ପାରାଦୀପ, ୨୨/୦୫: ବନ୍ଦରନଗରୀ ପାରାଦୀପ ଏବେ ମଦରେ ଭାସୁଛି । ଠିପି ବନ୍ଦ ମଦ ଦୋକାନ ଗୁଡ଼ିକ ପାଲଟିଛି ମୁକ୍ତାକାଶ ବାର୍ । ଯିଏ ଯେଉଁଠି ଖୋଲିଲା ପିଇଲା । ଏଭଳି ଦୃଶ୍ୟ ପାରାଦୀପରେ ଦେଖିବାକୁ ମିଳୁଛି । ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ପ୍ରଣୟନ କରାଯାଇଛି । ଏହି ମାର୍ଗ ଦର୍ଶିକା ଅନୁଯାୟୀ ଅପ ସପ୍ ଗୁଡ଼ିକ ସକାଳ ୧୦ଟାରୁ ରାତି ୧୦ଟା ୩୦ମି ପର୍ଯ୍ୟନ୍ତ ଓ ଅନ୍ ସପ୍ ଗୁଡ଼ିକ ସକାଳ ୧୧ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ହେବାର ନିୟମ ରହିଛି । କିନ୍ତୁ ପାରାଦୀପରେ ଏହାର ଖୋଲାଖୋଲି ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି । ପ୍ରଶାସନର ଜ୍ଞାତସାରରେ ଏହି ପ୍ରକାର ବେନିୟମ କାର୍ଯ୍ୟ ହେଉଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ପାରାଦୀପରେ ୧୧ଟି ଠିପି ବନ୍ଦ (ଅପ୍ ସପ୍) ବିଦେଶୀ ମଦ ଦୋକାନ ରହିଛି । ଏମାନଙ୍କ ମଧ୍ୟରୁ ବାଲିପ୍ଲଟ୍, ଅଠରବାଙ୍କୀ, ବଡପଡ଼ିଆ ଆଦି ସ୍ଥାନରେ ଥିବା ମଦ ଦୋକାନ ଆଗରେ ସିଧାସଳଖ ଠିପି ଖୋଲି ପିଉଛନ୍ତି । ଫଳରେ ଦିନରେ ଛୋଟ ପିଲା, ମହିଳା, ଯୁବତୀ ମାନେ ଯିବା ଆସିବା ଅସୁରକ୍ଷିତ ମନେ କରୁଛନ୍ତି । ଏଦିଗରେ ପ୍ରଶାସନ ନିରବ ରହିବା ସମସ୍ତଙ୍କୁ ଚକିତ କରିଛି । ତଳଠାରୁ ଉପର ପର୍ଯ୍ୟନ୍ତ ସବୁ ଜାଣିଛନ୍ତି ଏହି ଦୋକାନରେ ସବୁ ଚାଲିଛି । କିନ୍ତୁ ଫଟୋ ଉଠାଇବା ସମୟରେ ଦୁଇ ଜଣ ଯୁବକଙ୍କ ଫଟୋ କଏଦ ହୋଇଥିଲା । ସେମାନେ ଶ୍ରମିକ ଶ୍ରେଣୀର । ମଦ କିଣି ବାହାରେ ପିଉ ଥିବାର ଫଟୋ ଦେଖି ନେହୁରା ହୋଇ ଫଟୋ କି ନାଁ ନ ଲେଖିବା ପାଇଁ ଆକୁଳ ନିବେଦନ କରିଥିଲେ ।
ଅଧିକ ପଢ଼ନ୍ତୁ :- Missing Mystery : ଯୁବକଙ୍କ ରହସ୍ୟମୟ ନିଖୋଜ.. ଯୁବତୀଙ୍କ ଇନ୍ଷ୍ଟାଗ୍ରାମ୍ ଷ୍ଟୋରିରେ ଶବାଗାରର ଫଟୋ, ରାହୁଲ ସହ ସମ୍ପର୍କ କ'ଣ ?
ଏହିଭଳି ଚୋରାରେ ମଦ ବିକ୍ରି କରି କୋଟି କୋଟି ଟଙ୍କାର ବେପାର କରୁଛନ୍ତି । ମଦ ଏଜେଣ୍ଟମାନେ ପାରାଦୀପ ସବଷ୍ଟେସନ, ବୃନ୍ଦାବନ କଲୋନୀ, ନୂଆବଜାର, ଷଣ୍ଢକୁଦ, ମୂଷାଢିଆ, ଗିରିଧାରୀ ଛକ, ବାଲିଝରା ଆଦି ଅଞ୍ଚଳକୁ ବାଇକ୍ ଯୋଗେ ମଦ ଯୋଗାଇ ଥାଆନ୍ତି । ଏଠାରେ ମଦ ଗଚ୍ଛିତ ରହିଥାଏ । କିନ୍ତୁ ପାରାଦୀପ ଫାଣ୍ଡି ଅଞ୍ଚଳରେ ଏହାର ଖୁଲମଖୋଲା ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଛି । କିନ୍ତୁ ମାମଲା ଶୂନ । ଅବକାରୀ ବିଭାଗ ହେଉ କି ପୁଲିସ ବିଭାଗ ହୁଅନ୍ତୁ ଜାଣି ନ ପାରିବାର ବାହାନା କରି ମାଲାମାଲ ହେଉଛନ୍ତି । ନିଜର ସ୍ଥିତି ରକ୍ଷା ପାଇଁ ପୁଲିସ ହେଉ କି ଅବକାରୀ ବିଭାଗ ପକ୍ଷରୁ କଦବା ଚଢ଼ଉ କରାଯାଇ କିଛି ମଦ ଜବତ କରିବା ସହ ଚୋରା ମଦ ବେପାରୀଙ୍କୁ ଗିରଫ କରୁଛନ୍ତି ।
ପାରାଦୀପରେ ୧୧ଟି ଠିପି ବନ୍ଦ ବିଦେଶୀ ମଦ ଦୋକାନ ସହିତ ୧୮ଟି ମଦ ବାର୍ ଓ ୬ଟି ଦେଶୀ ମଦ ଦୋକାନ ରହିଛି । ପାରାଦୀପ ଆଦର୍ଶ ଥାନା ସହକାରୀ ଅଧିକାରୀ ସନ୍ତୋଷ ବଳଙ୍କୁ ପଚାରିବାରୁ ଦୁଇ ମାସ ମଧ୍ୟରେ ଜୋର୍ଦାର ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହି କାର୍ଯ୍ୟକ୍ରମ ଆଗକୁ ଆହୁରି ଚଢ଼ଉକୁ ଜୋର୍ଦାର କରାଯିବ ବୋଲି କହିଛନ୍ତି।