ଭୁବନେଶ୍ୱର,୧୫/୧୧: ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ସିବିଆଇ ପଞ୍ଝାରେ ପଡ଼ିଥିବା ପାରାଦୀପ ବନ୍ଦରର ମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ ସରୋଜ କୁମାର ଦାସଙ୍କ ଅଡୁଆ ବଢ଼ିଛି । ୩ ବର୍ଷ ତଳେ ନୂଆଦିଲ୍ଲୀ ସିବିଆଇ ଅଧିକାରୀଙ୍କ ଯାଞ୍ଚ ବେଳେ ତାଙ୍କର ୧ କୋଟି ୩୧ ଲକ୍ଷ ଟଙ୍କାର ଆୟଠୁ ଅଧିକ ସମ୍ପତ୍ତି ଠାବ ହୋଇଥିଲା । ଏହି ମାମଲାର ତଦନ୍ତଭାର ଭୁବନେଶ୍ୱର ସିବିଆଇ ନେଇଛି । ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।

ସିବିଆଇ ସୂତ୍ରରୁ ପ୍ରକାଶ ଯେ ସରୋଜ ୧୯୮୯ ମସିହାରୁ ପାରାଦୀପ ବନ୍ଦରରେ ଚାକିରି କରୁଛନ୍ତି । ଏହା ଭିତରେ ସେ ଭାରତର ଅନ୍ୟାନ୍ୟ ବନ୍ଦରରେ ମଧ୍ୟ ଯନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହା ଜାନୁଆରୀରେ ମୁଖ୍ୟ ଯାନ୍ତ୍ରିକ ଯନ୍ତ୍ରୀ ଭାବେ ସେ ପୁଣି ପାରାଦୀପକୁ ଫେରିଥିଲେ । ୨୦୨୨ ଅଗଷ୍ଟ ଯାଏ ସରୋଜ ପାରାଦୀପରେ ଚାକିରି କରିଥିଲେ । ଏହି ଚାକିରି କାଳ ଭିତରେ ସେ ଏସବୁ କଳାଟଙ୍କା ଠୁଳ କରିଛନ୍ତି । କିଛି ବେନାମୀ ସମ୍ପତ୍ତି ମଧ୍ୟ ସଞ୍ଚିଛନ୍ତି । ୨୦୨୨ ମସିହା ଅଗଷ୍ଟ ମାସରେ ସିବିଆଇ ଦିଲ୍ଲୀ ଶାଖାର ଏସି-୧ ପକ୍ଷରୁ ତାଙ୍କ କଳା ସାମ୍ରାଜ୍ୟରେ ଚଢ଼ଉ କରାଯାଇଥିଲା । ଯାଞ୍ଚ ବେଳେ ସରୋଜ ଓ ତାଙ୍କ ପରିବାର ଲୋକଙ୍କ ହେପାଜତରୁ ପୁଳା ପୁଳା ସୁନା ଅଳଙ୍କାର ଓ ନଗଦ ଟଙ୍କା ସହ ବିଭିନ୍ନ କ୍ଷେତ୍ରରେ କରିଥିବା ନିବେଶର ପ୍ରମାଣ ମିଳିଥିଲା । ସେ ଆୟଠୁ ୩୩୭. ୪୫ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଥିବା ସିବିଆଇ ଦର୍ଶାଇଥିଲା ।

ଗତ ସେପ୍ଟେମ୍ବର ୧୫ ତାରିଖରେ ତାଙ୍କ ବିରୋଧରେ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିଥିବା ନେଇ ପୁଣି ଅଭିଯୋଗ ହୋଇଥିଲା । ପ୍ରାଥମିକ ତଦନ୍ତରୁ ତାଙ୍କ ବିରୋଧରେ ପ୍ରମାଣ ମିଳିବାରୁ ଏହାର ତଦନ୍ତଭାର ଭୁବନେଶ୍ୱର ଶାଖାକୁ ଦିଆଯାଇଛି । ସିବିଆଇ ପକ୍ଷରୁ ଆରସି ୩୬(ଏ)/୨୫ରେ ଏକ ବିଧିବଦ୍ଧ ମାମଲା ରୁଜୁ କରାଯାଇଛି । ଏହି ମାମଲାର ତଦନ୍ତକାରୀ ଅଧିକାରୀ ଭାବେ ଇନ୍ସପେକ୍ଟର ଅନିଲ ମାନ ସରୋଜଙ୍କ ସମ୍ପତ୍ତିର ଛାନଭିନ୍ କରିବେ ।