.ଶୀତରେ ଜମିବ ପଥୋତ୍ସବ

.ଶୁଭାରମ୍ଭ ହେଲା ପ୍ରଚାର ଗାଡ଼ି

.ଆସନ୍ତା ୪ ସକାଳ ୬ଟା୩୦କୁ ଅପେକ୍ଷା

.ଅନ୍ତରାଙ୍କ ସଙ୍ଗୀତ, ପପୁଙ୍କ କମେଡି ଭରିବ ଉଷ୍ମତା

ଭୁବନେଶ୍ୱର ୩୧/୧୨: ଶୀତୁଆ ସକାଳରେ ପଥୋତ୍ସବର ମଜା ନେବେ ରାଜଧାନୀ ବାସିନ୍ଦା । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି । ଚଳିତ ବର୍ଷ ପଥ ଉତ୍ସବକୁ ଟିକିଏ ନିଆରାଢଙ୍ଗରେ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ଏହି ଉପଲକ୍ଷେ ଆଜି ଏକ ପ୍ରଚାର ଗାଡିର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ମେୟର ସୁଲୋଚନା ଦାସ, କମିଶନର ଚଞ୍ଚଳ ରାଣା, ସାଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ପତାକା ଦେଖାଇ ଏହି ପ୍ରଚାର ଗାଡିର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଓ କୈଳାସ ଚନ୍ଦ୍ର ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଶୀତୁଆ ସକାଳର ମଜ୍ଜା ନେବା ପାଇଁ ଭୁବନେଶ୍ୱରବାସୀଙ୍କ ପାଇଁ ଖୁବ୍ ଶୀଘ୍ର ଆସୁଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପଥ ଉତ୍ସବ । ବିଏମସି ପକ୍ଷରୁ ଆସନ୍ତା ୪ ତାରିଖ ସକାଳ ସାଢେ ୬ରୁ ମାଷ୍ଟରକ୍ୟାଣ୍ଟିନଠାରୁ ରାମ ମନ୍ଦିର ମଧ୍ୟରେ ୨୦୨୫-୨୬ର ପ୍ରଥମ ପଥ ଉତ୍ସବ ଆରମ୍ଭ ହେବ । କର୍ମକ୍ଲାନ୍ତ ଜୀବନରୁ ଟିକିଏ ସମୟ ବାହାର କରି ଏପରି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେଲେ, ତାହା ଆଗାମୀ ଦିନରେ କିଛି ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଇବା ବୋଲି କହିଛନ୍ତି ମେୟର । ପଥୋତ୍ସବର ପ୍ରଥମରୁ ଅନ୍ତରା ଚକ୍ରବର୍ତ୍ତୀଙ୍କ ଗୀତରେ ଝୁମିବେ ଦର୍ଶକ । ଆଉ ପପୁ ପମପମଙ୍କ କମେଡିରେ ହସି ହସି ବେଦମ ହେବେ । ଖାଲି ସେତିକି ନୁହେଁ, ଯୋଗ, ଜୁମ୍ବା, ରଙ୍ଗୋଲି, କିଡ୍ସ କିଙ୍ଗଡମ୍, ସ୍କେଟିଂ, ଚିତ୍ରାଙ୍କନ, ପାରମ୍ପାରିକ ନୃତ୍ୟ ଗୀତରେ ଝୁମିବେ ଦର୍ଶକ । ଖାଲି ସେତିକି ନୁହେଁ ଦର୍ଶକଙ୍କ ମଧ୍ୟରେ ଥିବା ଲକ୍କାୟିତ ପ୍ରତିଭାର ଉନ୍ମେଷ ପାଇଁ ଖୋଲା ରହିବ ଭୁବନେଶ୍ୱର ଗଡ ଟ୍ୟାଲେଣ୍ଟ ମଞ୍ଚ । ଏଥିରେ ନୃତ୍ୟ, ଗୀତ, ଏକକ ଅଭିନୟ, ମିମିକ୍ରି ଆଦି ପ୍ରଦର୍ଶନ କରିପାରିବେ । ଏ ମଂଚ ହେବ ଜନସାଧାରଣଙ୍କ । ଏଥିରେ ସବୁ ବର୍ଗର ମହିଳା ଓ ପୁରୁଷ ଅଂଶଗ୍ରହଣ କରିପାରିବେ ।

ଏତିକିରେ ଉତ୍ସବ ସୀମିତ ନାହିଁ । ଶୀତୁଆ ସକାଳର ମଜ୍ଜା ନେବା ପାଇଁ ମଧ୍ୟ ରହିଛି ଖାଦ୍ୟ ବଜାର । ବିଭିନ୍ନ ଖାଦ୍ୟର ମଜ୍ଜା ମଧ୍ୟ ଉଠାଇ ପାରିବେ ଲୋକ । ସେହିପରି ମହିଳା ଓ ବାଳିକାମାନଙ୍କ ପାଇଁ ରଙ୍ଗୋଲି, ପୁଚି, ଚିତ୍ରାଙ୍କନ ରହିଥିବା ବେଳେ ଫେସ୍ ପେଣ୍ଟିଂ କରି ଶିଶୁମାନେ କିଡ୍ସ କିଙ୍ଗଡମରେ ବିଭୋର ହେବେ । ଏ ବର୍ଷ କିଛି ନୂଆ ଆଇଟମ ମଧ୍ୟ ସାମିଲ କରାଯାଇଛି । ଏହି କାର୍ଯ୍ୟକ୍ରମ ସକାଳ ସାଢେ ୬ଟାରୁ ଆରମ୍ଭ ହାଇ ସାଢେ ୯ଟା ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୧୮ତାରିଖରେ ନୂଆ ଜାଗମରା ବରମୁଣ୍ଡା ରାସ୍ତା ଏବଂ ଫେବୃଆରୀ ୧ ତାରିଖରେ ଇମ୍ଫୋସିଟିଠାରେ ପଥ ଉତ୍ସବ ଚାଲିବ ।