ଭୁବନେଶ୍ୱର, ୧୭।୧୧: ଶେଷ ହେଲା କାର୍ତ୍ତିକ ମାସ । ମାସେ ଧରି ଆମିଷ ଖାଇନଥିବା ଲୋକେ ଅପେକ୍ଷା କରିଥିଲେ ଛାଡ଼ଖାଇ ଦିନଟିକୁ । ଗତକାଲି ସଂକ୍ରାନ୍ତି ସହ ଶନିବାର ଥିବାରୁ ଲୋକେ ଆମିଷ ଖାଇନଥିଲେ । ଆଜି ରବିବାର ଥିବାରୁ ସକାଳୁ ସକାଳୁ ଆମିଷ ବଜାରରେ ଲାଗିଛି ଲୋକଙ୍କ ଗହଳି । ଲୋକେ ଦୀର୍ଘଦିନ ପରେ ଘରକୁ ଆମିଷ ଟିକେ ନେବାକୁ ଦୋକାନ ଆଗରେ ଭିଡ଼ ଜମାଇଛନ୍ତି । ଛାଡ଼ଖାଇ ପାଇଁ ବଜାରରେ ଉଚ୍ଚା ରହିଛି ଆମିଷ ଦର । 

ରାଜଧାନୀର ପ୍ରମୁଖ ମାର୍କେଟ ତଥା ୟୁନିଟ-୪, ନୂଆପଲ୍ଲୀ, ଡେଲଟା, ଆଇଗିଣିଆ, ଡମଣା, ପଳାଶୁଣି, ସୁନ୍ଦରପଦାରେ ଆମିଷ ଦୋକାନରେ ଭିଡ଼ ଜମିଛି । ଆମିଷ ଦୋକାନରେ ପରିମଳ ଉପରେ ଗୁରୁତ୍ୱ ଦିଆଯାଇଛି । ଆମିଷ ଦୋକାନ ଚାରିପଟ ସଫା ରଖିବାକୁ କୁହାଯାଇଛି । ମାଂସ ଦୋକାନରୁ ବାହାରୁଥିବା ବର୍ଜ୍ୟ ଡଷ୍ଟବିନ୍‌ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ରୋହି, ଭାକୁର, ଇଲିସ, ଚିଙ୍ଗୁଡ଼ି, ଚାନ୍ଦି ମାଛର ଚାହିଦା ଅଧିକ ରହିଛି । ଖାସି ମାଂସ ଦର ହଜାରେ ପର୍ଯ୍ୟନ୍ତ ଧରିବାକୁ ବସିଲାଣି । ତଥାପି ମାଂସ କିଣିବାକୁ ଲୋକଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । ସେପଟେ ସତର୍କ ରହିଛି ଖାଦ୍ୟ ସୁରକ୍ଷା ବିଭାଗ । ରାଜଧାନୀରେ ଚଢ଼ା ଦର ଉପରେ ବିଏମସି ନଜର ରଖିଛି ।