ନୂଆଦିଲ୍ଲୀ ୧୦/୦୫: ୨୦୫ ଜଣଙ୍କୁ ନେଇ ସ୍ପେନ୍‌ ଯାଉଥିବା ଏକ ବିମାନ ପ୍ରାୟ ୧୦ ମିନିଟ୍‌ ପର୍ଯ୍ୟନ୍ତ ପାଇଲଟ୍‌ ବିନା ଉଡ଼ିଲା । ବାସ୍ତବରେ ବିମାନର ପାଇଲଟ୍‌ ଶୌଚାଳୟ ଯାଇଥିଲେ । ଏତିକିବେଳେ ସାଥୀ-ପାଇଲଟ୍‌ଙ୍କ ସ୍ୱାସ୍ଥ୍ୟ ହଠାତ୍‌ ଖରାପ ହୋଇଗଲା । ସେ ଅଚେତ୍‌ ହୋଇପଡ଼ିଲେ । ଘଟଣାର ୧୫ ମାସ ପରେ ଏ ମାମଲା ସାମ୍ନାକୁ ଆସିଛି । ସ୍ପେନ୍‌ର ଦୁର୍ଘଟଣା ଯାଞ୍ଚ୍‌ ଏଜେନ୍ସି ସିଆଇଏଆଇଏସି ନିଜର ଏକ ସଦ୍ୟ ରିପୋର୍ଟରେ ଏହା ସ୍ପଷ୍ଟ କରିଛି ।

ରିପୋର୍ଟ ଅନୁସାରେ, ଗତ ବର୍ଷ ୧୭ ଫେବ୍ରୁଆରୀରେ ଲୁଫ୍‌ଥାନ୍‌ସାର ଏୟାରବସ୍‌ ଏ୩୨୧ରେ ଏହି ଘଟଣା ହୋଇଥିଲା । ବିମାନଟି ଫ୍ରାଙ୍କ୍‌ଫର୍ଟରୁ ସ୍ପେନ୍‌ ଯାଉଥିଲା । ୧୯୯ ଯାତ୍ରୀ ଓ ୬ ଚାଳକ ଦଳ ସଦସ୍ୟ ବିମାନରେ ଉପସ୍ଥିତ ଥିଲେ । ପାଇଲଟ୍‌ ଶୌଚାଳୟରୁ ଫେରି କକ୍‌ପିଟ୍‌ର କବାଟ ଖୋଲିବାକୁ ଚେଷ୍ଟା କଲେ । କିନ୍ତୁ ଭିତରୁ ବନ୍ଦ ଥିବାରୁ ଖୋଲିପାରିଲେ ନାହିଁ । ସାଥୀ- ପାଇଲଟ୍‌ଙ୍କ ସହ କଥା ହେବା ପାଇଁ ଇଣ୍ଟର୍‌କମ୍‌ରେ କଲ୍‌ ମଧ୍ୟ କଲେ । ଉତ୍ତର ନ ମିଳିବାରୁ କ୍ୟାପ୍ଟେନ୍‌ ଆପାତକାଳ କୋଡ୍‌ ଉପଯୋଗ କରି କକ୍‌ପିଟ୍‌ ଭିତରକୁ ଗଲେ ଏବଂ ବିମାନକୁ ନିୟନ୍ତ୍ରଣ କଲେ । ସାଥୀ- ପାଇଲଟ୍‌ଙ୍କୁ ଜଣେ ଯାତ୍ରୀ ଡାକ୍ତର ପ୍ରାଥମିକ ଚିକିତ୍ସା ପ୍ରଦାନ କଲେ । ଏହା ପରେ ତାଙ୍କର ଚେତା ଫେରିଲା । ଯାଞ୍ଚ୍‌ରୁ ଜଣାପଡ଼ିଲା, ସାଥୀ-ପାଇଲଟ୍‌ଙ୍କୁ ପୂର୍ବରୁ ଏକ ସ୍ନାୟବିକ ରୋଗ ଥିଲା । ସେ ବିଷୟରେ ତାଙ୍କୁ ଜଣାନଥିଲା । ମେଡିକାଲ ଟେଷ୍ଟ୍‌ରୁ ମଧ୍ୟ ଏହା ଜଣାପଡ଼ିନଥିଲା । ଏହା ପରେ ତାଙ୍କର ମେଡିକାଲ ପ୍ରମାଣପତ୍ରକୁ ରଦ୍ଦ କରାଗଲା ।