ବ୍ରହ୍ମପୁର,୦୭/୦୪: ବ୍ରହ୍ମପୁର ଏମ୍‌କେସିଜି  ମେଡିକାଲ କଲେଜ ଓ ହସ୍ପିଟାଲ୍‌ର ଅଲୋଡ଼ା ରେକର୍ଡ । ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟରେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌ ର‌୍ୟାଗିଂ ହଟ୍‌ସ୍ପଟ୍‌ ତାଲିକାରେ ଦେଶରେ ୧ ନମ୍ବରରେ ରହିଛି । ୟୁଜିସି ହେଲ୍‌ପ ଲାଇନ୍‌କୁ ଆସିଥିବା ଅଭିଯୋଗକୁ ଆଧାର କରି ଏହି  ରିପୋର୍ଟ ପ୍ରସ୍ତୁତ ହୋଇଛି ।  

ଦେଶର ଉଚ୍ଚଶିକ୍ଷା ଅନୁଷ୍ଠାନମାନଙ୍କରେ ଏବେ ରାଗିଂ  ବଢ଼ୁଥିବା ରିପୋର୍ଟ ଦାଖଲ କରିଛି ଶିକ୍ଷା ବିଭାଗ ସଂସଦୀୟ  ଷ୍ଟାଣ୍ଡିଂ କମିଟି । ରାଗିଂକୁ ନେଇ କମିଟି ଉଦ୍‌ବେଗ ପ୍ରକାଶ  କରିଛି । ଏଥିରେ ସୁଧାର ଆଣିବା ଦିଗରେ ପଦକ୍ଷେପ  ନେବାକୁ ପ୍ରସ୍ତାବ ଦେଇଛି । ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ କଂଗ୍ରେସ  ରାଜ୍ୟସଭା ସଦସ୍ୟ ଦିଗ୍‌ବିଜୟ ସିଂହ ନିକଟରେ ଦେଶରେ  ହୋଇଥିବା ରାଗିଂକୁ ନେଇ ଏକ ରିପୋର୍ଟ ଦାଖଲ କରିଛନ୍ତି ।  

ଷ୍ଟାଣ୍ଡିଂ କମିଟି ରିପୋର୍ଟ ଅନୁସାରେ  ବିଶ୍ୱବିଦ୍ୟାଳୟମାନଙ୍କରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମଧ୍ୟ ହଟ୍‌ସ୍ପଟ୍‌  ତାଲିକାରେ ରହିଛି । ଏଠାରୁ ୩୧ଟି ରାଗିଂ ଅଭିଯୋଗ ହୋଇଛି । ୨୦୧୬ରେ ଦେଶରେ ୫୧୫ଟି ର‌୍ୟାଗିଂ ଅଭିଯୋଗ  ହୋଇଥିଲା । ୨୦୨୪ରେ ତାହା ଦ୍ୱିଗୁଣିତ ହୋଇ  ୧୦୮୪ରେ ପହଞ୍ଚିଛି । ଉଚ୍ଚଶିକ୍ଷା ଅନୁଷ୍ଠାନରେ ରାଗିଂ  ବୃଦ୍ଧି ଘଟଣା ଚିନ୍ତାର କାରଣ ବୋଲି ଷ୍ଟାଣ୍ଡିଂ କମିଟି  ରିପୋର୍ଟରେ ଦର୍ଶାଇଛି । ଏହି ରିପୋର୍ଟ ଅନୁସାରେ,  ପ୍ରତିଦିନ ଦେଶରେ ୩ଟି ରାଗିଂ ଅଭିଯୋଗ ହେଉଛି । 

ଦେଶରେ ମେଡିକାଲ କଲେଜମାନଙ୍କରେ ସୋସାଇଟି  ଏଗେନ୍‌ଷ୍ଟ ଭାୟୋଲେନ୍ସ ଇନ୍‌ ଏଜୁକେସନ୍‌ (ସେଭ୍‌) ର ସର୍ଭେ ରିପୋର୍ଟ ଅନୁସାରେ ରାଗିଂରେ ଉତ୍ତରପ୍ରଦେଶ,  ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା,  ଛତିଶଗଡ଼ ଓ ତାମିଲନାଡ଼ୁ ଆଗରେ ରହିଛି । ସେଭ୍‌ ରିପୋର୍ଟ  ଅନୁସାରେ, ଓଡ଼ିଶାର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ  କଲେଜ ୨୦୨୨-୨୪ ମଧ୍ୟରେ ରାଗିଂ ହଟ୍‌ସ୍ପଟ୍‌ ତାଲିକାରେ  ଆଗରେ ରହିଛି । ଏହି ଅବଧି ମଧ୍ୟରେ ଏମ୍‌କେସିଜିରେ  ୨୫ଟି ରାଗିଂ ଅଭିଯୋଗ ହୋଇଛି । ୨୦୨୪ ରିପୋର୍ଟ  ଅନୁସାରେ ଏମ୍‌କେସିଜିରେ ୯ଟି ଅଭିଯୋଗ ହୋଇଥିବା  ବେଳେ ଗତବର୍ଷ ବି ଦେଶରେ ୨ ନମ୍ବରରେ ରହିଛି ।