ନୂଆଦିଲ୍ଲୀ,୦୨/୧୧: ପୂର୍ବ ଲଦାଖରେ  ଭାରତ-ଚୀନ୍‌ ସୀମା (ଏଲ୍‌ଏସି)ରେ ଶୁକ୍ରବାରଠାରୁ ପାଟ୍ରୋଲିଂ ଆରମ୍ଭ ହୋଇଛି ।  ଏବେ କେବଳ ଡେମ୍‌ଚୋକରେ ପାଟ୍ରୋଲିଂ  ଆରମ୍ଭ ହୋଇଥିବାବେଳେ ଦେପ୍‌ସାଙ୍ଗ୍‌ରେ ଖୁବ୍‌ଶୀଘ୍ର ଏହି ଅଭିଯାନ ଚାଲିବ ବୋଲି ଜଣାପଡ଼ିଛି । ୪ ବର୍ଷ ଧରି ବିବାଦୀୟ  ସ୍ଥିତି ଲାଗି ରହିବା ପରେ ନିକଟରେ  ଡେମ୍‌ଚୋକ ଏବଂ ଦେପ୍‌ସାଙ୍ଗ୍‌ରୁ  ନିଜ ନିଜ ସୈନ୍ୟ ଏବଂ ନିର୍ମାଣ  କରାଯାଇଥିବା ଅସ୍ଥାୟୀ ଢାଞ୍ଚା ହଟାଇବାକୁ  ଦୁଇ ଦେଶ ସହମତ ହୋଇଥିଲେ । ଏହା ପରେ  ସୀମାରୁ ପ୍ରଥମେ ସୈନ୍ୟ ଅପସାରଣ ଓ ପରେ  ସେଠାରେ ଥିବା ଅସ୍ଥାୟୀ ସାମରିକ ଭିତ୍ତିଭୂମିକୁ  ହଟାଇବା ପ୍ରକ୍ରୟା ଆରମ୍ଭ ହୋଇଥିଲା । ଏହି ପ୍ରକ୍ରିୟା ଅକ୍ଟୋବର ୩୦ରେ ସମ୍ପୂର୍ଣ୍ଣ ହୋଇଥିଲା । 

ଉଭୟ ଦେଶ ମଧ୍ୟରେ ହୋଇଥିବା  ବୁଝାମଣା ଅନୁସାରେ ୨୦୨୦ ଏପ୍ରିଲରୁ  ଉଭୟ ସ୍ଥାନରେ ଯେଉଁ ସ୍ଥିତାବସ୍ଥା ରହିଥିଲା  ତାହା ବଳବତ୍ତର ରହିବ । ଭାରତ ଓ ଚୀନ୍‌  ସେନା ସମ୍ପୃକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିବେ ।  ଗୋଟିଏ ମାସରେ ଦୁଇଥର ଲେଖାଏ  ପାଟ୍ରୋଲିଂ କରାଯିବ । ପାଟ୍ରୋଲିଂ କରିବା  ପୂର୍ବରୁ ପରସ୍ପରକୁ ସୂଚନା ଦେବେ । ଗୁରୁବାର  ଦୀପାବଳି ଅବସରରେ ପୂର୍ବ ଲଦାଖର ହଟ୍‌  ସ୍ପ୍ରିଙ୍ଗ୍‌, କାରାକୋରମ, ଦୌଲତ ବେଗ୍‌ ଓଲ୍ଡି,  କୋଙ୍ଗକାଲା ଏବଂ ଚୁଶୁଲ-ମୋଲ୍ଡୋକୁ ଲାଗି  ଥିବା ସୀମାରେ ଦୁଇ ଦେଶର ଅଧିକାରୀମାନେ  ପରସ୍ପରକୁ ମିଠା ଖୁଆଇବା ସହ ଦୀପାବଳି  ଶୁଭେଚ୍ଛା ଜଣାଇଥିଲେ । 

ସୂଚନାଯୋଗ୍ୟ ଯେ  ୨୦୨୦ ଜୁନରେ ପୂର୍ବ ଲଦାଖର ଗଲୱାନ  ଘାଟିରେ ଦୁଇଦେଶର ସୈନ୍ୟଙ୍କ ମଧ୍ୟରେ  ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର  ମନ୍ତ୍ରୀ କିରେନ୍‌ ରିଜିଜୁ ଏଲ୍‌ଏସିକୁ ଯାଇ ଚୀନ୍‌  ସୈନ୍ୟଙ୍କୁ ଭେଟିଥିଲେ । ଏହି ସମୟରେ ସେ ଚୀନ୍‌ ସୈନିକଙ୍କୁ କେତେକ ପ୍ରଶ୍ନ ମଧ୍ୟ ପଚାରିଥିଲେ ।  ଏତେ ଉଚ୍ଚତାରେ ନିଃଶ୍ୱାସପ୍ରଶ୍ୱାସ ନେବାରେ  ଅସୁବିଧା ହେଉନାହିଁ କି ବୋଲି ରିଜିଜୁ ପଚାରିବା  ପରେ ପରେ ଚୀନ୍‌ ସୈନ୍ୟ ସମସ୍ୟା ହେଉ  ନ ଥିବା କହିଥିଲେ । ଏଥିସହ ସେ ଭାରତୀୟ  ସୈନ୍ୟଙ୍କ ସହ ଦୀପାବଳି ମନାଇଥିଲେ । ଏହା  ପରେ ନିଜ ସୋସିଆଲ ମିଡିଆ ଏକ୍ସରେ ରିଜିଜୁ  ପୋଷ୍ଟ କରି କହିଛନ୍ତି ଯେ, ଚୀନ୍‌ ସୈନିକଙ୍କ ସହ  କଥା ହେବା ଏବଂ ଭିତ୍ତିଭୂମି ଢାଞ୍ଚା ଦେଖିବା ପରେ  ଏବେ ସଭିଏଁ ଭାରତର ସୀମାରେ ବିକାଶକୁ ନେଇ  ଗର୍ବ କରିବେ । ଅରୁଣାଚଳ ପ୍ରଦେଶର ବୁମଲାରେ  ସେନା ଯବାନଙ୍କ ସହ ଦୀପାବଳି ପାଳିଛି । ଏହା  ପୂର୍ବରୁ ତୱାଙ୍ଗ୍‌ରେ ଆର୍ମି ହେଲିପ୍ୟାଡ୍‌ରେ ଯବାନଙ୍କ  ସହ ଦୀପାବଳି ମନାଇଥିଲି । ୧୫ ହଜାର ଫୁଟ୍‌  ଉଚ୍ଚତାରେ ରହି ଦେଶର ସେବା କରିବା ଗର୍ବର  କଥା ବୋଲି ରିଜିଜୁ କହିଛନ୍ତି । ସେ ଏହି  ଅବସରରେ ଯବାନଙ୍କୁ ମିଠା ମଧ୍ୟ ବାଣ୍ଟିଥିଲେ ।