ପାରାଦୀପ, ୨୨/୦୯ : ପାରାଦୀପ ବିଶ୍ଵକର୍ମା ପୂଜା ଟ୍ରାଫିକ୍ ପରିଚାଳନାରେ ତ୍ରୁଟି । ରାସ୍ତା ଜାମ୍‌ ହେବାରୁ ଅଢେଇ ଘଣ୍ଟା ଧରି ଫସି ରହିଲା ଆମ୍ବୁଲାନ୍ସ । ଚିକିତ୍ସାରେ ବିଳମ୍ୱ ହେବାରୁ ଚାଲିଗଲା ରୋଗୀଙ୍କ ଜୀବନ । ମୃତକ ମହେଶ୍ୱର ଦାସଙ୍କ ପୁଅ ରାକେଶ ଦାସ (୨୧ବର୍ଷ) ବୋଲି ଜଣାପଡ଼ିଛି ।

ସୂଚନା ମୁତାବକ, ରବିବାର ଅହେତୁକ ଭିଡ଼ ଯୋଗୁ ଅପରାହ୍ନ ୫ ଟାରୁ ଥାନା ଛକଠାରୁ ଦୋଛକି ପର୍ୟ୍ୟନ୍ତ ଟ୍ରାଫିକ୍ ବିପର୍ଯ୍ୟସ୍ତ ହୋଇ ପଡ଼ିଥିଲା। ସେହି ସମୟରେ ନେହେରୁ ବଙ୍ଗଳାର ମହେଶ୍ୱର ଦାସଙ୍କ ପୁଅ ରାକେଶ ଦାସ ଗୁରୁତର ହୋଇ ଅଠରବାଙ୍କି ମେଡିକାଲକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ଡାକ୍ତର ତୁରନ୍ତ କଟକ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ତୁରନ୍ତ ଆମ୍ବୁଲାନ୍ସ ଡାକି ଅପରାହ୍ନ ୫ ଟାରେ କଟକ ଅଭିମୁଖେ ବାହାରିଥିଲେ। କିନ୍ତୁ ଜାତୀୟ ରାଜପଥ ୫୩ ଜାମ୍‌ ହୋଇଯାଇଥିଲା। ସେହି ଭିଡ଼ରୁ ମୁକୁଳିବା ପାଇଁ ଆମ୍ବୁଲାନ୍ସକୁ ଦୀର୍ଘ ଅଢ଼େଇ ଘଣ୍ଟା ଲାଗିଥିଲା। ଅଠରବାଙ୍କିରୁ ୫ ଟାରେ ବାହାରି ଦୋଛକିରେ ସନ୍ଧ୍ୟା ୭ ଟା ୩୦ ରେ ପହଞ୍ଚିଥିଲା। ସେହି ଅଢ଼େଇ ଘଣ୍ଟା ମଧ୍ୟରେ ଗୋଟିଏ ଅକ୍ସିଜେନ ସରି ଆଉ ଗୋଟିଏ ଅକ୍ସିଜେନ ଲଗାଯାଇଥିଲା। ଯିବା ବାଟରେ କନ୍ଦରପୁର ନିକଟରେ ଗୁରୁତର ରୋଗୀଙ୍କ ମୃତ୍ୟୁ ହୋଇଯାଇଥିଲା। ପରିବାର ଲୋକେ କଟକ ବଡ ମେଡିକାଲରେ ପହଞ୍ଚି ଡ଼ାକ୍ତରଙ୍କୁ ଦେଖାଇଲେ। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ମୃତକଙ୍କ ଭାଇ ସୂଚନା ଦେବା ସହ ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି।