ନୂଆଦିଲ୍ଲୀ,୨୧/୧୦: ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନରେ ପ୍ରତିଦିନ ବୋମା ଧମକ ଦିଆଯାଉଥିବାର ପ୍ରଭାବ ବଜାରରେ ଦେଖିବାକୁ ମିଳୁଛି। ଏୟାରଲାଇନ୍ସର କଲ୍ ସେଣ୍ଟର ଏବଂ ଟ୍ରାଭେଲ୍ ଏଜେଣ୍ଟମାନଙ୍କ ପାଖକୁ ଯାଇ ଯାତ୍ରୀମାନେ ଆଡ୍ଭାନ୍ସ ଯେଉଁ ଟୁର୍ ବୁକ୍ କରିଥିଲେ, ସେହି ଯାତ୍ରାକୁ ସ୍ଥଗିତ ରଖିବାକୁ କହୁଛନ୍ତି କିମ୍ବା ଅନ୍ୟ କୌଣସି ବିଦେଶୀ ବିମାନରେ ବୁକିଂ ହେତୁ ପୂର୍ବରୁ କରାଯାଇଥିବା ଆଡ୍ଭାନ୍ସ ଫେରସ୍ତ ପାଇବାକୁ ଦାବି କରୁଛନ୍ତି।
ଚଳିତ ବର୍ଷ ଅକ୍ଟୋବର ମାସରେ ବିମାନ ଉଡ଼ାଣ ପ୍ରତି ବିପଦ ଥିବା ନେଇ ଏକ ରେକର୍ଡ କରାଯାଇଛି। ଏହାପୂର୍ବରୁ ଜୁନ୍ ମାସରେ ୯୭ଟି ଧମକ ଆସିଥିଲା। କିନ୍ତୁ, ଏହି ମାସ ଅକ୍ଟୋବର ୨୦ ସୁଦ୍ଧା ବିମାନ ପ୍ରତି ୧୫୦ରୁ ଅଧିକ ଧମକ ଆସିଲାଣି। ଅକ୍ଟୋବର ଶେଷ ହେବାକୁ ଆଉ ୧୧ ଦିନ ବାକି ଅଛି। ବିମାନ ଚଳାଚଳ ବିଭାଗର ଅଧିକାରୀ କହିଛନ୍ତି ଯେ ଯେଉଁମାନେ ପୂର୍ବରୁ ସେମାନଙ୍କ ବୁକିଂ କରିଥିଲେ ସେମାନଙ୍କ ମଧ୍ୟରେ ମଧ୍ୟ ଅନେକ ଯାତ୍ରୀ ଟିକେଟ୍ ଫେରସ୍ତ କରିବାକୁ ଚେଷ୍ଟା କରୁଛନ୍ତି।
ଯାତ୍ରୀମାନେ ଭାବୁଛନ୍ତି ଯେ, ଯେହେତୁ ବିଭିନ୍ନ ଭାରତୀୟ ବିମାନକୁ ବୋମାରେ ଉଡ଼ାଇଦେବାକୁ ଧମକ ଆସୁଛି, ତେଣୁ ଏଭଳି ପରିସ୍ଥିତିରେ ସେମାନେ ବିଦେଶୀ ବିମାନ ସେବା ସହିତ ବୁକିଂ କରି ନିରାପଦରେ ଯାତ୍ରା କରିବାକୁ ଇଚ୍ଛାପ୍ରକାଶ କରୁଛନ୍ତି। ଯେତେବେଳେ କି ଦେଶ ଭିତରେ ବିମାନ ଚଳାଚଳ କରୁଥିବା କିଛି ଘରୋଇ ଯାତ୍ରୀ ସ୍ୱଳ୍ପ ଦୂରତା ପାଇଁ ବିମାନ ବୁକିଂ କରିବା ପରିବର୍ତ୍ତେ ରେଳ କିମ୍ବା ବସ୍କୁ ଚୟନ କରିଛନ୍ତି।
ଏୟାରଲାଇନ୍ସ ଏବଂ ଟ୍ରାଭେଲ ଏଜେନ୍ସିମାନେ କହିଛନ୍ତି ଯେ ପ୍ରତିଦିନ ଯେଉଁଭଳି ଭାବରେ ଧମକ ଆସୁଛି, ଏହା ମଧ୍ୟ ଏକ ପ୍ରକାର 'ଆର୍ଥିକ ସଂକଟ'। କାରଣ, ଏହି ପାର୍ବଣ ଋତୁରେ, ବିମାନ ସେବାଗୁଡିକ ଦାମୀ ଦରରେ ପ୍ରତିଦିନ ଅନେକ ନୂଆ ବୁକିଂ ମିଳୁଥିଲା। ଏବେ ଏଥିରେ କିଛି ସ୍ଥିରତା ଦେଖାଯାଉଛି। ଦ୍ୱିତୀୟତଃ ବୋମା ଧମକ ପାଇବା ପରଠାରୁ ପ୍ରତ୍ୟେକ ବିମାନ ବାର୍ତ୍ତମାନ ସୁଦ୍ଧା ପ୍ରାୟ ତିନି କୋଟି ଟଙ୍କା କ୍ଷତି ସହିଲେଣି।