କୋକସରା ୧୫/୧୨: ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ସୋମବାର ନବରଙ୍ଗପୁରରୁ କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମରେ ଆସି ଆମପାଣି ଠାରେ ପହଞ୍ଚିବା ପରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ସମେତ ଦଳୀୟ କର୍ମକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ପରେ ସେ ଶ୍ରୀ ବୁଢ଼ାରଜା ଠାକୁର ଦର୍ଶନ ପରେ କୋକସରା ବ୍ଲକ ସଦର ମହକୁମା ଗୁଡ଼ହାଣ୍ଡି ମଞ୍ଚ ପଡିଆ ଠାରେ ଆୟୋଜିତ ଜନ ସମାବେଶ କାର୍ଯ୍ୟକ୍ରମରେ ଯୋଗଦେଇ ଜନ ସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାଏକ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଧର୍ମଗଡ଼, ଜୟପାଟଣା, କୋକସରା, କଲମପୁର ବ୍ଲକର ୩୨.୯୨ କୋଟିରେ ନିର୍ମାଣାଧୀନ ୧୭୨ ଗୋଟି ପ୍ରକଳ୍ପର ଲୋକାର୍ପଣ ସହ ୨୪୬.୯୫ କୋଟିରେ ନିର୍ମାଣ ହେବାକୁ ଥିବା ୨୬୯ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ମଞ୍ଚରେ ମନ୍ତ୍ରୀ ସହ ନେତା ଓ ଅଧିକାରୀ ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସ୍ୱାଗତ ଅଭିଭାଷଣ ଜିଲ୍ଲା ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ କଳାହାଣ୍ଡି ଦୟାମୟ ପାଢ଼ୀ ରଖିଥିବା ବେଳେ ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ ନିଜ ବକ୍ତବ୍ୟରେ ବ୍ଲକରେ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଦାବି ଉପସ୍ଥାପନ କରିଥିଲେ। ପରେ ଧର୍ମଗଡ଼ ବିଧାୟକ ଶ୍ରୀ ପାଟ୍ଟଯୋଶୀ ଚାଷିଙ୍କ ପ୍ରସଙ୍ଗ ଉଠାଇ ମେଗାଲିଫ୍ଟରୁ ରବି ଚାଷ ଜଳସେଚନ ପାଇଁ ଡିପିଆର ପ୍ରସ୍ତୁତ କରିବା, ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ଆମପାଣି ପଞ୍ଚାୟତର ଦୁର୍ଗମ ଅଞ୍ଚଳ ବିରିମୁହାଁଣ, କୁଟୁରୁକୁ ଗମନାଗମନ ରାସ୍ତା ନିର୍ମାଣ, ବ୍ଲକରେ ଜାରି ରହିଥିବା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ କରିବା ଭଳି ସମସ୍ୟାକୁ ଉପସ୍ଥାପନ କରିଥିଲେ।

ମନ୍ତ୍ରୀ ଶ୍ରୀ ନାଏକ ନିଜ ଅଭିଭାଷଣରେ ଅଞ୍ଚଳରେ ଥିବା ଚାଷି ସମସ୍ୟା, ଜଳସେଚନ ସମସ୍ୟା, ପାନୀୟ ଜଳ ସମସ୍ୟା, ଗମନାଗମନ କ୍ଷେତ୍ରରେ ଥିବା ସମସ୍ୟାକୁ ତାଙ୍କ ସରକାର ଶୀଘ୍ର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମଞ୍ଚରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓ, କଳାହାଣ୍ଡି ଏଡିଏମ ତନ୍ମୟ ଦରୱ।ନ, ଉପ ଜିଲ୍ଲାପାଳ ଧର୍ମଗଡ଼ ପ୍ରେକ୍ଷ୍ୟା ଅଗ୍ରୱାଲ, ରାଜ୍ୟ ଓମଫେଡ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ, ଏନଏସି ଅଧ୍ୟକ୍ଷ ଧର୍ମଗଡ଼ ଅଶୋକ ମହାନ୍ତି, ବ୍ଲକ ଅଧ୍ୟକ୍ଷ କେସିଙ୍ଗା ଚନ୍ଦନ ସେନାପତି, ଭବାନୀପାଟଣା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଦୟାନିଧି ମାଝୀ, ଜୟପାଟଣା ଥବିର ବାଗ, ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷା ବବିତା ପାଟ୍ଟଯୋଶୀ, ବ୍ଲକ ଅଧ୍ୟକ୍ଷା କଲମପୁର ଜ୍ୟୋତି ନାଏକ, ବ୍ଲକ ଅଧ୍ୟକ୍ଷା ଜୁନାଗଡ଼ ସବିତା ମେହେର, ବ୍ଲକ ଅଧ୍ୟକ୍ଷା କାର୍ଲମୁଣ୍ଡା କୁନି ସାହୁ, ବ୍ଲକ ଅଧ୍ୟକ୍ଷା ଲାଞ୍ଜିଗଡ଼ କମଳା ପାତ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ମନ୍ତ୍ରୀଙ୍କ ଗସ୍ତ ସମୟରେ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀ ଓ ଚାଷି ମଣ୍ଡିରେ ବିଳମ୍ୱିତ ଟୋକନ ସମସ୍ୟା, କଟନୀ ଛଟନିକୁ ନେଇ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ସୁରକ୍ଷା ମଞ୍ଚ ପକ୍ଷରୁ ସଭାପତି ରାଜେନ୍ଦ୍ର ନାଏକ ଡୋକରିଚଞ୍ଚରା ପରିଚାଳନା ପାଇଁ ସ୍ଥାୟୀ ଟ୍ରଷ୍ଟ ବୋର୍ଡ ଗଠନ, ଖରିଫ ଧାନ ବିକ୍ରି ପାଇଁ ଚାଷି ଙ୍କ ଟୋକାନ ସମସ୍ୟା, ଏହାସହ ଅନେକ ଲୋକ ନିଜ ଅଞ୍ଚଳର ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ମଞ୍ଚ ସଂଯୋଜନାରେ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ସହଯୋଗ କରିଥିବା ବେଳେ ଏଡିଏମ ଶ୍ରୀ ଦରୱନ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଜେପିର ଦଳୀୟ କର୍ମକର୍ତ୍ତାଙ୍କ ସମେତ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରୁ ବହୁ ସଂଖ୍ୟକ ମହିଳା, ଜନସାଧାରଣ ଉପସ୍ଥିତ ଥିଲେ ।