ପାଟଣାଗଡ, ୩।୫ : ଧାର୍ଯ୍ୟ ସମୟ ଭିତରେ ଶେଷ ହେବ ରାଜ୍ୟ ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ଘଟଣା ଶୁଣାଣି । ଶନିବାର ସମସ୍ତ ଫିଜିକାଲ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଛି।  ଆସନ୍ତା ୫ ତାରିଖରେ ଶେଷ ସାକ୍ଷୀ ଗ୍ରହଣ ପରେ ୬ ରେ ହେବ ଶୁଣାଣି। ଜୁନ ମାସ ୧୭ ତାରିଖରେ  ସରୁଛି ଡେଡ଼ଲାଇନ। ତା’ ପୂର୍ବରୁ ହେବ ଶୁଣାଣି। 

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ଶଲ ବୋମା ଘଟଣା ସାରା ରାଜ୍ୟ ସହ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଶନିବାର  ଏହାର ଶେଷ ସାକ୍ଷ୍ୟ ଗ୍ରହଣ ହୋଇଛି । ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଭର୍ଚୁଆଲ ମୋଡରେ କୋର୍ଟରେ ହାଜର ହୋଇଥିଲେ।  ଆସନ୍ତା ୫ ତାରିଖ ପ୍ରତିପକ୍ଷ ସାକ୍ଷ୍ୟ ନେଇ ହେବ ଶୁଣାଣି । ଆସନ୍ତା ୬ ତାରିଖରୁ ଆରମ୍ଭ  ହେବ ମାମଲାର ଶୁଣାଣି। ଏହି ମାମଲାକୁ ୩ ମାସ ଭିତରେ ସାରିବାକୁ ସୁପ୍ରିମ କୋର୍ଟ କଡ଼ା ନିର୍ଦେଶ ଦେଇଥିଲେ। ଜୁନ ୧୭ କୁ ୩ ମାସ ସରିଯାଉଥିବା ବେଳେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ  ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କକ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଅଧ୍ୟାପକ ପୁଞ୍ଜିଲାଲ  ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ୍‌ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେ ମା’ ଜେମାମଣି ସାହୁଙ୍କର ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫   ତାରିଖରେ ଗିରଫ କରିଥିଲା I ସେବେ ଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି।