ପୁରୀ,୧୩/୧୨: ବଡ଼ଦେଉଳ ଭିତର ଭିଡ଼ରେ ମହାପ୍ରଭୁଙ୍କୁ ଦର୍ଶନ କରି ବାହାରକୁ ବାହାରିବା ବେଳକୁ ଝାଳରେ ଉଦା ହୋଇଯାଉଛନ୍ତି ଶ୍ରଦ୍ଧାଳୁ । ଠେଲାପେଲାରେ ପୋଷାକ ମଇଳା ହୋଇଯାଉଛି । ଶୀତରେ ବି ଶ୍ରଦ୍ଧାଳୁଙ୍କୁ ଏପରି ସମସ୍ୟା ଭୋଗିବାକୁ ପଡ଼ୁଛି । ଏପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିଲା ନାହିଁ । ବାହାର କାଠ ହେଉ ବା ଭିତର କାଠ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଠେଲାପେଲାର ସମ୍ମୁଖୀନ ହେବାକୁ ପଡ଼ୁଛି । ନାଟମଣ୍ଡପ ବାହାର କାଠ ଠାରୁ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଦେବା ନିମନ୍ତେ ନାଟମଣ୍ଡପରୁ ହୁଣ୍ଡି ସ୍ଥାନାନ୍ତର ଆବଶ୍ୟକ ବୋଲି ପ୍ରଥମେ କୁହାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିସାରିଥିଲେ ହେଁ ଏପର୍ଯ୍ୟନ୍ତ ଏବାବଦରେ ପଦକ୍ଷେପ ଶୂନ ।
ସେହିପରି ନାଟମଣ୍ଡପରୁ ଗରା, ଗଡ଼ୁ ଥୋଇ ଦାନ ଆଦାୟ, ଜାଗା ମାଡ଼ି ବସିଥିବା ପୁରୁଣା ଆଲମିରା ହଟାଇବା, ଥାଳି ଥୋଇ ଦାନ ଆଦାୟ ପ୍ରଭୃତିକୁ ବନ୍ଦ କରିବାରେ ଶ୍ରୀମନ୍ଦିର ପ୍ରଶାସନ ଫେଲ୍ ମାରିଛି । ନାଟମଣ୍ଡପରେ ଜୋର୍ଯା ର୍ ନୀତିରେ ଅନେକ ଜାଗା ମାଡ଼ି ବସିଛନ୍ତି । ପ୍ରଶାସନ ସେମାନଙ୍କୁ ହଟାଇବାକୁ ସାହାସ ଜୁଟାଇ ପାରୁନି । ପ୍ରତ୍ୟେହ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ନୀତି ଆରମ୍ଭ ଓ ଶେଷ ହୋଇପାରୁନି । ଏପରିସ୍ଥଳେ ନାଟମଣ୍ଡପ ବାହାର କାଠ ଠାରୁ ଶୃଙ୍ଖଳିତ ଦର୍ଶନ କରିବା ନେଇ ନିଜ ପ୍ରତିଶ୍ରୁତି ଜାଲରେ ଫସି ଯାଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଶାସନ ଯାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଦର୍ଶନ ଓ ମହାପ୍ରସାଦ ପାଇବାର ସୁବ୍ୟବସ୍ଥା ତୁରନ୍ତ କରିବା ଜରୁରି ବୋଲି ବରିଷ୍ଠ ପୂଜାପଣ୍ଡା ସେବାୟତ ସୁନିଲ ପୂଜାପଣ୍ଡା ମତ ଦେଇଛନ୍ତି ।
ଆଗକୁ ନୂଆବର୍ଷ ଆସୁଛି । ଶୀତର ଆଗମନ ସହ ପୁରୀକୁ ଯାତ୍ରୀଙ୍କ ଭିଡ଼ ବଢ଼ିଛି । ନୂଆବର୍ଷ ପହିଲା ଦିନ ଭିଡ଼ ସୀମା ପାର କରିବ । ହେଲେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରାଶାସନିକ ଉଦ୍ୟମ ଠପ୍ ହୋଇଯାଇଛି । ଆଇଆଇଟି ବିଶେଷଜ୍ଞ ତଥା ଅନୁଭବି ଅନୁଷ୍ଠାନଙ୍କ ପରାମର୍ଶ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କିଛିଦିନ ତଳେ କହିଥିଲା । ହେଲେ ଏପର୍ଯ୍ୟନ୍ତ ଏବାବଦରେ ପାଦେ ବି ପଦକ୍ଷେପ ଆଗେଇନି । ସେହିପରି ନାଟମଣ୍ଡପକୁ ବାତାନୁକୂଳିତ କରିବା ନେଇ ପ୍ରାଶାସନିକ ପଦକ୍ଷେପ ଏପର୍ଯ୍ୟନ୍ତ ପ୍ରତିଫଳନ ହୋଇପାରିଲା ନାହିଁ । ଖୁବ୍ କମ୍ ଅନୁଷ୍ଠାନ ଏହି ବ୍ୟବସ୍ଥା କରିବାକୁ ଆଗ୍ରହ ଦେଖାଇବାରୁ ଏହାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରତ୍ୟାଖାନ କରି ଦେଇଛି । ଏଥିସହ ବାତାନୁକୂଳିତ ବ୍ୟବସ୍ଥା କରିବା ନେଇ ଆଗ୍ରହୀ ଅନୁଷ୍ଠାନଙ୍କୁ ଭାଗ ନେବା ପାଇଁ ପୁନଃ ଆହ୍ୱାନ ଜଣାଇଛି ।
ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଓ ନୀତି ପରିଚାଳନା ନେଇ ଗତ ବିଧାନସଭା ଅଧିବେଶନରେ ମଧ୍ୟ ପ୍ରସଙ୍ଗ ଉଠିଥିଲା । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରୀମନ୍ଦିର ନାଟମଣ୍ଡପରେ ଆରମ୍ଭ ହେବାକୁ ଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ଉପରେ ଏକ ବିଶଦ ବିବରଣୀ ସରକାର ଉପସ୍ଥାପନା କରିବେ କି ବୋଲି ଲିଖିତ ପ୍ରଶ୍ନ କରିଥିଲେ । ଭିତର କାଠ ଦର୍ଶନ ଓ ବାହାର କାଠ ଦର୍ଶନ ଦ୍ୱାରା ପାତରଅନ୍ତର ହେବ କି ନାହିଁ ତାହାର ଉତ୍ତର ରଖିବାକୁ ପ୍ରଶ୍ନ କରିଥିଲେ । ଶ୍ରୀମନ୍ଦିରର ଗୋଟିଏ ନୀତି ଧାର୍ଯ୍ୟ ସମୟରେ ହେଉନଥିବାର କାରଣ କ’ଣ ଅଟେ ବୋଲି ପଚାରିଥିଲେ ।
ଉତ୍ତରରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ, ‘ଶ୍ରୀମନ୍ଦିର ନାଟମଣ୍ଡପରେ ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି । ସେହି ପ୍ରସ୍ତାବ ପ୍ରକାରେ ଶୃଙ୍ଖଳିତ ଦର୍ଶନ ଆୟୋଜନ ପାଇଁ ପ୍ରକ୍ରିୟା ଚାଲୁ ରହିଛି । ପ୍ରତ୍ୟେହ ମହାପ୍ରଭୁଙ୍କ ଧାର୍ଯ୍ୟ ନୀତି ସମୟାନୁଯାୟୀ ସମ୍ପାଦନ ହୋଇଥାଏ । ଆକସ୍ମିକ ମହାସ୍ନାନ, ଅତ୍ୟଧିକ ଜନଗହଳି ଓ ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ସ୍ୱତନ୍ତ୍ର ନୀତି ସମ୍ପାଦନ ହେଉଥିବାରୁ କେତେକ ଦିନରେ ଧାର୍ଯ୍ୟ ସମୟରେ ନୀତି ସମ୍ପାଦନ ନହେବାର ଅନ୍ୟତମ କାରଣ ଅଟେ । ଶ୍ରୀମନ୍ଦିର ପରିଚାଳନା କମିଟି ୨୦୧୯ ଜାନୁଆରୀ ୨୯ରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ଠିକ୍ ସମୟରେ ଶୃଙ୍ଖଳିତ ଭାବରେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ । ଯେଉଁ ସେବକମାନେ ଏହାର ବିରୁଦ୍ଧାଚରଣ କରିବେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ।