ପୁରୀ,୧୨/୦୨: ଆଜି ପଙ୍କୋଦ୍ଧାର ଏକାଦଶୀ । ପ୍ରଭୁ ଶ୍ରୀଲୋକନାଥଙ୍କ ଶ୍ରୀଅଙ୍ଗରୁ ପାଦୁକ ଉଦ୍ଧାର କରାଯାଇଛି। । ବର୍ଷକେ କେବଳ ପଙ୍କୋଦ୍ଧାର ଏକାଦଶୀରେ ହିଁ ଠାକୁରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଶ୍ରଦ୍ଧାଳୁମାନେ ଏହି ଦିନ ଠାକୁରଙ୍କ ଦର୍ଶନ କଲେ ଲକ୍ଷେ ଶିବଲିଙ୍ଗ ଦର୍ଶନ କରିବାର ପୂଣ୍ୟ ଅର୍ଜନ ହୁଏ ବୋଲି ବିଶ୍ୱାସ ରହିଛି । ଏହି ଅବସରରେ ପାର୍ବତୀ ସାଗର କୂଳରେ ଜଳିବ ଜଗତ ମଙ୍ଗଳ ଜାଗର ଦୀପ । ପ୍ରସିଦ୍ଧ ଶୈବପୀଠ ବାବା ଲୋକନାଥଙ୍କ ମନ୍ଦିରର ଏଭଳି ପରମ୍ପରା ସାରା ଦେଶରେ ବିରଳ । ରବିବାର ମହାଶିବରାତ୍ରୀ ତଥା ପ୍ରସିଦ୍ଧ ଜାଗର ଯାତ୍ରା । ଏଣୁ ଭକ୍ତଙ୍କ ସୁବିଧା ପାଇଁ ଆବଶ୍ୟକ ବ୍ୟବସ୍ଥା ସହ ମନ୍ଦିର ରଙ୍ଗରେ ଶେଷ ସ୍ପର୍ଶ ଦିଆଯାଇଛି ।

ବିଳମ୍ବିତ ରାତି ସାଢ଼େ ୧୨ଟାରେ ମନ୍ଦିର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତି ୧ଟା ୧୫ରେ ଠାକୁରଙ୍କ ମଙ୍ଗଳଆଳତି ଓ ଅବକାଶ ପୂଜା ବଢ଼ି ୩ଟା ମଧ୍ୟରେ ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ସରି ଭୋର୍ ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ପଙ୍କୋଦ୍ଧାର ବିଧି ଅନୁଷ୍ଠିତ ହୋଇଛି । ପରେ ଠାକୁରଙ୍କ ମାଘସ୍ନାନ ହୋଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଦିନ ୧୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ଚାଲିବ ।

ଶ୍ରୀଲୋକାନାଥଙ୍କ ସେବାୟତ ନିଯୋଗ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା ଗଣମାଧ୍ୟମକୁ କହିଛନ୍ତି, ଠାକୁରଙ୍କ ଶ୍ରୀମସ୍ତକରେ ବର୍ଷତମାମ ଭକ୍ତମାନେ ଆଣୁଥିବା ଛାଚି, ବେଲପତ୍ରୀ, ଫୁଲ, ଦୁଗ୍ଧ ଓ ମହୁ ଆଦି ବିଭିନ୍ନ ପୂଜା ଦ୍ରବ୍ୟ ଠାକୁରଙ୍କୁ ଲାଗି କରାଯାଏ । ଅନ୍ୟ ସବୁ ମନ୍ଦିରରେ ପୂଜା ସାମଗ୍ରୀଙ୍କୁ ସଫା କରାଯାଉଥିବା ସ୍ଥଳେ କେବଳ ଶ୍ରୀଲୋକନାଥଙ୍କ ପୀଠରେ ହିଁ ଭକ୍ତ ଆଣିଥିବା ଦ୍ରବ୍ୟଙ୍କୁ ଠାକୁରେ ବର୍ଷ ସାରା ଲାଗିହୋଇଥାନ୍ତି । ବର୍ଷକେ ଏହି ଗୋଟିଏ ଦିନ ଠାକୁରଙ୍କ ନିକଟରେ ଜମିଥିବା ପୂଜା ଦ୍ରବ୍ୟ ସବୁ କଢ଼ାଯାଏ । ଏହାକୁ ହିଁ ପଙ୍କ କୁହାଯାଏ । ଭକ୍ତର ମାନସିକ ପୂରଣ ପାଇଁ ଠାକୁରଙ୍କ ଏଭଳି ଅନନ୍ୟ ରୀତିନୀତି ।

ଆହୁରି ପଢ଼ନ୍ତୁ :- କାମନା ପୂରଣ କରନ୍ତି କାମେଶ୍ୱର, ଭକ୍ତ ଡାକିଲେ ଶୁଣନ୍ତି ବାବା ଶ୍ରୀ ଗ୍ରାମେଶ୍ୱର...

ଲୋକନାଥ ମନ୍ଦିର ମ୍ୟାନେଜର ଅପଛ କୁମାର ପରିଡ଼ା କୁହନ୍ତି, ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି । ବରିଷ୍ଠ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ପରିସ୍ଥିତି ଯାଞ୍ଚ କରିଛନ୍ତି । ଠାକୁରଙ୍କ ସମ୍ମୁଖରେ ଅବରୋଧ ନକରି ସମସ୍ତ ଶ୍ରଦ୍ଧାଳୁମାନେ ଧୈର୍ଯ୍ୟର ସହ ଠାକୁରଙ୍କ ଦର୍ଶନ କରିବାକୁ ଅନୁରୋଧ କରାଯାଇଛି । ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ପାଇଁ ୧୦୦ ଟଙ୍କିଆ ସ୍ୱତନ୍ତ୍ର ଟିକେଟ୍ ଦର୍ଶନ ବ୍ୟବସ୍ଥା ମଧ୍ୟ ରହିଥିବା ମ୍ୟାନେଜର ଶ୍ରୀ ପରିଡ଼ା କହିଛନ୍ତି ।

କିମ୍ବଦନ୍ତୀ କୁହେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଏହି ଦିନ ହିଁ କେବଳ ବାବା ଲୋକନାଥଙ୍କ ଦର୍ଶନ କରିପାରିଥିଲେ । ବର୍ଷତମାମ୍ ଠାକୁରେ ଭକ୍ତଙ୍କ ଅଭିଷେକ ସାମଗ୍ରୀରେ ବୁଡ଼ି ରହିଥିବାରେ ପଙ୍କୋଦ୍ଧାର ତଥା ପଙ୍କୋଜଳା ଏକାଦଶୀରେ ସେସବୁ ଉଜ୍ଜ୍ୱଳା ଯାଏ । ଏଣୁ ଭକ୍ତମାନେ ବର୍ଷକେ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତମାନେ ଲମ୍ବା ଧାଡ଼ିରେ ଯାଇ ଠାକୁରଙ୍କ ଦର୍ଶନ କରି ଠାକୁରଙ୍କ ପାଦୁକ ପାଇବେ । ଏହି ପାଦୁକ ସେବନ କଲେ ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତି ମିଳେ ବୋଲି ବିଶ୍ୱାସ ରହିଛି । ଏଥିସହ ଶୁକ୍ରବାର ସନ୍ଧ୍ୟା ସାଢ଼େ୬ଟାରେ ଶ୍ରୀଲୋକନାଥ ମନ୍ଦିର ପ୍ରାଙ୍ଗଣରେ ୧୬ତମ ଜଗତ ମଙ୍ଗଳ ବୃହତମ ଦୀପ ପ୍ରଜ୍ୱଳନ କରାଯିବାର କାର୍ଯ୍ୟକ୍ରମ ରହିଛି ।