ମନମୁଣ୍ଡା,୨୨/୮ : କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ଅନ୍ତର୍ଗତ ପରିବନ୍ଧ ଗ୍ରାମର ଲୋକେ ବର୍ଷା ଦିନ ଆରମ୍ଭ ହେଲେ ପ୍ରତିବର୍ଷ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ଗ୍ରାମରେ ୫୫୦ଲୋକ ବସବାସ କରୁଥିବାବେଳେ ପ୍ରଶାସନର ଏହି ଗ୍ରାମ ପ୍ରତି ଅବହେଳା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କାଦୁଅ ସରସରରେ ଗାଁକୁ ଯିବା ଆସିବା କରୁଥିବା ସାଧାରଣ ଲୋକଙ୍କଠାରୁ ଜାଣିବାକୁ ମିଳିଛି ।
ହାଇସ୍କୁଲ ପାଠ ପଢିବା ପାଇଁ ପାଖରେ ସୁବିଧା ନ ଥିବା କାରଣରୁ ଗାଁଠାରୁ ୬ କିଲୋମିଟର ଦୁର ଦପଲା ହାଇସ୍କୁଲକୁ ପଢିବାକୁ ଯାଆନ୍ତି । କିନ୍ତୁ ଗାଁଠାରୁ ବାହାରିଲେ ୨ କି.ମି. ବାଟ କାଦୁଅ ଭିତରେ ସାଇକେଲ୍ ଗଡାଇ ଗଡାଇ ଗଲା ପରେ ଯାଇ ଭଲ ରାସ୍ତାରେ ପହଞ୍ଚି ଯିବା ଆସିବା କରିପାରନ୍ତି । ଠିକ୍ ସେହିପରି ପଞ୍ଚାୟତକୁ ଚାଉଳ, ଭତ୍ତା ଆଣିବା ପାଇଁ ଯାଉଥିବା ବୁଢା, ବୁଢି କିମ୍ବା ଦୈନନ୍ଦିନ ବିଭିନ୍ନ କାମରେ ବାହାରକୁ ଯିବା ଆସିବା କରୁଥିବା ଲୋକ ମଧ୍ୟ କାଦୁଅ ସରସର ଭିତରେ ନାନା ଅସୁବିଧାର ସମ୍ମୁଖିନ ହୋଇ ଯିବା ଆସିବା କରୁଛନ୍ତି । ବର୍ଷା ଋତୁ ଆରମ୍ଭ ହେଲେ ଆଉ ୪ ମାସ ଯାଏ ଗାଁକୁ ଆମ୍ବୁଲାନ୍ସ ମଧ୍ୟ ଯାଇପାରେ ନାହିଁ । ଫଳରେ ଗାଁର ଲୋକ ଦୁଇ ଚକିଆ ଯାନରେ କିଛି ବାଟ ଆସିବା ପରେ ଆମ୍ବୁଲାନ୍ସ ସେବା ପାଇ ପାରନ୍ତି । ଯାହାକି ରୋଗୀମାନଙ୍କ ପାଇଁ ଆହୁରି ଦୁଃଖ ଉପରେ ଲଳିତା ବିଡା ସଦୃଶ ହୋଇପଡେ । ଗାଁ ସ୍କୁଲର ହାରାହାରି ୨୫ରୁ ୩୦ଜଣ ଛାତ୍ରଛାତ୍ରୀ ୮ମ ଶ୍ରେଣୀରେ ପାସ୍ କରୁଥିବାବେଳେ ରାସ୍ତାର ନାହିଁ ନ ଥିବା ଅସୁବିଧା କାରଣରୁ ସମସ୍ତେ ଗାଁଠାରୁ ୬ କି.ମି. ଦୂର ହାଇସ୍କୁଲରେ ନାମ ଲେଖାଇଲେ ମଧ୍ୟ ପଢିବାକୁ ଯିବାରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି କାରଣରୁ କେତେକ ଛାତ୍ରଛାତ୍ରୀ ପାଠ ପଢ଼ି ଯିବାକୁ ମନ କରୁ ନାହାନ୍ତି। ଏହି ବିଷୟରେ ଗ୍ରାମର ଲୋକମାନେ ବାରମ୍ବାର ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜେ.ଇ., ଗ୍ରାମସେବକ ଅଧିକାରୀ, ବି.ଡି.ଓ.ଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ପ୍ରଶାସନ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଏକ ସବୁ ଦିନିଆ ବାଟ ଫିଟାଇବାକୁ ସାଧାରଣରେ ଦାବି ହେଉଛି ।