ନୂଆଦିଲ୍ଲୀ/ଭୁବନେଶ୍ୱର, ୧୪/୧୧ : ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ଐତିହାସିକ ବିଜୟ ସହ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ଦଳର ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣ, ବିଜେପିର ଶୀର୍ଷ ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । 

ମୋଦି, ଶାହ, ନଡ୍ଡା ଓ ନୀତୀଶଙ୍କୁ ଧନ୍ୟବାଦ ଜଣାଇଲେ

ଶ୍ରୀ ପ୍ରଧାନ ବିହାର ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ସ୍ପଷ୍ଟ ଓ ନିର୍ଣ୍ଣାୟକ ଜନାଦେଶ ଦେଇଥିବାରୁ ବିହାରର ମହାନ ଜନତାଙ୍କୁ ଧନ୍ୟବାଦ। ବିହାରର ଜନତା ପୁଣି ଥରେ ପ୍ରମାଣିତ କରିଛନ୍ତି ଯେ ବିକାଶ, ସୁଶାସନ ଏବଂ ସ୍ଥାୟୀ ସରକାର ହିଁ ସେମାନଙ୍କର ପ୍ରାଥମିକତା । ଏନଡିଏକୁ ମିଳିଥିବା ଏହି ପ୍ରଚଣ୍ଡ ଜନାଦେଶ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ ନୀତିଗୁଡ଼ିକ ଉପରେ ସାଧାରଣ ଜନତାଙ୍କ ବଡ଼ ମୋହର । ବିହାରର ଜନତା ଜଙ୍ଗଲରାଜ, ଜାତିବାଦ, ପରିବାରବାଦ ଏବଂ ନକାରାତ୍ମକ ରାଜନୀତିକୁ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରି ନିରନ୍ତର ପ୍ରଗତି ଏବଂ 'ବିକଶିତ ବିହାର'ର ମାର୍ଗକୁ ବାଛିଛନ୍ତି ବୋଲି ଏହି ବିଜୟ ଦର୍ଶାଉଛି ।

 

ସେ ଆହୁରି କହିଛନ୍ତି ଯେ, ଏହି ଐତିହାସିକ ବିଜୟ ଏନଡ଼ିଏର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ, ସମର୍ପଣ ଏବଂ ଜନତାଙ୍କ ପ୍ରତି ନିଷ୍ଠାର ପ୍ରତିଫଳନ । ଜନସାଧାରଣଙ୍କର ବିଶ୍ୱାସ ଆମର ଶକ୍ତି । ଏହି ଜନାଦେଶ ଆମର ସଂକଳ୍ପକୁ ଆହୁରି ମଜଭୂତ କରିଛି । ଏହି ଅଭୂତପୂର୍ବ ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୃହ ମନ୍ତ୍ରୀ ଅମିତ ଶାହା, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଏବଂ ବିହାର ପ୍ରଦେଶ ନେତୃତ୍ୱ ସହିତ ଏନଡ଼ିଏର ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ନୂଆପଡ଼ାରେ ବିଜୟୀ ହୋଇଥିବା ଜୟ ଢୋଲକିଆଙ୍କୁ ବି ଶୁଭେଚ୍ଛା, ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି...

​​​​​​​

ସେହିପରି ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମ୍ପର୍କରେ ଶ୍ରୀ ପ୍ରଧାନ ଏକ୍ସରେ ପୃଥକ ପୋଷ୍ଟରେ ଦଳର ବିଜୟୀ ପ୍ରାର୍ଥୀ ଶ୍ରୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ତଥା ଆମ ଦଳ ଉପରେ ବିଶ୍ୱାସ କରି ଭୋଟ ଦେଇଥିବାରୁ ନୂଆପଡ଼ାର ଜନସାଧାରଣ ଏବଂ କଠିନ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି । ଆମର ଡବଲ ଇଞ୍ଜିନ ସରକାର ନୂଆପଡ଼ାର ବିକାଶକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

ବିହାର ସହ ପୁରୁଣା ସମ୍ପର୍କ :

ବିହାର ସହ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କ ବେଶ୍‌ ପୁରୁଣା । ୨୦୧୨ରେ ସେ  ବିହାରରୁ ରାଜ୍ୟସଭା ଯାଇଥିଲେ । ସେବେଠାରୁ ରାଜ୍ୟ ରାଜନୀତି ଓ  ସଙ୍ଗଠନରେ ତାଙ୍କୁ ମଜଭୁତି ମିଳିଥିଲା । ବିଜେପି ଭିତରେ ଗୁରୁତ୍ୱପୂର୍ଣ୍ଣ  ଦାୟିତ୍ୱ ସମ୍ଭାଳି ସେ ବିହାରରେ ଦଳର ଉପସ୍ଥିତିକୁ ଆହୁରି ସଶକ୍ତ  କରିଥିଲେ । ବିହାରରେ ମୋଦି-ନୀତୀଶଙ୍କ ଯୋଡ଼ି ଚର୍ଚ୍ଚାରେ ରହିଲେ ବି  ସଦ୍ୟ ନିର୍ବାଚନରେ ଧର୍ମେନ୍ଦ୍ରଙ୍କ ନାମ ସମସ୍ତଙ୍କ ସାମ୍ନାକୁ ଆସିଛି । ସେ ରାଜ୍ୟର  ନିର୍ବାଚନ ପ୍ରଭାରୀ ହେବା ପରେ ଲଗାତର ବୈଠକ କରିଥିଲେ । ଏଥିସହ  ତୃଣମୂଳ ସ୍ତରରୁ ଫିଡ୍‌ବ୍ୟାକ୍‌ ନେଇଥିଲେ । ତାଙ୍କର କ୍ୟାଡର ମ୍ୟାନେଜମେଣ୍ଟ  ବିଜେପି ଗ୍ରାଫରେ ନୂଆ ଶକ୍ତି ଭରିଥିଲା । ଆଜିର ଫଳାଫଳ କହୁଛି ଯେ  ତାଙ୍କ ରଣନୀତି ତୃଣମୂଳ ସ୍ତରରେ ବଡ଼ ପ୍ରଭାବ ଛାଡ଼ିଛି ।

ପ୍ରତି ରାଜ୍ୟରେ ବିଜୟ ରେକର୍ଡ:

ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନୀ ଟ୍ରାକ୍‌ ରେକର୍ଡ ବିଜେପିର ଆଭ୍ୟନ୍ତରୀଣ ରାଜନୀତିରେ  ପୃଥକ୍‌ ପରିଚୟ ରଖିଛି । ତାଙ୍କ କାର୍ଯ୍ୟ ଏବଂ ପରିସର କେବଳ ବିହାର ମଧ୍ୟରେ  ସୀମିତ ନାହିଁ । ଦେଶବ୍ୟାପୀ ଅନେକ ବଡ଼ ନିର୍ବାଚନରେ ତାଙ୍କର ରଣନୀତି  ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଛି । ହରିୟାଣାରେ ୨୦୨୪ରେ ତମାମ ଚ୍ୟାଲେଞ୍ଜ  ସତ୍ତେ୍ୱ ବିଜେପି କ୍ଷମତାକୁ ଫେରିଥିଲା । ଏଥିରେ ଧର୍ମେନ୍ଦ୍ରଙ୍କର ବଡ଼ ଯୋଗଦାନ  ରହିଛି । ୨୦୨୧ରେ ପଶ୍ଚିମବଙ୍ଗରେ କେବଳ ନନ୍ଦୀଗ୍ରାମ ଦାୟିତ୍ୱ ତାଙ୍କୁ ମିଳିଥିଲା ।  ସେଠାରେ ମମତା ବାନାର୍ଜୀ ନିର୍ବାଚନ ହାରିଥିଲେ । ୨୦୧୭ରେ ଉତ୍ତରାଖଣ୍ଡ  ଓ ୨୦୨୨ରେ ୟୁପିରେ ବିଜେପି ବିଜୟରେ ତାଙ୍କର ବଡ଼ ଭୂମିକା ରହିଥିବା  କୁହାଯାଏ । ସର୍ବୋପରି ୨୦୨୪ରେ ଓଡ଼ିଶାରେ ବିଜେପିର ବୃହତ୍‌ ବିଜୟରେ  ମଧ୍ୟ ଧର୍ମେନ୍ଦ୍ରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ବିଜୟର ଗ୍ୟାରେଣ୍ଟି ଧର୍ମେନ୍ଦ୍ର:

​​​​​​​ଧର୍ମେନ୍ଦ୍ର ପ୍ରଧାନଙ୍କ ଷ୍ଟାଇଲ ବେଶ୍‌ ସ୍ୱତନ୍ତ୍ର । ସେ ଅଧିକ ବୟାନ ଦିଅନ୍ତି ନାହିଁ  କିମ୍ବା ପ୍ରଚାର କରନ୍ତି ନାହିଁ । ସେ ତୃଣମୂଳ ସ୍ତରର କାର୍ଯ୍ୟକର୍ତ୍ତାଙ୍କ ଗହଣରେ  ରହି ଚୁପଚାପ ନିଜ କାମ କରିଦିଅନ୍ତି । ସେ ସ୍ଥାନୀୟ ନେତାଙ୍କୁ ସର୍ବାଧିକ  ପ୍ରାଥମିକତା ଦିଅନ୍ତି । ସେମାନଙ୍କ ସହ ସିଧାସଳଖ ଚର୍ଚ୍ଚା କରି ବୁଥ ସ୍ତର ଡାଞ୍ଚାକୁ  ମଜଭୁତ କରିଥାନ୍ତି । ପ୍ରତ୍ୟେକ ଆସନରେ ତାଙ୍କର ମାଇକ୍ରୋମ୍ୟାନେଜମେଣ୍ଟ  କାମ କରିଥାଏ । ତାଙ୍କର ଶାନ୍ତ ସ୍ୱଭାବ ଓ ସନ୍ତୁଳିତ ରଣନୀତି ଯୋଗୁ ବିଜେପି  ନେତୃତ୍ୱ ତାଙ୍କୁ ଅନେକ ରାଜ୍ୟରେ ‘ବିଜୟର ଯାଦୁକର’ ମାନିଥାନ୍ତି ।

​​​​​​​