କଟକ,୦୩/୦୧: କାହାକୁ ପାସ୍‌ପୋର୍ଟ ଦିଆଯିବା ଉପରେ ପାସ୍‌ପୋର୍ଟ ଅଥରିଟିଙ୍କର ନିଷ୍ପତ୍ତି ନେବାର କ୍ଷମତା ରହିଛି । କିନ୍ତୁ ପାସ୍‌ପୋର୍ଟ ଅଥରିଟି ଯଦି କାହାରି ପାସ୍‌ପୋର୍ଟ ବାଜ୍ୟାପ୍ତି କରୁଛନ୍ତି ତାହେଲେ ଏଥିପାଇଁ ଯଥେଷ୍ଟ କାରଣ ଦର୍ଶାଇବା ଆବଶ୍ୟକ । ଫୌଜଦାରୀ ମାମଲା କାରଣରୁ କାହାକୁ ପାସ୍‌ପୋର୍ଟ ଦିଆଯାଇପାରିବ ନାହିଁ ବୋଲି କୌଣସି ଆଇନଗତ ପ୍ରତିବନ୍ଧକ ସଂପର୍କିତ ସ୍ପଷ୍ଟ ନିର୍ଦ୍ଦେଶନାମା ନାହିଁ । ତେଣୁ କେବଳ ଫୌଜଦାରୀ ମାମଲା ଆଳରେ କାହାରି ପାସ୍‌ପୋର୍ଟକୁ ବାଜ୍ୟାପ୍ତି କରାଯାଇପାରିବ ନାହିଁ କିମ୍ବା ନବୀକରଣ ପାଇଁ ମନା କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ମର୍ମରେ ହାଇକୋର୍ଟ ପାସ୍‌ପୋର୍ଟ ଅଥରିଟିଙ୍କ ପକ୍ଷରୁ ଆବେଦନକାରୀଙ୍କ ପାସ୍‌ପୋର୍ଟ ନବୀକରଣ କରାଯାଇପାରିବ ନାହିଁ ବୋଲି ଯେଉଁ ଆଦେଶ ଦିଆଯାଇଥିଲା ତାହାକୁ ରଦ୍ଦ କରିଛନ୍ତି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ପାସ୍‌ପୋର୍ଟ ଇସ୍ୟୁ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଅଶୋକ କୁମାର ସାପାନୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ବିଚାରପତି ଜଷ୍ଟିସ୍‌ ଶଶିକାନ୍ତ ମିଶ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । 

ମାମଲାରୁ ଜଣାଯାଇଛି, ଆବେଦନକାରୀଙ୍କର ପାସ୍‌ପୋଟ ଅବଧି ୨୦୨୯ ପର୍ଯ୍ୟନ୍ତ ରହିଛି । ପ୍ରଥମେ ପୁଲିସ୍‌ ଯାଞ୍ଚ୍‌ ରିପୋର୍ଟ ପରେ ତାଙ୍କୁ ପାସ୍‌ପୋର୍ଟ ଦିଆଯାଇଥିଲା । ପରେ ପୁଲିସ୍‌ ପକ୍ଷରୁ ତାଙ୍କ ନାମରେ ଜଗତସିଂହପୁର ସାମୁଦ୍ରିକ ଥାନାରେ ଏକ କେସ୍‌ ରହିଥିବା ନେଇ ଦର୍ଶାଯାଇଥିଲା । ଏହି ଆଧାରରେ ତାଙ୍କ ପାସ୍‌ପୋର୍ଟକୁ ବାଜ୍ୟାପ୍ତି କରାଯାଇଥିଲା । ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ସମୟ ମଧ୍ୟରେ ଆବେଦନକାରୀଙ୍କୁ ଉକ୍ତ ମାମଲାରେ ଜାମିନ୍‌ ମଧ୍ୟ ମିଳିସାରିଥିଲା । ଅପରପକ୍ଷରେ ୨୦୨୨ରେ ହାଇକୋର୍ଟ ଏହି ମାମଲାରେ ପାସ୍‌ପୋର୍ଟ ଅଥରିଟିଙ୍କୁ ଆବେଦନକାରୀଙ୍କ ଆବେଦନ ଉପରେ ବିଚାର କରି ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । ପାସ୍‌ପୋର୍ଟ ଅଥରିଟି ଏହା ଉପରେ ନିଷ୍ପତ୍ତି ନେବାକୁ ବିଳମ୍ବ କରିବାରୁ ଆବେଦନକାରୀ ପୁନର୍ବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଧାର୍ଯ୍ୟ ସମୟ ମଧ୍ୟରେ ଆବେଦନକାରୀଙ୍କ ସ୍ମାରକପତ୍ର ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ଆଦେଶ ପରେ ପାସ୍‌ପୋର୍ଟ ଅଥରିଟି ଆବେଦନକାରୀଙ୍କ ପାସ୍‌ପୋର୍ଟକୁ ବାଜ୍ୟାପ୍ତି କରି ଦେଇଥିଲେ । ଫଳରେ ପୁନର୍ବାର ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।