ଭୁବନେଶ୍ବର, ୨୮।୨  :  ଦଳ ବିରୋଧରେ କହିବା  ମହଙ୍ଗା ପଡିଲା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କୁ ।  ବିଜେଡିରୁ ପ୍ରଭାତ ବିଶ୍ବାଳ ହେଲେ  ବହିଷ୍କୃତ।  ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ନିର୍ଦେଶରେ ତାଙ୍କ ବିରୋଧରେ  ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବିଜେଡି ଆଜି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଥିଲା। ଏହା  ପରେ ବିଷୋଦଗାର କରିଥିଲେ ପ୍ରଭାତ ବିଶ୍ଵାଳ। ସେ କହିଥିଲେ ମୋ ମନରେ ଦୀର୍ଘ ସମୟ ଧରି ଅସନ୍ତୋଷ  ରହିଛି। ବିଜେଡି ଦଳର କର୍ମୀକୁ ଦେଖି ଦଳରେ ଠିକ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଛି। ସେ ଦଳର କାର୍ଯ୍ୟଶୈଳୀକୁ ସମାଲୋଚନା କରିଥିଲେ।  ସେ ଏହା ମଧ୍ୟ କହିଥିଳେ ଯେ, ଦଳ ପାଇଁ ନିଷ୍ଠାର ସହ କାମ କରିଛି। ଅନେକ ଦିନ ରାତି ଅନିଦ୍ରା ହୋଇଛି। ଦଳର ବରିଷ୍ଠ ନିଷ୍ପତ୍ତି ନେବା ଉଚିତ୍। ମୁଁ କେବେ ବି ମୋ ଆଦର୍ଶକୁ ବନ୍ଧା ପକାଇନି କି ପକାଇବି ନାହିଁ। ଆଜି ମୋତେ ଯେମିତି ଧଳା ପୋଷାକରୁ ଲାଲ ପୋଷାକ ପିନ୍ଧାଇ ଦିଆଯାଇଛି ତାହା ଦୁର୍ଭାଗ୍ୟଜନକ। ପରିଶ୍ରମ କରିଥିବା ନେତାଙ୍କୁ ସୁଯୋଗ ଦିଆଯାଉ। ଦଳରେ ପରିଶ୍ରମ କରି ନ ଥିବା ଅନେକ ନେତା  ଅଛନ୍ତି। ଏସବୁ ବହୁତ ମର୍ମାହତ କରୁଛି। ତାଙ୍କର ଏହି ବୟାନ ପରେ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଥିଲା।  ତାଙ୍କ ବକ୍ତବ୍ୟକୁ ନେଇ ଦଳ ସଭାପତି ନବୀନ ପଟ୍ଟନାୟକ ଖପ୍ପା ହୋଇଥିଲେ।  ଆଉ ପ୍ରଭାତଙ୍କୁ ଦଳରୁ ନବୀନ ବିଦା କରିଛନ୍ତି ।

ସୂଚନାଯୋଗ୍ୟ ଯେ   ପ୍ରଭାତ ବିଧାୟକ ଭାବେ ତିନିଥର ଜିତିଛନ୍ତି । ୨୦୦୪ ମସିହାର ସେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ  ନିର୍ବାଚିତ ହୋଇଥିଲେ। ପରେ ୨୦୦୯ ଓ ୨୦୧୪  ବିଧାନସଭା ନିର୍ବାଚନରେ ସେ  ଚୌଦ୍ୱାର - କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।  ସେ ଦଳର ସଂଗଠନରେ ଅନେକ ପଦରେ ରହି କାମ କରିଛନ୍ତି। ସେ ଚିଟଫଣ୍ଡ ମାମଲାରେ ଫସି ବିବାଦୀୟ ହୋଇ ପଡିଥିଲେ।  ତାଙ୍କ ଘରେ ସିବିଆଇ ରେଡ୍ ହୋଇଥିଲା। ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା ଏବଂ ପରେ ନିଲମ୍ବନ ହଟାଇ ଦିଆଯାଇଥିଲା। ଚିଟଫଣ୍ଡ ପାଇଁ  ତାଙ୍କ ରାଜନୈତିକ କ୍ୟାରିୟର ପ୍ରଭାବିତ ହୋଇଥିଲା। ୨୦୧୯ ନିର୍ବାଚନ ପୂର୍ବରୁ ତାଙ୍କ ପୁଅ ସୌଭିକ ବିଶ୍ଵାଳ ବିଜେଡିରେ ମିଶିଥିଲେ। ୨୦୧୯ ନିର୍ବାଚନରେ ପ୍ରଭାତଙ୍କ ବଦଳରେ ପୁଅ ସୌଭିକ ନିର୍ବାଚନ ଲଢି ଜିତିଥିଲେ। ପୁଣି ୨୦୨୪ ରେ ବି ସୌଭିକ ନିର୍ବାଚନ ଜିତିଥିଲେ।

​​​​​​​