ନୂଆଦିଲ୍ଲୀ: ଭାରତରେ, ପାର୍ଲେ-ଜି ବିସ୍କୁଟର ଲୋକପ୍ରିୟତା ଏବେ ବି ଅପରିବର୍ତ୍ତିତ । ଆମ ଦେଶରେ ପ୍ରାୟ ପ୍ରତି ଘରେ ଚା’ ସହିତ ଖାଉଥିବା ସବୁଠାରୁ ପ୍ରିୟ ବିସ୍କୁଟ ମଧ୍ୟରୁ ଗୋଟିଏ। ପ୍ରତ୍ୟେକ ଭାରତୀୟ ପରିବାର ସହିତ ପରିଚିତ ବିସ୍କୁଟ। ଯୁଦ୍ଧଗ୍ରସ୍ତ ଗାଜା ପଟିରେ ଏହି ଭାରତୀୟ ବିସ୍କୁଟ ଏକ ଭିନ୍ନ ପରିଚୟ ହାସଲ କରିଛି । ଆଉ ଏହି ବିସ୍କୁଟ ସେଠାରେ ଅମୂଲ ମୂଲ । ଭାରତରେ ୫ ଟଙ୍କାରେ ବିକ୍ରି ହେଉଥିବା ପାର୍ଲେ-ଜି ବିସ୍କୁଟ ୨୩୦୦ ଟଙ୍କାରେ ବିକ୍ରି ହେଉଛି।

 ଦୁର୍ଭିକ୍ଷର ଦ୍ବାରଦେଶରେ ଥିବା ଗାଜାରେ ଲୋକଙ୍କ ପାଇଁ ଏହି ବିସ୍କୁଟ ଏବେ ଜୀବନ ବଞ୍ଚାଇବାର ମାଧ୍ୟମ ପାଲଟିଛି କହିଲେ ଭୁଲ ହେବ ନାହିଁ ।  ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଗାଜାରେ ରହୁଥିବା ପାଲେଷ୍ଟାଇନ ନାଗରିକ ମହମ୍ମଦ ଜୱାଦଙ୍କ ଏକ ଭାଇରାଲ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପାର୍ଲେ-ଜିର ମୂଲ୍ୟ ସଂପର୍କରେ ଜଣାପଡ଼ିଛି । 

 ଏହି ପୋଷ୍ଟ ବିଶ୍ବକୁ ଜଣାଇ ଦେଇଛି ଯେ, ଯୁଦ୍ଧଗ୍ରସ୍ତ ଗାଜାରେ ପରିସ୍ଥିତି କେତେ ଜଟିଳ। ଜାତିସଂଘ ଗାଜାକୁ ବିଶ୍ବର ସବୁଠାରୁ ବିପଦପୂର୍ଣ୍ଣ ଯୁଦ୍ଧକ୍ଷେତ୍ର ଭାବରେ ଘୋଷଣା କରିଛି। ସମ୍ପ୍ରତି ଏକ ରିଲିଫ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର ଉପରେ ଗୁଳିଚାଳନା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ମହମ୍ମଦ ଜୱାଦ ପୋଷ୍ଟ କରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି, ତାଙ୍କ ସାନ ଝିଅ ରଫିକ ପାର୍ଲେ-ଜି ବିସ୍କୁଟର ଏକ ପ୍ୟାକେଟ ଧରିଛନ୍ତି । 




ଜୱାଦ କହିଛନ୍ତି ଯେ, ସେ ଗୋଟିଏ ପ୍ୟାକେଟ ବିସ୍କୁଟ ପାଇଁ ୨୪ ୟୁରୋ (ପ୍ରାୟ ୨୩୪୨ ଟଙ୍କା) ରୁ ଅଧିକ ଦେଇଛନ୍ତି । ଏହା ସାଧାରଣତଃ ଭାରତୀୟ ବଜାରରେ ୫ ଟଙ୍କାରୁ କମ୍ ମୂଲ୍ୟରେ ମିଳିଥାଏ । ଗାଜାରେ ପାର୍ଲେ-ଜିର ମୂଲ୍ୟ ୧.୫ ୟୁରୋରୁ ୨୪ ୟୁରୋରେ ପହଞ୍ଚିଛି ।