କେନ୍ଦୁଝର, ୧୮/୧୧ : ପଣ୍ଡାପଡ଼ା ଥାନା ଅଧୀନ ତେନ୍ତଳାପଶି ଗ୍ରାମରେ ଜଣେ ନାବାଳିକାକୁ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ଜାମିନ ମିଳିଛି। ଏହି ଘଟଣାରେ ନାବାଳିକାଙ୍କ ମାଆ ଓ ବାପା ପଶ୍ଚିମାଞ୍ଚଳ ଡିଆଇଜି ବ୍ରଜେଶ କୁମାର ରାୟଙ୍କୁ ଭେଟି ଘଟଣାର କ୍ରାଇମବ୍ରାଞ୍ଚ କିମ୍ବା ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ତେବେ ଏହି ଘଟଣାର ଭଲ କରି ତଦନ୍ତ ହେବ ବୋଲି ଡିଆଇଜି ପ୍ରତିଶ୍ରୁତି ଦେଇଛନ୍ତି।
ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗ୍ରାମର ଏକ ଆଦିବାସୀ ଦମ୍ପତିଙ୍କ ଅଭିଯୋଗ ଅନୁଯାୟୀ ଗତ ୧୭/୬/୨୫ ରାତିରେ ସେମାନଙ୍କ ଝିଅଙ୍କୁ ପଡୋଶୀ ଗାଁର ଜଣେ ପିଲା ଡାକି ନେଇ ସାଙ୍ଗ ମାନଙ୍କ ସହ ମିଶି ଦୁଷ୍କର୍ମ କରି ହତ୍ୟା କରିଥିଲା। ଘରେ ରାତିରେ ଝିଅକୁ ଖୋଜି ପାଇଲେ ନାହିଁ । କିନ୍ତୁ ସକାଳେ ଝିଅ ନିଜ ବାରିରେ ଥିବା ଛୋଟ ସଜନା ଗଛରେ ତଳେ ଠିଆ ହୋଇ ଝୁଲୁ ଥିବାର ପରିବାର ଲୋକେ ଦେଖିଥିଲେ।
ଝିଅକୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରିଥିଲେ।ଏହାପରେ ସ୍ଥାନୀୟ ପଣ୍ଡାପଡ଼ା ଥାନା ପୋଲିସ ଆସି ଶବ ଜବତ କରି ବ୍ୟବଚ୍ଛେଦ କରାଇ ତଦନ୍ତ ଚଳାଇ ଥିଲା। ତେବେ ପରିବାର ପକ୍ଷରୁ ଝିଅ ହତ୍ୟା ନେଇ ତଥ୍ୟ ଦେବା ପରେ ପୋଲିସ କାହାକୁ ଗିରଫ କଲା ନାହିଁ । ଶେଷରେ ପ୍ରବଳ ଜନ ଆକ୍ରୋଶ ପ୍ରତିବାଦ ହେବାରୁ ୪ ଜଣ ପାଖ ପିଲାଙ୍କୁ ଗିରଫ କରାଯାଇଥିଲା।
ତେବେ ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ ଜଣ ଜାମିନ ପାଇ ସାରିଲେଣି। ମଙ୍ଗଳବାରମୁଖ୍ୟ ଅଭିଯୁକ୍ତକୁ ଜାମିନ ମିଳିଛି।ଏବେ ଅଭିଯୁକ୍ତମାନେ ଜାମିନ ପାଇ ଆସିବା ପରେ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଉଥିବା ଦମ୍ପତି ଅଭିଯୋଗ କରିଚନ୍ତି।ସୁରକ୍ଷା ଲାଗି ଦମ୍ପତି ଏସପିଙ୍କୁ ଦରଖାସ୍ତ ଦେବାକୁ ଆସୁଥିଲେ ହେଲେ ବାଟରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରଜେଶ କୁମାର ରାୟଙ୍କୁ ପାଇ ଦାବିପତ୍ର ଦେଇଥିଲେ। ଏହି ମାମଲା ସିବିଆଇ କି କ୍ରାଇମବ୍ରାଞ୍ଚ ପୁନଃ ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି। ଡିଆଇଜି ଏହି ଘଟଣାର ଭଲ କରି ତଦନ୍ତ ହେବ କହିଛନ୍ତି।