ନୀଳଗିରି ୫/୬ : ବାଲେଶ୍ଵର ଜିଲ୍ଲା ନୀଳଗିରି ଏକ ଆଦିବାସୀ ବହୁଳ ଅଞ୍ଚଳ। ଏ ଅଞ୍ଚଳର ବିକାଶ ପାଇଁ ଆପଣ ଯେଉଁ ଭରଷା ରଖି ଡବଲ ଇଞ୍ଜିନ ସରକାର ଭେଟି ଦେଇଛନ୍ତି ସେଇ ଭରଷା ଦେଇ ମୁଁ ଯାଉଛି ନୀଳଗିରି ବିକାଶ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହେବ। ୨୫ କୋଟି ଟଙ୍କା ବ୍ୟୟରେ ଗ୍ରାମୀଣ ରାସ୍ତା ଓ ଗୃହ ଭିତ୍ତିଭୂମି ବିକାଶ ପ୍ରକଳ୍ପର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ ଉତ୍ସବରେ ପଞ୍ଚାୟତରାଜ, ଗ୍ରାମ୍ୟଉନ୍ନୟନ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ ଏଭଳି ସୂଚନା ଦେଇଛନ୍ତି। ଗୁରୁବାର ମନ୍ତ୍ରୀ ଶ୍ରୀ ନାଏକଙ୍କୁ ନୀଳଗିରି ବାଇପାସ ରୋଡ଼ ଦମକଳ ଅଫିସ ଦେଇ ଧୂମସା ମାଦଳର ତାଳେ ତାଳେ ସ୍ବାଗତ କରି ବରିସାହି କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ନିଆଯାଇଥିଲା । ସାଙ୍ଗରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ,ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ସରକାରୀ ଦଳର ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଦାସ ଉପସ୍ଥିତ ଥିଲେ । ରୀତିନୀତିରେ ପୂଜାର୍ଚ୍ଚନା ପରେ ଶିଳାନ୍ୟାସ ଓ ଉଦଘାଟନ ଉତ୍ସବ ଆନୁଷ୍ଠାନିକ ଭାବେ ମନ୍ତ୍ରୀ କରିଥିଲେ । ପରେ ଆୟୋଜିତ ଏକ ସଭାରେ ଅଞ୍ଚଳବାସୀଙ୍କୁ ମନ୍ତ୍ରୀ ସମ୍ବୋଧିତ କରି ନୀଳଗିରିବାସୀ ଭରଷା କରି ଡବଲ ଇଞ୍ଜିନ ସରକାର ଦେଇଥିବା ବେଳେ ନୀଳଗିରି ବିକାଶ ରେ ଆଜିଠାରୁ ମୂଳଦୁଆ ପଡିଲା । ମନ୍ତ୍ରୀ ହୁଅନ୍ତୁ କିମ୍ବା ସରକାରି ଅଫିସର ଆଉ କେହି ଟେଣ୍ଟ ବାନ୍ଧିବା କାର୍ଯ୍ୟକ୍ରମ କରୁ ନାହାନ୍ତି । ନୀଳଗିରି ବିଧାୟକ ଶ୍ରୀ ଖଟୁଆ ସରକାରଙ୍କୁ ବିରୋଧୀ ଙ୍କ ଆକ୍ରମଣ ବେଳେ ଶାଣିତ ସ୍ୱରରେ ସୁରକ୍ଷା ଦେବା ସହ ନିଜ ଅଞ୍ଚଳ ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି। ସେହିଭଳି ସାଂସଦ ପ୍ରତାପ ନନା ମଧ୍ୟ ନିଜର ନିର୍ବାଚନ ମଣ୍ଡଳୀ ପାଇଁ ଆଗକୁ ବିକାଶ କ୍ଷେତ୍ରରେ ଚକିତ କରିବା ଭଳି ପ୍ରଜେକ୍ଟ ଭେଟିଦେବେ ବୋଲି କହିଥିଲେ । ଏହି ସଭାରେ ସାଂସଦ ଶ୍ରୀ ଷଡ଼ଙ୍ଗୀ,ସ୍ଥାନୀୟ ବିଧାୟକ ଶ୍ରୀ ଖଟୁଆ, ରେମୁଣା ବିଧାୟକ ଶ୍ରୀ ଦାସ ନିଜର ବହୁମୂଲ୍ୟ ବକ୍ତବ୍ୟ ରଖିଥିବା ବେଳେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ,ଏସପି ରାଜେଶ କୁମାର, ଗ୍ରାମ୍ୟ ଉନ୍ନୟନ ବିଭାଗର ଏସଇ ଉପସ୍ଥିତ ଥିଲେ।