।

ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନା ଅଧୀନରେ ଶିଶୁମାନଙ୍କ ପାଇଁ ପୋଷାକ ଓ ଶୀତବସ୍ତ୍ର ମୂଲ୍ୟରେ ରାଜ୍ୟ ସରକାର ଏକ ସଂଶୋଧନ କରିଛନ୍ତି । ୨୦୨୬-୨୭ ଆର୍ଥିକ ବର୍ଷରୁ ଏହା କାର୍ଯ୍ୟକାରୀ ହେବ।

ବାଳକଙ୍କ ୟୁନିଫର୍ମ ୧୦୦ ଟଙ୍କାରୁ ୧୭୫ ଟଙ୍କାକୁ ବୃଦ୍ଧି କରାଯାଇଛି ।

• ବାଳିକାଙ୍କ ୟୁନିଫର୍ମ ୧୫୦ ଟଙ୍କାରୁ ୨୨୫ ଟଙ୍କାକୁ ବୃଦ୍ଧି କରାଯାଇଛି ।

• ଜୋତା ଓ ମୋଜା ପାଇଁ ୧୦୦ ଟଙ୍କା ବଦଳରେ ୧୫୦ ଟଙ୍କା ପ୍ରଦାନ କରାଯିବ ।

• ଶୀତବସ୍ତ୍ରର ମୂଲ୍ୟ ୧୫୦ ଟଙ୍କାରୁ ୨୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଅନନ୍ତ ନାରାୟଣ ସିଂ ଲାଗୁରୀ, ବିଭାଗୀୟ ଅତିରିକ୍ତ ଶାସନ ସଚିବ ସ୍ଵୟଂପ୍ରଭା ମହାନ୍ତି ଏବଂ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମାନଙ୍କ ସହ ବିଭିନ୍ନ ଜିଲ୍ଲାର ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ ।