ଭୁବନେଶ୍ୱର,୨୫/୦୮: ପାତ୍ରପଡ଼ାରେ ହିଟ୍‌  ଆଣ୍ଡ ରନ୍‌ ମାମଲାରେ ମାନସ ରାଉଳ ନାମକ ପୁଲିସ ଡ୍ରାଇଭରଙ୍କ ପରିବାର ଉଜାଡ଼ିଗଲା । ଏନ୍‌ଏଚ୍‌ରେ  ୨ କାର ରେସିଂରୁ ତାଙ୍କ ସ୍ତ୍ରୀ ରେବତୀ ରାଉଳ ଓ  ଝିଅ ରେଶ୍‌ମାଙ୍କ ମୃତ୍ୟୁ ଘଟିଲା । ଏହି ଛାତିଥରା  ଦୁର୍ଘଟଣାକୁ ୨ ସପ୍ତାହ ବିତିଲାଣି । ତଥାପି ପୁଲିସ ମଣିଷମରା କାର ଚାଳକଙ୍କୁ ଧରିପାରିଲାନି । ସେପଟେ ପୁଲିସ ସହ ଲୁଚକାଳି ଖୋଳୁଥିବା ଅଭିଯୁକ୍ତ ଏବେ ହାଇକୋର୍ଟରୁ ଅଗ୍ରୀମ ଜାମିନ୍‌ ଅପେକ୍ଷାରେ ଅଛି ।   

ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ତୀବ୍ର ପ୍ରତିବାଦ ଦେଖିବାକୁ ମିଳିଥିଲା । ଫୁଲେଶ୍ୱରୀ ବସ୍ତିବାସିନ୍ଦା ଲଗାତାର ୨ଥର ଏନ୍‌ଏଚ୍‌ ଅବରୋଧ କରିଥିଲେ ।  ମାନସ ମଧ୍ୟ କାନ୍ଦି କାନ୍ଦି ଡିସିପି ଜଗମୋହନ ମୀନାଙ୍କୁ ନ୍ୟାୟ ମାଗିଥିଲେ । କର୍ତ୍ତବ୍ୟରେ ବ୍ୟସ୍ତ  ରହି ପରିବାରକୁ ସମୟ ଦେଇନପାରିବାରୁ ଏଭଳି  ଅଘଟଣ ଘଟିଗଲା ବୋଲି କହିଥିଲେ । ପୁଲିସ ଏହି  ଘଟଣାରେ ୪ଜଣଙ୍କୁ ଗିରଫ କଲାଣି । ସ୍କର୍ପିଓରେ  ଥିବା ଅଙ୍କିତ ସ ଓ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ଗିରଫ  କରିଥିବା ବେଳେ ଗତକାଲି ସୋହମରାଜ ତ୍ରିପାଠୀ  ଓ ରୋହନ ରାଉତଙ୍କୁ ବାନ୍ଧିଛି । ପୁଲିସର ତଦନ୍ତ ଓ  ଅଭିଯୁକ୍ତମାନଙ୍କୁ ପଚରାଉଚରାରୁ ଜଣାପଡି଼ଛି ଯେ  ଘଟଣାଦିନ ସେମାନେ ପଟିଆରୁ ଜଟଣୀକୁ ବୁଲିବାକୁ  ଯାଉଥିଲେ । ନିଶାସକ୍ତ ଅବସ୍ଥାରେ ଦ୍ରୁତଗତିରେ  ଏନ୍‌ଏଚ୍‌ରେ ରେସିଂ କରୁଥିଲେ । ଥାର୍‌ ମାଲିକ  ସୋମନାଥ ବେହେରା ଦ୍ରୁତଗତିରେ ଗାଡି଼ ଚଳାଇ  ଏହି ଦୁର୍ଘଟଣା ଘଟାଇଛନ୍ତି ।   

ଅନ୍ୟପଟେ ସୋମନାଥ ଅଗ୍ରୀମ ଜାମିନ୍‌  ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ଆସନ୍ତା  ୨୬ ତାରିଖରେ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଛି ।  ସୋହମରାଜ, ରୋହନ ଦୁର୍ଘଟଣା ପରେ ମନାଲି ଓ  ହରିୟାଣା ବୁଲିବାକୁ ପଳାଇଥିଲେ ବୋଲି ପୁଲିସ  ଜାଣିବାକୁ ପାଇଛି । ପୁଲିସ ବିଶେଷସୂତ୍ରରୁ ଜାଣିବାକୁ  ପାଇଛି, ସମାନ ଢ଼ଙ୍ଗରେ ସୋମନାଥ ଥାର୍‌କୁ ଜଟଣୀ  କୁସୁମାଟିରେ ରଖି ରାଜ୍ୟ ସୀମା ଡେଇଁଥିଲେ । ଏକାଧିକ ସହର ବୁଲି ସାରିଥିବା ବେଳେ ଏବେ  କେରଳରେ ଲୁଚିଛନ୍ତି ।