ଭୁବନେଶ୍ୱର ୧୫/୦୫: ମଧ୍ୟପ୍ରାଚ୍ୟ ଯୁଦ୍ଧର ସାଇଡ୍ ଇଫେକ୍ଟ। ତେଲ ପାଇଁ ଟାଙ୍କିରେ ଲାଗିଲା ଗ୍ରାହକଙ୍କ ଲମ୍ବା ଲାଇନ୍। ତେଲ ଟାଙ୍କି ମାଲିକ କହୁଛନ୍ତି, କିଛି ସଙ୍କଟ ନାହିଁ । ହେଲେ ପେଟ୍ରୋଲ, ଡିଜେଲ ମିଳୁନାହିଁ । ସବୁଠି ହାହାକାର ସ୍ଥିତି । ତେଲ ନଥିବାରୁ ରାଜ୍ୟରେ ପ୍ରାୟ ୨ଶହରୁ ଅଧିକ ଟାଙ୍କି ଗୁରୁବାର ବନ୍ଦ ହୋଇଯାଇଥିଲା । ସବୁ କହୁଛନ୍ତି, ଅଛି...ଅଛି । ତା’ହେଲେ ଏ କୃତ୍ରିମ ଅଭାବ କାହିଁକି? ଏହା ପଛରେ କିଏ? ତେଲ କମ୍ପାନି ନା ଟାଙ୍କି ମାଲିକ ନା ଅଚାନକ ଅସ୍ୱାଭାବିକ ଚାହିଦା ବୃଦ୍ଧି। ଏହାରି ଭିତରେ ଆରମ୍ଭ ହୋଇଛି ପେଟ୍ରୋଲ କଳାବଜାରି। ବଜାରରେ ଆକ୍ଟିଭ ହେଲେଣି ଦଲାଲ। ପେଟ୍ରୋଲ ଦର ଉଚ୍ଚା ଦରରେ ଖୋଲା ବଜାରରେ ଚାଲିଛି ବେପାର। ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚି।
ଟାଙ୍କିରେ ତେଲ ଗଚ୍ଛିତ ଥିଲା । ଲିଟରେ କି ଦୁଇ ଲିଟର ତେଲ ନୁହେଁ, ଭୁବନେଶ୍ୱରେ ୬ ଲକ୍ଷ ୮୩ ହଜାର ଲିଟର ପେଟ୍ରୋଲ ଏବଂ ୬ ଲକ୍ଷ ୨୧ ହଜାର ଲିଟର ଡିଜେଲ ରହିଥିଲା । ମାତ୍ର ଗୋଟିଏ କି ଦୁଇଟି ପେଟ୍ରୋଲ ପମ୍ପରେ ତେଲ ସରିଥିଲା । ହେଲେ ଅଧିକାଂଶ ପେଟ୍ରୋଲ ପମ୍ପ ହଠାତ୍ ଡ୍ରାଏ ଘୋଷଣା କରିଦେଲ । ଟାଙ୍କିରେ ତେଲ ଦେବା ବନ୍ଦ କରିଦେଲେ । ଭୁବନେଶ୍ୱରେ ରସୁଲଗଡର ଏକ ତେଲ ଟାଙ୍କିରେ ୩୭ ହଜାର ଲିଟର ଡିଜେଲ ଏବଂ ୪୦ ହଜାର ଲିଟର ପେଟ୍ରୋଲ ରହିଥିଲା । ଦିନ ୧୨ଟା ବେଳେ ସରକାରୀ ହିସାବ ଆସିଥିଲା । ହେଲେ ହଠାତ୍ ଟାଙ୍କିକୁ ବନ୍ଦ କରିଦିଆଗଲା । ଫଳରେ ତେଲ ଅଭାବ ଦେଖାଦେଇଥିଲା ।
ଅଧିକ ପଢ଼ନ୍ତୁ :- Fuel Crisis : ପର୍ଯ୍ୟାପ୍ତ ନୁହେଁ ସାଧାରଣ ପରିବହନ ବ୍ୟବସ୍ଥା, କେମିତି ଚାଲିବ ଜୀବନଜୀବିକା ? ଘରୁ ଗାଡ଼ି ନକାଢିଲେ ରୋଜଗାର ଆସିବ କେଉଁଠୁ ?
ସେହିପରି ପାହଳର ଏକ ଟାଙ୍କିରେ ମଧ୍ୟ ୧୮୫୬୦ ଲିଟର ପେଟ୍ରୋଲ ଏବଂ ୨୪୩୦ ଲିଟର ଡିଜେଲ ଗଚ୍ଛିତ ରହିଥିଲା । ହେଲେ ଏହାକୁ ବି ବନ୍ଦ କରି ଦିଆଯାଇଥିଲା । ପର୍ଯ୍ୟାପ୍ତ ପରିମାଣ ତେଲ ଥିଲେ ବି ସହରରେ କିଛି ସ୍ଥାନରେ କୃତ୍ରିମ ଅଭାବ ଦେଖାଦେଇଛି । ତେଲକୁ ଷ୍ଟକ ରଖି ବିଭିନ୍ନ ଜାଗାରେ ବିକ୍ରି କରାଯାଇଥିବା ନେଇ ଅଭିଯୋଗ ହୋଇଛି । ବିଭିନ୍ନ ଟାଙ୍କି ଆଗରେ ଆଜି ଖୋଲାରେ ତେଲ ବିକ୍ରି କରାଯାଇଥିଲା । ପେଟ୍ରୋଲ ଲିଟର ପିଛା ୧୩୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଇଥିଲା । ବୋତଲରେ ତେଲ ବିକ୍ରି ଉପରେ କଟକଣା ଜାରି ହୋଇଥିଲେ ମଧ୍ୟ ଏହାକୁ କଳାବଜାରୀ ମାନି ନଥିଲେ ।