ଭୁବନେଶ୍ୱର/ପୁରୀ, ୧୬/୧୦ : କେଉଁ ଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ହବିଷ୍ୟାଳି । ଭିନ୍ନ ଭିନ୍ନ ପାଞ୍ଜି ଓ କ୍ୟାଲେଣ୍ଡରରେ କାର୍ତ୍ତିକ ବ୍ରତ ଆରମ୍ଭର ଦିନ ଅଲଗା ଦର୍ଶାଯାଇ ଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ହବିଷ୍ୟାଳି ଓ ସାଧାରଣ ଲୋକେ । ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ୩ ପଞ୍ଜିକାରେ ଦିନ ନିର୍ଘଣ୍ଟ ଅଲଗା ରହିବା ଏହି ଦ୍ୱନ୍ଦ୍ୱକୁ ବଢ଼ାଇଛି । କିଛି ପାଞ୍ଜି ଓ କ୍ୟାଲେଣ୍ଡରରେ ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ୧୬ ତାରିଖ ପଡ଼ୁଥିବା ବେଳେ ଏହା ପରଦିନ ପୂର୍ଣ୍ଣିମା ଓ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ ରହିଛି । ମାତ୍ର ଅନ୍ୟ କିଛି ପାଞ୍ଜିରେ ୧୭ ତାରିଖ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଛି ।
ସାଧାରଣତଃ କୁମାର ପୂର୍ଣ୍ଣିମା ପର ଦିନଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ । କୁମାର ପୂର୍ଣ୍ଣିମା ନେଇ ପାଞ୍ଜି ଓ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇଥିବା ତାରିଖ ଏବଂ ଶ୍ରୀମନ୍ଦିରରେ ପାଳନ ହେଉଥିବା କୁମାର ପୂର୍ଣ୍ଣିମା ତାରିଖ ଭିନ୍ନ ରହୁଥିବାରୁ ତାହାକୁ ନେଇ ଏହି ପ୍ରକାର ଦ୍ୱନ୍ଦ୍ୱ ଦେଖା ଦେଇଛି । ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ଅନୁମୋଦିତ କୋହିନୂର ପଞ୍ଜିକାରେ ୧୮ ତାରିଖରେ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଥିବା ବେଳେ ରାଧାରମଣ ପଞ୍ଜିକାରେ ୧୭ ତାରିଖ ଗର୍ଭଣା ସଂକ୍ରାନ୍ତି ଦିନ କାର୍ତ୍ତିକ ବ୍ରତ ଆରମ୍ଭ ବୋଲି ଉଲ୍ଲେଖ କରାଯାଇଛି । ୧୭ରେ ଶ୍ରୀମନ୍ଦିରରେ କୁମାର ପୁର୍ଣ୍ଣମୀ ଏବଂ କାର୍ତ୍ତିକ ବ୍ରତ ୧୮ ତାରିଖରୁ ଆରମ୍ଭ ନେଇ ଅସଲି ଖଡ଼ିରତ୍ନ ପଞ୍ଜିକା ଓ କୋହିନୂରରେ ରହିଛି । ଯେହେତୁ ୧୭ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ପୂର୍ଣ୍ଣମୀ ରହୁଛି ୧୬ ତାରିଖ ରାତି ୮.୪୨ ପରେ ଗଜଲକ୍ଷ୍ମୀ ପୂଜା ହେବା କଥା । ୧୭ ତାରିଖରେ ସର୍ବତ୍ର କୁମାର ପୂର୍ଣ୍ଣମୀ ଓ ୪ ଆଶ୍ରମକୁ ସୁଦର୍ଶନ ବିଜେ କରିବେ । ୧୮ ତାରିଖ ପହିଲି କାର୍ତ୍ତିକ ଓ କାର୍ତ୍ତିକ ବ୍ରତ ଆରମ୍ଭ । ହବିଷ୍ୟାଳିମାନେ ବ୍ରାହ୍ମଣଙ୍କୁ ଗୁଆ ଟେକି ସଂକଳ୍ପ କରିବା ପରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ।
ଏନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ଗଣମାଧ୍ୟମକୁ କହିଛନ୍ତି, ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଏକାଦଶୀରୁ ଶ୍ରୀମନ୍ଦିରରେ ଠାକୁରଙ୍କ କାର୍ତ୍ତିକ ବାଳଧୂପ ନୀତି ଆରମ୍ଭ ହୋଇସାରିଛି । ୧୭ ତାରିଖରେ କୁମାର ପୂର୍ଣ୍ଣିମା ନୀତି ଶ୍ରୀମନ୍ଦିରରେ ହେବ ଓ ଶ୍ରୀସୁଦର୍ଶନ ଚାରି ଆଶ୍ରମକୁ ବିଜେ କରିବେ । ଆସନ୍ତା ୧୮ ତାରିଖରୁ ହବିଷ୍ୟାଳି ଶ୍ରୀକ୍ଷେତ୍ରରେ ରହଣି ଓ ବ୍ରତ ପାଳନ ନିମନ୍ତେ ପ୍ରଶାସନ ବ୍ୟବସ୍ଥା କରିଛି । ଗଣନାକାରଙ୍କ ତିଥି ଗଣତିକୁ ନେଇ ରହୁଥିବା ଅସମାନତା ଦୂର କରିବା ନିମନ୍ତେ ଶ୍ରୀମନ୍ଦିର ପକ୍ଷରୁ ଏକ ସ୍ୱତନ୍ତ୍ର ପାଞ୍ଜି ପ୍ରକାଶ କରାଯାଉ ବୋଲି କେତେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି । ଆସନ୍ତାକାଲି ବୁଧବାର ଶିବ ଚତୁର୍ଦ୍ଦଶୀ । ଚତୁର୍ଦ୍ଦଶୀରେ ବହୁ ଲୋକ ଶ୍ରାଦ୍ଧ ମଧ୍ୟ ପକାଇବେ । ଏହି ଦିନରେ କୁମାର ପୂର୍ଣ୍ଣିମା ନୀତି ଅର୍ଥାତ୍ ଚାନ୍ଦ ଟେକିବେ ନାହିଁ । ସେଥିପାଇଁ ଗୁରୁବାର ଦିନ କୁମାର ପୂର୍ଣ୍ଣିମା ପୁଷ୍ପାଞ୍ଜଳି ପ୍ରଦାନ କରାଯିବ । କିନ୍ତୁ ଗଜଲକ୍ଷ୍ମୀ ପୂଜା ବୁଧବାର ଓ କାର୍ତ୍ତିକ ବ୍ରତ ୧୮ରେ ପାଳନ ହେବ ବୋଲି ଲିଙ୍ଗରାଜ ମହାପ୍ରଭୁଙ୍କ ଅଙ୍ଗଲାଗି ସେବକ ମୌସମ୍ ବଡ଼ୁ ପ୍ରକାଶ କରିଛନ୍ତି ।