ଭୁବନେଶ୍ୱର,୧୩/୦୪:  ଆମେ ସରକାରକୁ ଆସିବା ପରେ ପ୍ରଥମ ଥର ଉପନିର୍ବାଚନ ହେବାକୁ ଯାଉଛି । ବିଜେପି ପ୍ରସ୍ତୁତ  ଅଛି । ଆମେ ଉଭୟ ପଞ୍ଚାୟତ ଓ ପୌର ଉପନିର୍ବାଚନରେ ଭଲ  ପ୍ରଦର୍ଶନ କରିବୁ । ଯେଉଁଠି ଚିହ୍ନ  ଦିଆଯିବ, ସେଠି ବିଜେପି ଭଲ  କରିବ । ଯେଉଁଠି ଚିହ୍ନ ନଥିବ,  ସେଠାରେ ମଧ୍ୟ ସମର୍ଥକଙ୍କୁ ଠିଆ  କରାଇ ଜିତାଇବ ବିଜେପି ବୋଲି  ଦାବି କରିଛନ୍ତି ବିଜେପିର ଏକାମ୍ର  ବିଧାୟକ ବାବୁ ସିଂ ।  

ସେହିପରି ବିଜେଡିର ବରିଷ୍ଠ  ନେତା ତଥା ସମନ୍ୱୟ କମିଟି ଅଧ୍ୟକ୍ଷ  ଦେବୀପ୍ରସାଦ ମିଶ୍ର କହିଛନ୍ତି,  ବିଜେଡିକୁ ନିର୍ବାଚନ ପାଇଁ ଭୟ  ନାହିଁ । ବିଜେପିର ଭୟ ରହିଛି ।  ତେଣୁ ୧୦ ମାସ ହେବ ନିର୍ବାଚନ  କରାଉ ନଥିଲେ । ଆଗାମୀ  ସମୟରେ ନିର୍ବାଚନରେ ବିଜେଡି  ଭଲ କରିବ ବୋଲି ଶ୍ରୀ ମିଶ୍ର ମଧ୍ୟ  ଦାବି କରିଛନ୍ତି । କଂଗ୍ରେସର ଯୁବନେତା  ନିଶିକାନ୍ତ ମିଶ୍ର କହିଛନ୍ତି, ପଞ୍ଚାୟତ  ସ୍ତରରେ ଖାଲି ପଡ଼ିଥିବା ନିର୍ବାଚିତ  ପଦବି ପୂରଣ ପାଇଁ ପ୍ରାଥମିକ  ପ୍ରକ୍ରିୟା ଆରମ୍ଭ ହୋଇଛି । ଆଶା  କରୁଛୁ କଂଗ୍ରେସ ତା’ର ପୂର୍ବ ସ୍ଥିତି  ଫେରିପାଇବ । ପଞ୍ଚାୟତ ସ୍ତରରେ  କଂଗ୍ରେସ ପୁଣି ମଜଭୁତ ହେବ  ବୋଲି ଶ୍ରୀ ମିଶ୍ର ଦୃଢୋକ୍ତି ବାଢ଼ିଛନ୍ତି ।  

ଉଲ୍ଲେଖଯୋଗ୍ୟ, ରାଜ୍ୟର  ବିଭିନ୍ନ ପଞ୍ଚାୟତରେ ଖାଲିପଡ଼ିଛି  ୧୧୩୪ଟି ନିର୍ବାଚିତ ସଦସ୍ୟ ପଦବି ।  ସେହି ପଦବିଗୁଡ଼ିକ ମଧ୍ୟରୁ ୫ ଜିଲ୍ଲା  ପରିଷଦ ସଭ୍ୟ, ୪୫ ସରପଞ୍ଚ,  ୪୧ ସମିତି ସଭ୍ୟ ଓ ୨୭୨ ୱାର୍ଡ  ସଭ୍ୟ(ମେମ୍ବର) ପାଇଁ ହେବ  ଉପନିର୍ବାଚନ । ଏହା ବ୍ୟତୀତ ୭୭୧  ୱାର୍ଡରେ ହେବ ନୂଆ ୱାର୍ଡ ସଭ୍ୟ  ନିର୍ବାଚନ । ଉପନିର୍ବାଚନ ପାଇଁ  ପ୍ରକ୍ରିୟା ଆରମ୍ଭ ହୋଇଛି ।