ଚନ୍ଦାହାଣ୍ଡି ,୨୮।୧  : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ  ପାଟଖଲିଆ ପଞ୍ଚାୟତ ସଦରର ଚାଷୀଙ୍କ ଜମିରେ ଜଳସେଚନ କରିବା ସକାଶେ ୮୦ ଦଶକରେ ପାଟେନ ନଦୀରେ  ଚେକ ଡ୍ୟାମ  ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ଏହା ସମ୍ପୂର୍ଣ ଭାଙ୍ଗି ଯାଇଥିବା ସହ  ପାଟେନ ନଦୀ ଗର୍ଭରେ ଲୀନ ହେବାକୁ ବସିଛି। ଏଥିପ୍ରତି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ  ନ ଥିବାରୁ ଚା‌ଷୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 

୧୯୮୯ ମସିହାରେ  ତତକାଳିନ ପାଟଖଲିଆ ସରପଞ୍ଚ  ସ୍ବର୍ଗତ ପଦ୍ମନ ପୂଜାରୀ ପାଟଖଲିଆ  ଚାଷୀଙ୍କ  ଜମିରେ ଜଳସେଚନ କରିବା  ଲକ୍ଷ୍ୟ ରଖି ପାଟେନ ନଦୀରେ ବ୍ଲକ ପ୍ରଶାସନ ଦ୍ୱାରା ଏକ ଚେକ ଡ୍ୟାମ ନିର୍ମାଣ  କରିଥିଲେ। ଏଥିସହ ଚାଷୀଙ୍କ ଜମିକୁ ଜଳସେଚନ କରିବା ସକାଶେ କେନାଲ ଖୋଲା ଯାଇଥିଲା l  ଏହା ଦ୍ୱାରା ଚାଷୀମାନେ  ଖରିଫ ଋତୁରେ ଜମିରେ ଜଳସେଚନ କରି  ଭଲ ଫସଲ ଉତ୍ପାଦନ କରୁଥିଲେ। ଏଥି ସହ  ରବି ଧାନ ଚାଷ ସହ ପନି ପରିବା ଚାଷ କରି ବେଶ ଉପକୃତ ହୋଇ ପାରୁ ଥିଲେ l ଏହାର ମରାମତି ଅଭାବରୁ ଚେକ ଡ୍ୟାମର କାନ୍ଥ ଫାଟିବା ସହ  ଏହା ନଦୀର ବନ୍ୟା ପାଣିର ପଙ୍କ କାଦୁଅରେ ପୋତି ହୋଇଯାଇଛି l ବର୍ତ୍ତମାନ ଏହାର କାନ୍ଥ ଭାଙ୍ଗି ଦୁଇ ଫାଳ ହୋଇଯାଇଛି।  ଏଥି ସହ  ଜମିକୁ ଜଳସେଚନ ପାଇଁ ଖୋଲା ଯାଇ ଥିବା କେନାଲ ପୋତି ହେବା ସହ ବିଲୁଆ, କୁକୁରଙ୍କ ଆଶ୍ରୟ ସ୍ଥଳୀ ପାଲଟି ଯାଇଛି l

ଏହାକୁ ମରାମତି ପାଇଁ ତତକାଳିନ ବିଧାୟକ ପ୍ରକାଶ ମାଝି , ସାଂସଦ ରମେଶ ଚନ୍ଦ୍ର ମାଝି ଙ୍କୁ ଚାଷୀ ଅବଗତ  କରିଥିଲେ। ଏଥିସହ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଚାଷୀମାନେ ୯ ଥର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିବା  ଚାଷୀ ମାନେ ପ୍ରକାଶ କରିଛନ୍ତି l  ଏପରିକି ବର୍ତ୍ତମାନର  ଝରିଗାଁ ବିଧାୟକ ନର୍ସିଙ୍ଗ ଭତ୍ରା, ଏବଂ ନବରଙ୍ଗପୁର ସାଂସଦ ବଲଭଦ୍ର ମାଝି ଙ୍କ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଚାଷୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଚାଷୀ ଧନୀ ରାମ ନାଗ, ତିଳ ପୋର୍ଟି, ଅଞ୍ଚଳ ପୋର୍ଟି, ଘଂସୁ ପୋର୍ଟି ପ୍ରମୁଖ ଚାଷୀ ଦାବୀ କରିଛନ୍ତି l