ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ସଂସଦରେ ସମ୍ବିଧାନ ଚର୍ଚ୍ଚା ପାଇଁ ସହମତି, ଆଜିଠୁ ସ୍ୱାଭାବିକ ହୋଇପାରେ ଗୃହ

Published By : Prameya | December 3, 2024 8:55 AM

ନୂଆଦିଲ୍ଲୀ,୦୩/୧୨: ସପ୍ତାହେ ଧରି ସଂସଦରେ ଲାଗିରହିଥିବା ଅଚଳାବସ୍ଥାର ଅବସାନ ଘଟିବ । ମଙ୍ଗଳବାର ଠାରୁ ଉଭୟ  ଗୃହରେ ସ୍ୱାଭାବିକ ଆଲୋଚନା ହେବା ନେଇ  ଆଶା ପ୍ରକାଶ ପାଇଛି । ସୋମବାର ଅନୁଷ୍ଠିତ  ସର୍ବଦଳୀୟ ବୈଠକ ପରେ ଶାସକ ଓ  ବିରୋଧୀ ପକ୍ଷଙ୍କ ମଧ୍ୟରେ ସ୍ୱାଭାବିକ ଗୃହ  ପରିଚାଳନା ନେଇ ସହମତି ହୋଇଛି ।  ସମ୍ବିଧାନ ଉପରେ ଆଲୋଚନା ପାଇଁ ଲୋକସଭା  ବାଚସ୍ପତି ଓମ୍‌ ବିର୍ଲା ରାଜି ହୋଇଛନ୍ତି । 

ଓମ୍‌ ବିର୍ଲାଙ୍କ ପକ୍ଷରୁ ସୋମବାର ସର୍ବଦଳୀୟ ବୈଠକ ଡକାଯାଇଥିଲା ।  ଏଥିରେ ଟିଡିପିର ଲଭୁ କ୍ରିଷ୍ଣା ଦେବରାୟଲୁ, କଂଗ୍ରେସର ଗୌରବ ଗୋଗୋଇ,  ଡିଏମ୍‌କେର ଟି ଆର ବାଲୁ, ଏନ୍‌ସିପିର  ସୁପ୍ରିୟା ସୁଲେ ପ୍ରମୁଖ ସାମିଲ ହୋଇଥିଲେ ।  ଏହାଛଡ଼ା ସପା, ଆର୍‌ଜେଡି, ଟିଏମ୍‌ସି,  ଶିବସେନା (ୟୁବିଟି), ସିପିଆଇ (ଏମ୍‌) ର ପ୍ରତିନିଧିମାନେ ବି ଯୋଗଦେଇଥିଲେ ।  ଉଭୟ ଗୃହ କିଭଳି ସୁରୁଖୁରୁରେ ଚାଲିବ, ତାହା ନେଇ ଆଲୋଚନା ହୋଇଥିଲା । 

ବୈଠକ ପରେ ସଂସଦୀୟ ବ୍ୟାପାର  ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ମଙ୍ଗଳବାରଠାରୁ ସମ୍ଭବତଃ ଉଭୟ  ଲୋକସଭା ଓ ରାଜ୍ୟସଭା ସ୍ୱାଭାବିକ ଭାବେ  ଚାଲିବ । ଅଧିବେଶନ ଆରମ୍ଭରୁ ଲାଗିରହିଥିବା  ଅଚଳାବସ୍ଥାକୁ ନେଇ ସମସ୍ତେ ଚିନ୍ତାବ୍ୟକ୍ତ  କରିଥିଲେ । ସମ୍ବିଧାନ ଉପରେ ଚର୍ଚ୍ଚା ପାଇଁ  ସହମତି ପ୍ରକାଶ ପାଇଛି । ଲୋକସଭାରେ  ଡିସେମ୍ବର ୧୩ ଓ ୧୪ରେ ଏହି ପ୍ରସଙ୍ଗ  ଉପରେ ଚର୍ଚ୍ଚା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ନିଜ ମତ ରଖିବେ । ସେହିଭଳି ୧୬  ଓ ୧୭ ତାରିଖରେ ରାଜ୍ୟସଭାରେ ଆଲୋଚନା  ହେବ । ସମସ୍ତେ ଏହାକୁ ଗ୍ରହଣ କରିଛନ୍ତି ।  ଯଦି କେହି କୌଣସି ପ୍ରସଙ୍ଗ ଉଠାଇବାକୁ  ଚାହାନ୍ତି, ସେଥିଲାଗି ନିୟମ ରହିଛି । ନିୟମ  ଅନୁସାରେ ନୋଟିସ ଦାଖଲ କରିବାକୁ  ହେବ । କିନ୍ତୁ ସଂସଦରେ ଅଚଳାବସ୍ଥା ସୃଷ୍ଟି  କରାଯିବା ଉଚିତ ନୁହେଁ । 

ରିଜିଜୁ କହିଛନ୍ତି, ମଙ୍ଗଳବାରଠାରୁ  ଗୃହକାର୍ଯ୍ୟ ସ୍ୱାଭାବିକ ଚାଲିବା ପରେ  ଆମେ ଲୋକସଭାରେ ପ୍ରଥମ ବିଲ୍‌  ପାରିତ କରାଇବୁ । ରାଜ୍ୟସଭାରେ ମଧ୍ୟ  ବିଲ୍‌ ଗୃହୀତ ହେବ । ଏହି ପରିପ୍ରେକ୍ଷୀରେ  ମୁଁ ସମସ୍ତ ବିରୋଧୀ ସାଂସଦ ଏବଂ ନେତାଙ୍କୁ  ଗୃହକାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ  ଦେଉଛି । ଟିଏମ୍‌ସି ସାଂସଦ କଲ୍ୟାଣ  ବାନାର୍ଜୀ କହିଛନ୍ତି, ମଙ୍ଗଳବାର ଠାରୁ  ଗୃହରେ ସ୍ୱାଭାବିକ ଆଲୋଚନା ହେବା ନେଇ  ଆଶା । ଏଥିପାଇଁ ଆଜି ସହମତି ହୋଇଛି ।  ବାଚସ୍ପତି ମଙ୍ଗଳବାର ସମ୍ଭଲ ଓ ବାଂଲାଦେଶ  ପ୍ରସଙ୍ଗ ଉପରେ ଆଲୋଚନା ଲାଗି ଅନୁମତି  ଦେବେ ବୋଲି ଆଶା । 

ଉଲ୍ଲେଖଯୋଗ୍ୟ, ନଭେମ୍ବର ୨୫ରୁ  ସଂସଦର ଶୀତକାଳୀନ ଅଧିବେଶନ  ଆରମ୍ଭ ହୋଇଥିଲା । ଇତିମଧ୍ୟରେ ସପ୍ତାହେ  ବିତିଥିଲେ ହେଁ ଆଦାନି, ସମ୍ଭଲ ଓ ମଣିପୁର  ଭଳି ପ୍ରସଙ୍ଗକୁ ନେଇ ସଂସଦରେ ହଟ୍ଟଗୋଳ  ଲାଗିରହିଥିଲା । ବିରୋଧୀମାନେ ନିଜ ଜିଦ୍‌ରେ  ଅଟଳ ରହି ହଙ୍ଗାମା ଜାରି ରଖିଥିଲେ ।  ଏମିତି କି ସୋମବାର ମଧ୍ୟ ଆଦାନି, ସମ୍ଭଲ  ଓ ମଣିପୁର ହିଂସାକୁ ନେଇ ଉଭୟ ଗୃହରେ  ହଙ୍ଗାମା ହୋଇଥିଲା। ଏହାପରେ ଉଭୟ  ଗୃହକୁ ଡିସେମ୍ବର ୩ ପର୍ଯ୍ୟନ୍ତ ମୁଲତବୀ  ରଖାଯାଇଛି । କିନ୍ତୁ ସର୍ବଦଳୀୟ ବୈଠକ  ପରେ ସ୍ୱାଭାବିକ ସଂସଦ ଚାଲିବା ନେଇ  ନୂଆ ଆଶା ଦେଖାଦେଇଛି ।

କେନ୍ଦ୍ରମନ୍ତ୍ରୀ  ରିଜିଜୁ କହିଛନ୍ତି, ସମ୍ବିଧାନ ଏକ ପୁସ୍ତକ ।  ନାଗରିକ ଭାବେ ଆମେ ସମସ୍ତେ ଉଚିତ  ମାର୍ଗ ଅନୁସରଣ କରିବା ଆବଶ୍ୟକ । ଅନେକ ଲୋକ ସମ୍ବିଧାନ ଉପରେ ବିଭିନ୍ନ  ସମୟରେ ନିଜ ମତାମତ ଦେଇଛନ୍ତି ।  ଆବଶ୍ୟକତା ଅନୁସାରେ ଏହାକୁ  ସଂଶୋଧନ ବି କରାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.