ଭୁବନେଶ୍ୱର, ୨୫।୪: ଟାଇଁ ଟାଇଁ ଖରା । ଅସମ୍ଭାଳ ଗୁଳୁଗୁଳି । ରୋଗୀଙ୍କଠୁ ବୋହୁଛି ଗମଗମ ଝାଳ । କିଏ ଅଣ୍ଟାରେ ହାତ ଦେଇ ଠିଆ ହୋଉଛି ତ, ଆଉ କିଏ ମୁଣ୍ଡରେ ହାତ ଦେଇ ବସିଛି । ରୋଗଙ୍କୁ ଚିକିତ୍ସାଠାରୁ ବଳିପଡୁଛି ନିଦାନ ପରୀକ୍ଷା ଧାଡ଼ି ଯନ୍ତ୍ରଣା । ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହେଲା ପରେ, ରୋଗୀ ଚେତାଶୂନ୍ୟ ବି ହୋଇପଡ଼ୁଛନ୍ତି । ଏମିତି କରୁଣ ଦୃଶ୍ୟ ନିଇତି ଦେଖିବାକୁ ମଳୁଛି କ୍ୟାପିଟାଲ ହସ୍ପିଟାଲ ପାଥୋଲୋଜି ସମ୍ମୁଖରେ । ଦୈନିକ ପ୍ରାୟ ୩ ହଜାର ରୋଗୀଙ୍କର ନିଦାନ ପରୀକ୍ଷା ଭାର ପଡୁଛି ୬ଟି ପାଥୋଲୋଜି କାଉଣ୍ଟର ଉପରେ । ପ୍ରାୟ ୫୦୦ ରୋଗୀ ଗୋଟିଏ କାଉଣ୍ଟର ଉପରେ ନିର୍ଭରଶୀଳ । ଏଭଳି ଯନ୍ତ୍ରଣାଦାୟକ ସ୍ଥିତି କର୍ତ୍ତୃପକ୍ଷଙ୍କ ନଜରରେ ଥିଲେ ବି ଏହାର କୌଣସି ବିକଳ୍ପ ଚିନ୍ତା କରାଯାଉନାହିଁ । କ୍ୟାପିଟାଲ ହସ୍ପିଟାଲ- ପିଜିଆଇଏମ୍ଇଆରରେ ଗୁଣାତ୍ମକ ଓ ଅତ୍ୟାଧୁନିକ ଚିକିତ୍ସା ପାଇବାରେ ଦୂରଦୂରାନ୍ତରୁ ରୋଗୀ ଧାଇଁ ଆସୁଛନ୍ତି । ହସ୍ପିଟାଲ୍ରେ ଦିନକୁ ପ୍ରାୟ ୫ ହଜାର ପର୍ଯ୍ୟନ୍ତ ରୋଗୀ ଆସୁଛନ୍ତି । ସେମାନଙ୍କୁ ପ୍ରଥମେ ଚିକିତ୍ସା ପାଇଁ ପଞ୍ଜୀକରଣ କରିବାକୁ ଧାଡ଼ି କରିବାକୁ ପଡୁଛି । ତା’ପରେ ଆଉଟ୍ ଡୋର୍‌ରେ ଲାଇନ୍ ଦେଇ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି ।

ଯଦି ଡାକ୍ତର ନିଦାନ ଲାଗି ଡାକ୍ତରଙ୍କ ପରାମର୍ଶ ଦେଲେ ତା’ପରେ ପୁଣି ସଂଘର୍ଷ । ପାଖାପାଖି ୩ ହଜାର ରୋଗୀଙ୍କର ଦୈନିକ ନିଦାନ ପରୀକ୍ଷା ଲାଗି ଡାକ୍ତର ପରାମର୍ଶ ଦେଉଛନ୍ତି । ତା’ପରେ ୬ଟି କାଉଣ୍ଟର ମଧ୍ୟରୁ ଗୋଟିଏ ଗୋଟିଏ କାଉଣ୍ଟରରେ ରକ୍ତ ନମୁନାର ବାରକୋର୍ଡ ଦିଆଯାଉଥିଲା ବେଳେ ଆଉ ଗୋଟିଏ କାଉଣ୍ଟରରେ ବିଲିଂ କରାଯାଉଛି । ଏତେ ରୋଗୀଙ୍କ ପରୀକ୍ଷା ବ୍ୟବସ୍ଥା କିପରି ୩ଟି କାଉଣ୍ଟର ହେଉଛି ତାହା ଅନୁମାନ କରାଯାଇପାରେ । ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି, କାଉଣ୍ଟର ଆଗରେ ଅସମ୍ଭାଳ ଭିଡ଼ ରହୁଛି । ଆଉ ନୂଆ କାଉଣ୍ଟର ଖୋଲିବା ଲାଗି ବିଚାର ବିମର୍ଶ ଚାଲିଛି । ଖୁବ୍‌ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ । ମଳିଥିବା ସୂଚନା ଅନୁଯାୟୀ, ୨୦୨୩ ଏପ୍ରିଲ୍‌ରୁ ୨୦୨୪ ଅକ୍ଟୋବର ଭିତରେ ୧୯ଲକ୍ଷ ୮୯ହଜାର ୩୯ ଜଣଙ୍କ ଲ୍ୟାବ୍ ରିପୋର୍ଟ ଦିଆଯାଇଥିଲା । ହସ୍ପିଟାଲ୍କୁ ମାସକୁ ପ୍ରାୟ ୧ଲକ୍ଷ ୨୦ ହଜାର ରୋଗୀ ଚିକିତ୍ସିତ ହେଉଛନ୍ତି । ଶିଶୁ ବିଭାଗଠାରୁ ଭେଜଷ ବିଭାଗ ଏବଂ ହୃଦ୍‌ରୋଗ ବିଭାଗଠାରୁ ଅସ୍ଥିଶଲ୍ୟ ବିଭାଗ ଓପିଡିରେ ଲାଗୁଛି ଲମ୍ବା ଲାଇନ୍ । ଡାକ୍ତରଙ୍କ ପରାମର୍ଶ ପରେ ରକ୍ତ ପରୀକ୍ଷା ପାଇଁ ମଧ୍ୟ କାଉଣ୍ଟର ସମ୍ମୁଖରେ ଅପେକ୍ଷା କରୁଛି ।

ଆହୁରି ପଢ଼ନ୍ତୁ... ଘରଚଟିଆଙ୍କ ପସନ୍ଦ ପଶ୍ଚିମ ଓଡ଼ିଶା ! ରାଜ୍ୟରେ ଅଛନ୍ତି ୮୩ ହଜାରରୁ ଅଧିକ ଚଟିଆ, ସୋନପୁର ଶୀର୍ଷରେ