ନୂଆଦିଲ୍ଲୀ ୦୬/୦୯: ଆମେ ଜାଣିଶୁଣି ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟିରୁ ବାଦ ଦେଇନୁ । ଆଇନ ସମ୍ମତ ଭାବେ ଆମେ ଏହା ଉପରେ  ଜିଏସ୍‌ଟି ନେଇ ପ୍ରସ୍ତୁତ ରହିଛୁ । ମାତ୍ର ରାଜ୍ୟଗୁଡ଼ିକ ଏହାକୁ ନେଇ ସହମତ ହେବା ଆବଶ୍ୟକ । ରାଜ୍ୟଗୁଡ଼ିକ  ପକ୍ଷରୁ ଏହି ନିଷ୍ପତ୍ତି ଆସିବାର ଆବଶ୍ୟକତା ରହିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ଏବେ ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଟିକସ ଏବଂ ରାଜ୍ୟଗୁଡ଼ିକ ଭାଟ୍‌ ଲାଗୁ  କରୁଛନ୍ତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି  ରାଜସ୍ୱ ଉପରେ ବିଶେଷ ଭାବେ ନିର୍ଭର କରନ୍ତି । ଫଳରେ ତେଲକୁ ଜିଏସ୍‌ଟି  ପରିସରକୁ ଆଣିବା  ଏକ ସମ୍ବେଦନଶୀଳ  ଏବଂ ଜଟିଳ ବ୍ୟାପାର ।  ବର୍ତ୍ତମାନ ସରକାର  ଏହାକୁ ଜିଏସ୍‌ଟି ପରିସରରେ ବାହାରେ ରଖି ନିଶ୍ଚିତ  କରିଛନ୍ତି ଯେ, ଉଭୟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର  ରାଜସ୍ୱ ବାଧାପ୍ରାପ୍ତ ହେବନି । ଜିଏସ୍‌ଟି ୨.୦ ବ୍ୟବସ୍ଥାରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର କମାଇବା ଉପରେ ଫୋକସ  କରାଯାଇଛି । ଅଟୋମୋବାଇଲ ସହ ଅନ୍ୟ ଶିଳ୍ପ ମଧ୍ୟ ଏହା  ଦ୍ୱାରା ଉତ୍ସାହିତ ହେବ । ମାତ୍ର ତେଲକୁ ଦେଖିଲେ ଏବେ  ଯାଏ ସେଭଳି କିଛି ପରିବର୍ତ୍ତନ ହୋଇନି ।

ରାଜ୍ୟଗୁଡ଼ିକ  ପକ୍ଷରୁ କୌଣସି ଚୂଡ଼ାନ୍ତ ସହମତି ନ ଆସିବା ଯାଏ  ପେଟ୍ରୋଲ ଡିଜେଲ ପରୋକ୍ଷ ଟିକସ ବ୍ୟବସ୍ଥା ପରିସରକୁ  ଆସିବନି । ବର୍ତ୍ତମାନ ଏହାକୁ ଜିଏସ୍‌ଟି ପରିସରକୁ ଆଣିବା  ଲାଗି କିଛି ଠୋସ ନିଷ୍ପତ୍ତି ନେଇନାହାନ୍ତି । ସାମଗ୍ରୀ ଏବଂ ସେବା ଲାଗି ଟିକସ ବ୍ୟବସ୍ଥାକୁ ସରଳୀକରଣ କରିବା  ଧ୍ୟାନ ରହିଛି । ଯେତେବେଳେ ରାଜ୍ୟ ଏ ନେଇ ପ୍ରସ୍ତୁତ  ହେବେ, ସେବେ ତେଲ ଉପରେ ଜିଏସ୍‌ଟି ଲାଗିବ ବୋଲି ସୀତାରମଣ ସ୍ପଷ୍ଟ କରିଛନ୍ତି ।