ଭୁବନେଶ୍ୱର, ୧୫/୦୨: ବାହାରିନର ମାନାମା ଠାରେ ଆୟୋଜିତ ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡ଼ମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍ରେ ପାରାଲିମ୍ପିଆନ୍ ପ୍ରମୋଦ ଭଗତ ଡବଲ୍ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ଓ ଦେଶ ପାଇଁ ସୁନାମ ଆଣିଛନ୍ତି । ସେ ଉଭୟ ପୁରୁଷ ସିଙ୍ଗଲ୍ସ (ଏସ୍ଏଲ୍୩) ଓ ଡବଲ୍ସ (ଏସ୍ଏଲ୍୩-ଏସ୍ଏଲ୍୪)ରେ ଚାମ୍ପିଅନ୍ ହୋଇଛନ୍ତି ।
ପୁରୁଷ ସିଙ୍ଗଲ୍ସ ଫାଇନାଲ୍ରେ ପ୍ରମୋଦ ସିଧାସଳଖ ୨୧- ୧୨, ୨୧-୧୮ ଗେମ୍ରେ ଇଣ୍ଡୋନେସିଆର ମହମ୍ମଦ ଅଲ୍ ଇମ୍ରାନଙ୍କୁ ପରାସ୍ତ କରିଥିଲେ । ଏଥିସହ ସେ ସିଙ୍ଗଲ୍ସରେ ଷଷ୍ଠ ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି । ପୂର୍ବରୁ ପ୍ରମୋଦ ୨୦୦୯, ୨୦୧୫, ୨୦୧୯, ୨୦୨୨, ୨୦୨୪ରେ ମଧ୍ୟ ଚାମ୍ପିଅନ୍ ହୋଇଥିଲେ । ସେ କ୍ରମାନ୍ୱୟରେ ଚତୁର୍ଥ ବିଶ୍ୱ ଟାଇଟଲ୍ ହାସଲ କରିଛନ୍ତି ।
ଆହୁରି ପଢ଼ନ୍ତୁ :- ସେଦିନ ବି ଥିଲା ଜାଗର...୨୩ ବର୍ଷ ତଳେ ଭାରତ ମହାତାଣ୍ଡବରେ ଧୂଳିଚାଟିଥିଲା ପାକିସ୍ତାନ, ଏଥର ବି କୃପା କରିବେ କି ମହାଦେବ ?
ସୂଚନାଯୋଗ୍ୟ, ଚୀନର ଲିନ୍ ଡାନ୍ ସକ୍ଷମଙ୍କ ପାଇଁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ୫ଟି ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ୍ ଜିତିଛନ୍ତି । ପୁରୁଷ ଡବଲ୍ସରେ ସୁକାନ୍ତ କଦମଙ୍କୁ ସାଥୀ କରି ପ୍ରମୋଦ ଆଉ ଏକ ସ୍ୱର୍ଣ୍ଣ ଭେଟି ଦେଇଥିଲେ । ଫାଇନାଲ୍ରେ ଉଭୟ ସିଧାସଳଖ ୨୧-୧୯, ୨୧-୧୬ ଗେମ୍ରେ ନିଜ ଦେଶର ଜଗଦୀଶ ଓ ନବୀନ ଶିବକୁମାର ଯୋଡ଼ିଙ୍କୁ ପରାଜିତ କରିଥିଲେ । ବିଶ୍ୱ ଚାମ୍ପିଅନସିପ୍ରେ ପ୍ରମୋଦ ମୋଟ ୯ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ତାଙ୍କର ଏହି ସଫଳତାକୁ ନେଇ ପାରା ସ୍ପୋର୍ଟ୍ସ ଆସୋସିଏସନ ଅଫ୍ ଓଡ଼ିଶାର କର୍ମକର୍ତ୍ତାମାନେ ଶୁଭେଚ୍ଛା ଜଣାଇଛନ୍ତି।