ଭୋଗରାଇ,୭।୯(ଆ.ପ୍ର): ସ୍କୁଟି ସହିତ ବାଇକର ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କ ଶନିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ରବିବାର ମୃତଦେହ ଡାକ୍ତରଖାନାରୁ ଘରକୁ ଫେରିବା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବି କରି ସ୍ଥାନୀୟ ଲୋକମାନେ ଶବ ରଖି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବରପାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରିଥିଲା । ପରେ ଉଭୟ ପକ୍ଷଙ୍କ ମଧ୍ୟରେ କ୍ଷତିପୂରଣକୁ ନେଇ ଆପୋଷ ବୁଝାମଣା ହେବା ପରେ ରାସ୍ତା ଅବରୋଧ ହଟିଥିଲା । ଏଭଳି ଏକ ଅଭାବନୀୟ ଘଟଣା ଭୋଗରାଇ ଥାନା ଅଞ୍ଚଳରେ ଘଟିଛି ।
ଭୋଗରାଇ ଥାନା ରସୁଲପୁର ଗାଁର ସ୍ବର୍ଗତ ଜଗବନ୍ଧୁ ବେହେରାଙ୍କ ସାନପୁଅ ଜଗନ୍ନାଥ ବେହେରା (୩୯) ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜଣେ ଡ୍ରାଇଭର ଭାବେ କାମ କରି ପରିବାର ପୋଷଣ କରୁଥିଲେ । ଗଣେଶ ପୂଜା ପରଦିନ ରାତିରେ ଜଗନ୍ନାଥ ନିଜ ଘରୁ ଏକ ସ୍କୁଟରରେ ଭୋଗରାଇ ହାଟକୁ ଆସୁଥିବା ବେଳେ ବାଶୁଳୀ ମନ୍ଦିର ସମ୍ମୁଖରେ ସାମ୍ନା ପଟରୁ ଆସୁଥିବା ଜଣେ ବାଇକ୍ ଚାଳକଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ଜଗନ୍ନାଥ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଜଳେଶ୍ଵରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ ଅଧିକ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ନିଆଯାଇ ସେଠାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଶନିବାର ବିଳମ୍ବିତ ରାତିରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ଆଜି ସନ୍ଧ୍ୟାରେ ଜଗନ୍ନାଥଙ୍କ ଶବ ଭୋଗରାଇ ହାଟ ଉପରେ ପହଞ୍ଚିବା ପରେ ରସୁଲପୁର ଗ୍ରାମବାସୀଙ୍କ ପରିବାରକୁ ନ୍ୟାୟ ଓ କ୍ଷତିପୂରଣ ଦାବି କରି ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବରପାଇ ଭୋଗରାଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ । ଭୋଗରାଇ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରବୀର କୁମାର ଗିରିଙ୍କ ହସ୍ତକ୍ଷେପ କରି ଘଟଣାର ଆପୋଷ ବୁଝାମଣା କରିଥିଲେ।ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବାର ନିଷ୍ପତ୍ତି ହେବା ପରେ ରାସ୍ତା ଅବରୋଧ ହଟିଥିଲା ।
ସୂଚନା ଯୋଗ୍ୟ, ଜଗନ୍ନାଥ ବାପାମାଆ ଛେଉଣ୍ଡ ହୋଇଥିଲା ବେଳେ ଗତ ୧୫ ବର୍ଷ ପୂର୍ବରୁ ତାଙ୍କ ବଡ଼ଭାଇଙ୍କ ଦେହାନ୍ତ ହୋଇଯାଇଥିଲା । ଏବେ ତାଙ୍କ ପରିବାରରେ ବିଧବା ଭାଉଜ, ପତ୍ନୀ, ଜଣେ ପୁତୁରା, ୧୧ ବର୍ଷର ପୁଅ ଓ ୫ ବର୍ଷର ଜଣେ ଝିଅ ଅଛନ୍ତି । ଏଭଳି ସ୍ଥିତିରେ ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।