ତରବୋଡ଼, ୨୨/୦୫: କୋମନା ବ୍ଲକ ହାତୀସରା ଲରିଆପଡ଼ାର ରାହୁଲ ମାଝିଙ୍କ ନିଖୋଜ ଘଟଣା ଦିନକୁଦିନ ରହସ୍ୟମୟ ହେବାରେ ଲାଗିଛି । ଜଣେ ଅଜଣା ଯୁବତୀଙ୍କ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ରାହୁଲଙ୍କ ରକ୍ତ ଜୁଡୁବୁଡୁ ମୃତଦେହର ଫଟୋ ପୋଷ୍ଟ ହୋଇଥିବାବେଳେ ବର୍ତ୍ତମାନ କୌଣସି ଏକ ଡାକ୍ତରଖାନାର ଶବାଗାରର ଫଟୋ ମଧ୍ୟ ପୋଷ୍ଟ କରାଯାଇଛି । ଫଟୋରେ ଏକ ଶବାଗାରରେ ଧଳା କପଡ଼ା ଢଙ୍କା ଯାଇଥିବା ଏକାଧିକ ଶବ ଷ୍ଟ୍ରେଚର ଗୁଡ଼ିକରେ ରହିଛି । ସେଥିମଧ୍ୟରୁ ଗୋଟିଏ ଶବପଟେ ଏରୋମାର୍କ ଦେଇ ରାହୁଲଙ୍କ ଫାଇଲ୍ ଫଟୋକୁ ଚିହ୍ନିତ କରାଯାଇ, ମିସ୍ ୟୁ ରାହୁଲ, ଭଗବାନ ତୁମର ଆତ୍ମାକୁ ଶାନ୍ତି ଦିଅନ୍ତୁ । ଫେରିଆସ ବାବୁ, ତୁମକୁ ମନେ ପଡୁଛି ବୋଲି ହିନ୍ଦୀରେ ଲେଖାଯାଇଛି।
ଅନ୍ୟପକ୍ଷରେ, ମୋବାଇଲ ଟ୍ରାକିଂ କରାଯିବାରୁ ଆନ୍ଧ୍ରପ୍ରଦେଶର କୌଣସି ଅଞ୍ଚଳରେ ରାହୁଲଙ୍କ ମୋବାଇଲ ନମ୍ବର ଦେଇ ଏକ ଗ୍ୟାସ୍ କନେକ୍ସନ ନିଆଯାଇଥିବା ସୂଚନା ମିଳିଛି । ପୁଣି ଗତ ୧୩ତାରିଖ ପର୍ଯ୍ୟନ୍ତ ରାହୁଲଙ୍କ ମୋବାଇଲ ଲୋକେସନ ରାୟପୁର ଦେଖାଉଥିବା ମଧ୍ୟ କୁହାଯାଉଛି । ଏସବୁ ସୂଚନା ମିଳିବା ପରେ ରାହୁଲଙ୍କ ପରିବାର ଲୋକେ ଆହୁରି ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ଅଘଟଣ ଆଶଙ୍କା କରୁଛନ୍ତି । ରାହୁଲ ଘରୁ ଗଲାବେଳେ କଟକ ଯାଉଛି ବୋଲି କହି ଯାଇଥିଲେ । ହେଲେ ପରବର୍ତ୍ତି ସମୟରେ ସେ କେଉଁଠି ଥିଲେ ସେନେଇ ପରିବାର ଲୋକେ ସନ୍ଦିହାନ । ରାହୁଲଙ୍କ ସହ ଯୋଗାଯୋଗ ରହିଥିବାବେଳେ ସେ ଭଲରେ ଅଛି, କାମ ଠିକ୍ ଚାଲିଛି ବୋଲି କହୁଥିଲେ । ହେଲେ ହଠାତ୍ କଣ ହୋଇଛି ତାହା ଜଣାପଡୁନି ।
ଅଧିକ ପଢ଼ନ୍ତୁ :- Dating App Loot: ଡେଟିଂ ଆପରେ ପ୍ରେମ କରି ଫସିଲେ ଯୁବକ; ଝିଅ ଭାବି ପୁଅକୁ ଦେଇଦେଲେ ମନ, ହେଲେ ଲୁଟର ଶିକାର
ଉଲ୍ଲେଖ ଯୋଗ୍ୟ ଯେ, ମାଁ ବାପା ଛେଉଣ୍ଡ ରାହୁଲ କେତେକ ସାଙ୍ଗଙ୍କ ସହ ମିଶି କାମକରିବାକୁ କଟକ ଯାଉଛି ବୋଲି କହି ଗତ ଜୁଲାଇ ମାସରେ ଘରୁ ବାହାରିଥିଲେ । ହେଲେ ସପ୍ତାହେରୁ ଅଧିକ ଦିନ ହେଲା ତାଙ୍କର କିଛି ଖୋଜଖବର ମିଳୁନାହିଁ । ତାଙ୍କ ମୋବାଇଲ୍ ଫୋନ ସ୍ୱିଚ୍ଅଫ୍ ଆସୁଥିବାବେଳେ ଜଣେ ଝିଅର ଇନ୍ଷ୍ଟାଗ୍ରାମ ଷ୍ଟୋରୀ, ରାହୁଲ୍ ନିଖୋଜ ଘଟଣାକୁ ରହସ୍ୟମୟ କରିଦେଇଛି । ତେବେ କିଏ ଏହି ଯୁବତୀ? ରାହୁଲ ସହ ତାର ସମ୍ପର୍କ କଣ? ପୁଲିସ୍ ଏଦିଗରେ ଖୋଳତାଡ଼ କରିବାକୁ ଦାବି ହେଉଛି ।